ବାଡମେର: ମାନବ ସେବା ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ରାଜସ୍ଥାନର ଏହି ପରିବାର । ବାଡମେର ଜିଲ୍ଲାର ଏହି ପରିବାର ମାନବ ସେବା ପାଇଁ ସମାଜ ସାମନାରେ ଏକ ନୂଆ ଉଦାହରଣ ଦେଇଛନ୍ତି । ଏହି ପରିବାରର ତିନି ପିଢି ଏହି ମହାନ କାର୍ଯ୍ୟରେ ସାମିଲ ଅଛନ୍ତି । ଜେଜେବାପା ଙ୍କ ଠୁ ଆରମ୍ଭ କରି ପୁତ୍ରବଧୂଙ୍କ ପର୍ଯ୍ୟନ୍ତ ଅଙ୍ଗଦାନ କରିବାକୁ ସମସ୍ତେ ଆଗେଇ ଆସିଛନ୍ତି । ଗୋଟିଏ ପରିବାରର 12 ଜଣ ସଦସ୍ୟ ଏକାଠି ଅଙ୍ଗଦାନ ଘୋଷଣା କରିବା ଦେଶରେ ବୋଧେ ପ୍ରଥମ ଘଟଣା ।

ବାଡମେର ଜିଲ୍ଲା ଧନାଉ ପଞ୍ଚାୟତ ସମିତିର ସେଜୁ ପରିବାର ମାନବ ସେବା ସଂକଳ୍ପକୁ ସାକାର କରିବା ପାଇଁ ଅଙ୍ଗଦାନର ନିଷ୍ପତ୍ତି ନେଇଛନ୍ତି । ବାଡମେର ମେଡିକାଲ କଲେଜ ଜିଲ୍ଲା ହସ୍ପିଟାଲ ଅଧ୍ୟକ୍ଷକ ଡ. ବି.ଏଲ ମଂସୁରିଆଙ୍କୁ ପରିବାରର 12 ଜଣ ସଦସ୍ୟ ଅଙ୍ଗଦାନ ସଂକଳ୍ପ ପତ୍ର ହସ୍ତାନ୍ତର କରିଛନ୍ତି । ଅଙ୍ଗଦାନ ଘୋଷଣା କରିଥିବା ସଦସ୍ୟଙ୍କ ମଧ୍ୟରେ କମଳା ଦେବୀ, ଗୁଡି ଦେବୀ, ବୋରୀ ଦେବୀ, ଶାନ୍ତି ଦେବୀ, ରୁପୋ ଦେବୀ, ବିରୋଂ ଦେବୀ, ରତନରାମ ସେଜୁ, ବ୍ୟାଖାାତା ତ୍ରିଲୋକରାମ ସେଜୁ, ଅଧ୍ୟାପକ ଡାଲୁରାମ ସେଜୁ, ଶଙ୍କରଲାଲ ସେଜୁ, ମନମୋହନ ସେଜୁ ଓ ରାୟମଲ ରାମ ସେଜୁ ସାମିଲ ଅଛନ୍ତି ।

ଏହି ଅଙ୍ଗଦାନ ନିଷ୍ପତ୍ତିରେ ଘରର ସବୁଠାରୁ ବୟସ୍କ ରତନାରାମ ସେଜୁ ଓ ବୋରି ଦେବୀ ସାମିଲ ଅଛନ୍ତି । ଏମାନଙ୍କ ବୟସ 72 ବର୍ଷ ଅଟେ । ସେହିପରି ଘରର ସବୁଠାରୁ କନିଷ୍ଠ 28 ବର୍ଷୀୟ ଗୁଡି ଦେବୀ ବି ଏଥିରେ ସାମିଲ ଅଛନ୍ତି । ଅଙ୍ଗଦାନ ଘୋଷଣା କରିଥିବା ତିନି ପିଢିରେ ଜେଜେ ବାପା, ବାପା, ନାତି ଓ ପୁତ୍ରବଧୂ ସାମିଲ ଅଛନ୍ତି । ରାଜସ୍ଥାନରେ ଏହା ପ୍ରଥମ ଘଟଣା ଯେଉଁଠି ଏକାସାଙ୍ଗରେ ପରିବାରର ଏତେ ମାତ୍ରାରେ ସଦସ୍ୟ ଅଙ୍ଗଦାନ କରିବାର ନିଷ୍ପତ୍ତି ନେଇଛନ୍ତି ।

ହସ୍ପିଟାଲ ଅଧ୍ୟକ୍ଷ ଡ. ବିଏଲ ମଂସୁରିଆ କହିଛନ୍ତି ଗୋଟିଏ ପରିବାରର 12 ଜଣ ସଦସ୍ୟ ଅଙ୍ଗଦାନର ଘୋଷଣା କରିଛନ୍ତି । ଯାହାକି ନିଶ୍ଚିତ ଭାବେ ପ୍ରଶଂସନୀୟ ପଦକ୍ଷେପ । ଏହାଦ୍ବାରା ମେଡିକାଲ କଲେଜରେ ଡାକ୍ତରଙ୍କୁ ମାନବ ଶରୀର ସମ୍ବନ୍ଧିତ ପ୍ରାୟୋଗିକ ପରୀକ୍ଷଣରେ ସାହାଯ୍ୟ ମିଳିବ । ସେ କହିଛନ୍ତି ଏହା କେବଳ ରାଜସ୍ଥାନରେ ନୁହେଁ ବରଂ ଦେଶରେ ପ୍ରଥମ ଘଟଣା ଯେଉଁଠି ଗୋଟିଏ ପରିବାରର ଏତେ ସଂଖ୍ୟାରେ ସଦସ୍ୟ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।ଏହାସହ ତାଙ୍କ ମେଡିକାଲ କ୍ୟାରିଅରରେ ବି ସେ ଏକତ୍ର 12 ସଦସ୍ୟ ଅଙ୍ଗଦାନ କରିବାର ନିଷ୍ପତ୍ତି ନେବା କେବେ ଶୁଣି ନଥିବା କହିଛନ୍ତି ।

0 Comments