ଚେନ୍ନାଇ: ଡିଏମକେ ଦ୍ୱାରା ଆୟୋଜିତ ଲୋକସଭା ସୀମା ପୁନଃନିର୍ଦ୍ଧାରଣ ଉପରେ ପ୍ରଥମ ମିଳିତ କାର୍ଯ୍ୟ କମିଟି- ଜେଏସି ବୈଠକ ଶନିବାର ଚେନ୍ନାଇରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ରାଜ୍ୟର ନେତାମାନେ ଯୋଗଦେଇ 'ନିରପେକ୍ଷ ସୀମା ପୁନଃନିର୍ଦ୍ଧାରଣ' ପାଇଁ ଆହ୍ୱାନ ଦେବା ସହିତ ଏକ ରାଜନୈତିକ ସହମତି ପ୍ରକାଶ କରିଛନ୍ତି। କାରଣ ସେମାନେ ଜନସଂଖ୍ୟା ଆଧାରରେ ଲୋକସଭା ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ କିପରି ଦକ୍ଷିଣ ରାଜ୍ୟଗୁଡ଼ିକର ସ୍ଥିତିକୁ ଦୁର୍ବଳ କରିବ ସେ ବିଷୟରେ ଆଲୋଚନା କରିଥିଲେ।
ଅତି କମରେ ପାଞ୍ଚଟି ରାଜ୍ୟର ପ୍ରାୟ ୧୪ ଜଣ ନେତା, ଯାହା ମଧ୍ୟରେ ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀ- ଏମ୍ କେ ଷ୍ଟାଲିନ (ତାମିଲନାଡୁ), ପିନାରାଇ ବିଜୟନ (କେରଳ), ଏ ରେୱନ୍ତ ରେଡ୍ଡୀ (ତେଲଙ୍ଗାନା) ଏବଂ ଭଗୱନ୍ତ ମାନ (ପଞ୍ଜାବ) ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ସେମାନେ ଉଚ୍ଚ ଆର୍ଥିକ ଅଭିବୃଦ୍ଧି ଏବଂ ସାକ୍ଷରତା ଥିବା ରାଜ୍ୟଗୁଡ଼ିକ ପାଇଁ ଲୋକସଭା ଆସନ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଦ୍ୱାରା ଉପୁଜିଥିବା 'ବିପଦ' ବିଷୟରେ ଆଲୋଚନା କରିଥିଲେ। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ଶିରୋମଣି ଅକାଳି ଦଳର କାର୍ଯ୍ୟକାରୀ ସଭାପତି ବଲବିନ୍ଦର ସିଂହ ଭୁନ୍ଦର ଏବଂ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍ କେରଳର ସାଧାରଣ ସମ୍ପାଦକ ପି ଏମ୍ ଏ ସଲାମ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ।
ବୈଠକକୁ ସମ୍ବୋଧିତ କରି ଷ୍ଟାଲିନ କହିଛନ୍ତି, "ଜନସଂଖ୍ୟା ଆଧାରରେ ଲୋକସଭା ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ "ଆମ ଭଳି ରାଜ୍ୟ" ଉପରେ ବ୍ୟାପକ ପ୍ରଭାବ ପକାଇବ।" ରାଜନୈତିକ ଏବଂ ଆଇନଗତ କାର
ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରିବାକୁ ଆହ୍ୱାନ କରିଥିଲେ ଷ୍ଟାଲିନ। ପ୍ୟାନେଲକୁ 'ନିରପେକ୍ଷ ସୀମା ପୁନଃନିର୍ଦ୍ଧାରଣ ପାଇଁ ମିଳିତ କାର୍ଯ୍ୟ କମିଟି' ଭାବେ ନାମିତ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ରାଜନୈତିକ ଲଢ଼େଇକୁ ଆଗକୁ ବଢ଼ାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ମତାମତ ଲୋଡ଼ିଥିଲେ।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଉଦବୋଧନ ଦେଇ କହିଥିଲେ, "ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ରାଜ୍ୟ ପ୍ରତି ଏକ "ଅନ୍ୟାୟ"। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ସମସ୍ତ ଦଳ ସହିତ ପରାମର୍ଶ କରିବା ପରେ ହିଁ ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ କରିବା ଉଚିତ। "କେନ୍ଦ୍ର ନିରନ୍ତର ଏପରି କାର୍ଯ୍ୟକଳାପରେ ଲିପ୍ତ ରହିଛି ଯାହା ରାଜ୍ୟଗୁଡ଼ିକୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ପାଇଁ ଲକ୍ଷ୍ୟ ରଖିଛି।" ନବୀନ କହିଛନ୍ତି, "ଯଦି ୨୦୨୬ ମସିହାର ଆକଳନ ଅନୁଯାୟୀ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ କରାଯାଏ, ତେବେ ଓଡ଼ିଶା ଅନେକ ଲୋକସଭା ଏବଂ ବିଧାନସଭା ଆସନ ହରାଇବ। ଏହା ପ୍ରଭାବଶାଳୀ ଭାବେ ସେମାନଙ୍କର ଜନସଂଖ୍ୟା ବୃଦ୍ଧି ପରିଚାଳନା କରିଥିବା ରାଜ୍ୟମାନଙ୍କ ପାଇଁ କ୍ଷତିକାରକ ହେବ।"
ବୈଠକରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିଜ ମତ ରଖି କହିଥିଲେ ଯେ, "ଲୋକସଭା ଆସନର ସୀମା ପୁନଃନିର୍ଦ୍ଧାରଣ 'ଡେମୋକ୍ଲିସଙ୍କ ଖଣ୍ଡା' ପରି ଝୁଲୁଛି ଏବଂ କେନ୍ଦ୍ରର ବିଜେପି ସରକାର କୌଣସି ପରାମର୍ଶ ବିନା ଏହି ପ୍ରସଙ୍ଗରେ ଆଗକୁ ବଢ଼ୁଛି। ହଠାତ୍ ଏହି ପଦକ୍ଷେପ ସାମ୍ବିଧାନିକ ନୀତି କିମ୍ବା ଗଣତାନ୍ତ୍ରିକ ବାଧ୍ୟବାଧକତା ଦ୍ୱାରା ପରିଚାଳିତ ନୁହେଁ ବରଂ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ଦ୍ୱାରା ପରିଚାଳିତ। ଜନଗଣନା ପରେ ଯଦି ସୀମା ନିର୍ଦ୍ଧାରଣ କରାଯାଏ, ତେବେ ଉତ୍ତର ରାଜ୍ୟଗୁଡ଼ିକ ପାଇଁ ଆସନ ବୃଦ୍ଧି ହେବ ଏବଂ ଦକ୍ଷିଣ ରାଜ୍ୟଗୁଡ଼ିକ ପାଇଁ ହ୍ରାସ। ଦକ୍ଷିଣ ପାଇଁ ଆସନ ହ୍ରାସ ଏବଂ ଉତ୍ତର ପାଇଁ ବୃଦ୍ଧି, ବିଜେପି ପାଇଁ ଉପଯୁକ୍ତ ହେବ। କାରଣ ଏହାର ଉତ୍ତରରେ ଅଧିକ ପ୍ରଭାବ ରହିଛି।"
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ତ ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ, "ଯଦି ବିଜେପି ଜନସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ କରେ, ତେବେ ଦକ୍ଷିଣ ଭାରତ ତା'ର ରାଜନୈତିକ ସ୍ୱର ହରାଇବ ଏବଂ 'ଉତ୍ତର ଆମକୁ ସେକେଣ୍ଡାରୀ ସିଟିଜେନ କରିବ'। ଦକ୍ଷିଣ ଜନସଂଖ୍ୟା ଆଧାରିତ ସୀମା ପୁନଃନିର୍ଦ୍ଧାରଣକୁ ଗ୍ରହଣ କରିବ ନାହିଁ" ବୋଲି ଜୋର ଦେଇ ରେଡ୍ଡୀ କେନ୍ଦ୍ରକୁ ସୀମା ପୁନଃନିର୍ଦ୍ଧାରଣ ସମୟରେ ଲୋକସଭା ଆସନ ସଂଖ୍ୟା ବୃଦ୍ଧି ନକରିବାକୁ ଅନୁରୋଧ କରିଥିଲେ।"
ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ସମ୍ପର୍କିତ ପରବର୍ତ୍ତୀ ବୈଠକ ତେଲଙ୍ଗାନାର ହାଇଦ୍ରାବାଦରେ ଅନୁଷ୍ଠିତ ହେବବୋଲି ଷ୍ଟାଲିନ୍ ସୂଚନା ଦେଇଛନ୍ତି।
ବୈଠକରେ JAC ଏକ ସଂକଳ୍ପ ପାରିତ କରିଛି, ଯେଉଁଥିରେ "ବିଭିନ୍ନ ଅଂଶୀଦାରଙ୍କ ସହିତ କୌଣସି ପରାମର୍ଶ ବିନା ଆସନ୍ନ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ସ୍ପଷ୍ଟତାର ଅଭାବ ଉପରେ ଗଭୀର ଚିନ୍ତା" ପ୍ରକାଶ କରାଯାଇଛି।