ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ବୁଧବାର ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ 2024 ଉପସ୍ଥାପନ କରିବେ। କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏପ୍ରିଲ ୨ ତାରିଖ ପ୍ରଶ୍ନକାଳ ପରେ ଏହି ବିଲକୁ ବିଚାର ପାଇଁ ପଠାଯିବ ଏବଂ ପାରିତ କରିବାକୁ ପ୍ରୟାସ କରାଯିବ। ସେ କହିଛନ୍ତି ଯେ, ଏହି ବିଧେୟକ ଉପରେ 8 ଘଣ୍ଟା ଆଲୋଚନା ହେବାର ସମ୍ଭାବନା ରହିଛି। ଏପରିକି ଆବଶ୍ୟକ ପଡ଼ିଲେ ସମୟସୀମା ବୃଦ୍ଧି ମଧ୍ୟ କରାଯିବ।

ରିଜିଜୁ କହିଛନ୍ତି ଯେ, ଯଦି ଗୃହ ଅନୁଭବ କରେ ଯେ ଆଲୋଚନା ପାଇଁ ସମୟ ବଢ଼ାଇବାକୁ ହେବ, ତେବେ ସମୟ ବଢ଼ାଯାଇପାରିବ। କିନ୍ତୁ ଯଦି ବିରୋଧୀ ଦଳ କିଛି ବାହାନା କରନ୍ତି ଏବଂ ଆଲୋଚନାରେ ଭାଗ ନେବାକୁ ଚାହାଁନ୍ତି ନାହିଁ, ତେବେ ଆମେ ଏହାକୁ ବନ୍ଦ କରିପାରିବୁ ନାହିଁ। ଆମେ ଆଲୋଚନା ଚାହୁଁ। ପ୍ରତ୍ୟେକ ରାଜନୈତିକ ଦଳର ନିଜର ମତ ପ୍ରକାଶ କରିବାର ଅଧିକାର ରହିଛି। ସଂଶୋଧନ ବିଲ୍ ଉପରେ କେଉଁ ରାଜନୈତିକ

ଦଳର କ'ଣ ଆଭିମୁଖ୍ୟ ରହିଛି ତାହା ଦେଶ ଜାଣିବାକୁ ଚାହୁଁଛି। ଏହି ଜିନିଷ ହଜାରେ ବର୍ଷ ଧରି ରେକର୍ଡ ରହିବ। ସଂଶୋଧନ ବିଲକୁ କିଏ ବିରୋଧ କରିଛି ଏବଂ କିଏ ଏହାକୁ ସମର୍ଥନ କରିଛି ତାହା ରେକର୍ଡରେ ରହିବ।

ରିଜିଜୁ କହିଛନ୍ତି, "ଏପ୍ରିଲ 2ରେ ପ୍ରଶ୍ନକାଳ ପରେ, ମୁଁ ସଂଶୋଧନ ବିଲକୁ ବିଚାର ଏବଂ ପାରିତ କରିବାପାଇଁ ଉପସ୍ଥାପନ କରିବାକୁ ଚାହୁଁଛି। ଆମେ 8 ଘଣ୍ଟା ଆଲୋଚନା ପାଇଁ ରାଜି ହୋଇଛୁ।"

ସୋମବାର କେନ୍ଦ୍ରମନ୍ତ୍ରୀ ରିଜିଜୁ ୱାକଫ୍ ସଂଶୋଧନ ବିଲ୍ ସମ୍ପର୍କରେ ବିଜେପି ମୁଖ୍ୟାଳୟରେ ମୁଖପାତ୍ରଙ୍କୁ ସୂଚନା ଦେଇଛନ୍ତି। ଏହି ବୈଠକରେ ରିଜିଜୁ ମୁସଲମାନ ସମ୍ପ୍ରଦାୟ ପାଇଁ ଏହାର ଲାଭ ଉପରେ ଆଲୋକପାତ କରି ବିଲର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ରିଜିଜୁ କହିଛନ୍ତି ଯେ, ଏହି ବିଲ୍ ଧାର୍ମିକ ଅନୁଷ୍ଠାନର ସ୍ୱାଧୀନତାକୁ ବାଧା ଦେଉନାହିଁ ଏବଂ ଯେଉଁମାନଙ୍କୁ ପୂର୍ବରୁ ଏହି ଅଧିକାର ନଥିଲା ସେମାନଙ୍କୁ ଅଧିକାର ଦେବା ପାଇଁ ଡିଜାଇନ୍ କରାଯାଇଛି। ୱାକଫ୍ ପରିଚାଳନାରେ ଉନ୍ନତି ଆଣିବା, ସ୍ୱଚ୍ଛତା ଏବଂ ଡିଜିଟାଲାଇଜେସନ ବୃଦ୍ଧି କରିବା ଏହି ବିଲ୍‌ର ଉଦ୍ଦେଶ୍ୟ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ତେବେ ବିରୋଧୀଦଳ ସମେତ ଅନେକ ମୁସଲମାନ ସଂଗଠନ ୱାକଫ୍ ସଂଶୋଧନ ବିଲକୁ ତୀବ୍ର ସମାଲୋଚନା କରିଛନ୍ତି ଏବଂ ଏହାକୁ 'ଅସାମ୍ବିଧାନିକ' ବୋଲି କହିଛନ୍ତି। ବିରୋଧୀ ଅଭିଯୋଗ କରିଛନ୍ତି ଯେ, ବିଜେପି ମୁସଲମାନମାନଙ୍କ ଅଧିକାରକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛି।

ୱାକଫ୍ ସଂଶୋଧନ ବିଲ୍କୁ ବିରୋଧ କରି ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ସାଂସଦ ଆସାଦୁଦ୍ଦିନ ଓୱେସି କହିଛନ୍ତି ଯେ, ଏହି ବିଲ୍ ଅସାମ୍ବିଧାନିକ ଏବଂ ଭାରତୀୟ ସମ୍ବିଧାନର ଧାରା 14, 25, 26 ଏବଂ 29ର ଗୁରୁତର ଉଲ୍ଲଂଘନ। ଓୱେସି କହିଛନ୍ତି ଯେ, ଏହା ହେଉଛି 'ୱାକଫ୍ ଧ୍ୱଂସ ବିଲ୍'। ହାଇଦ୍ରାବାଦ ସାଂସଦ ଓୱେସି ବିଜେପି ନେତୃତ୍ୱାଧୀନ ଏନଡିଏରେ ଥିବା ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁ, ଚିରାଗ ପାସୱାନ ଏବଂ ଜୟନ୍ତ ଚୌଧୁରୀଙ୍କ ୱାକଫ ସଂଶୋଧନ ବିଲ୍କୁ ସମର୍ଥନ କରିବାର କାରଣ ଉପରେ ପ୍ରଶ୍ନ କରିଛନ୍ତି।

ଗତ ବର୍ଷ ଅଗଷ୍ଟରେ ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଆଗତ କରାଯାଇଥିଲା। ବିରୋଧୀଙ୍କ ବିରୋଧ ପରେ ଏକ ମିଳିତ ସଂସଦୀୟ କମିଟି- ଜେପିସି ଗଠନ କରାଯାଇଥିଲା। ଗତ ମାସରେ ଜେପିସି ଏହାର ରିପୋର୍ଟ ଦାଖଲ କରିଥିଲା। ପରେ କେନ୍ଦ୍ର କ୍ୟାବିନେଟ୍ ଜେପିସି ଦ୍ୱାରା ଦିଆଯାଇଥିବା ପରାମର୍ଶ ଏବଂ ସଂଶୋଧନକୁ ଅନୁମୋଦନ କରିଥିଲା।

0 Comments