ବୀରତ୍ବର ପରିଚୟ ଦେଇ ଓଡ଼ିଆ ଯବାନ ଶହୀଦ । ଭୂସ୍ଖଳନ ସମୟରେ ପରୋପକାର କରିବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଲେ । ଷଷ୍ଠ ବାଟାଲିୟନ, ବିହାର ରେଜିମେଣ୍ଟରେ ହାବିଲଦାର ତଥା ଓଡ଼ିଆ ପୁଅ ରାଜକିଶୋର ମୁଣ୍ଡା ଅରୁଣାଚଳପ୍ରଦେଶର ତାଓ୍ବାଙ୍ଗା ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଆଜି ଭୁବନେଶ୍ୱରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଶହୀଦ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିବା ପରେ ପ୍ରଶାସନିକ, ପରିବାର ଓ ବନ୍ଧୁ ପରିଜନ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ଏନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥି ସହ ପ୍ରତିରକ୍ଷା ବିଭାଗର ଯବାନ ଓ ବରିଷ୍ଠ ଅଧିକାରୀ ମଧ୍ୟ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରାଷ୍ଟ୍ରୀୟ ସମ୍ମାନ ଗାର୍ଡ ଅଫ ଅନର ଦେବା ସହ ପ୍ରଶାସନିକ ଓ ପୋଲିସ ଅଧିକାରୀ ପ୍ରମୁଖ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି ।

ସେପଟେ ଅପରାହ୍ନରେ ଶହୀଦ ରାଜକିଶୋର ମୁଣ୍ଡାଙ୍କ ପାର୍ଥିବ ଶରୀର କ

େନ୍ଦୁଝରରେ ପହଞ୍ଚିବା ପରେ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ଅବସରପ୍ରାପ୍ତ ସେନା କର୍ମଚାରୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଶହୀଦଙ୍କ ପାର୍ଥିବ ଶରୀରକୁ ପୈତୃକ ଗ୍ରାମ ନୂଆଗାଁକୁ ଶେଷକୃତ୍ୟ ପାଇଁ ନିଆଯାଇଥିଲା । ଶହୀଦ ରାଜକିଶୋର ମୁଣ୍ଡା ଅମର ରହେ ଧ୍ଵନିରେ ଚତୁଃର୍ଦିଗ ପ୍ରକମ୍ପିତ ହୋଇଉଠିଥିଲା । ଜିଲ୍ଲାପାଳ ଵିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, କେନ୍ଦୁଝର ସଦର ବିଡ଼ିଓ ବିନୋଦ କୁମାର ପଣ୍ଡା, ତହସିଲଦାର ଶୁଭେନ୍ଦୁ କୁମାର ସାହୁ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ତଥା ପୋଲିସ ଅଧିକାରୀଙ୍କ ସମେତ ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହିଥିଲେ ।

ସୂଚନା ଥାଉ କି, କେନ୍ଦୁଝର ସଦର ବ୍ଲକ ନୂଆଗାଁ ପଞ୍ଚାୟତ ନୂଆଗାଁର ଯବାନ ରାଜକିଶୋର ମୁଣ୍ଡାଙ୍କ ଗତ ୨୯ ତାରିଖ ଅରୁଣାଞ୍ଚଳପ୍ରଦେଶ ତାୱାଙ୍ଗ ଠାରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ସେନାଙ୍କୁ ନେଇ ସେ ଯାଉଥିବାବେଳେ ଏକ ଭୂସ୍ଖଳନ ବା ପଥର ତାଙ୍କର ଗାଡିରେ ଉପରେ ପଡିବା ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ସେ ଅନ୍ୟ ଏକ ଗାଡ଼ିକୁ ବଞ୍ଚାଇବାକୁ ଯାଇ ନିଜ ଗାଡିର ଷ୍ଟେୟରିଙ୍ଗରେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ବର୍ଗତଃ ରାଜକିଶୋରଙ୍କ ସ୍ତ୍ରୀ, ଦୁଇ ଝିଅ ରହିଛନ୍ତି ।

0 Comments