ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ମାଟି ମାଆ ପ୍ରକୃତିର ପରମ୍ପରାର ନିଆରା ପର୍ବ ନୂଆଖାଇ । ସେଥିପାଇଁ ଉତ୍ସବ ମୁଖର ଗାଁଠୁ ସହର । ପରିବାର ସମସ୍ତେ ମିଶି ଖାଇବେ ନୂଆ । ଯିଏ ଯେଉଁଠି ଥାଉ ନୂଆଖାଇ ଆସିଲେ ଘର ମୁହାଁ ହୁଅନ୍ତି । କୃଷି ଭିତ୍ତିକ ଏହି ପର୍ବ ପଶ୍ଚିମ ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ସହରରେ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ନୂଆଖାଇ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।

ସମ୍ବଲପୁର ଜିଲ୍ଲାର ଗାଁରୁ ସହର ସବୁଠି ଖୁସିର ମାହୋଲ ପରିଲକ୍ଷିତ ହୋଇଛି । ନୂଆଖାଇ ପାଇଁ ପରିବାରର ଯିଏ ଯେଉଁଠି ଥିଲେ ମଧ୍ୟ ଘରକୁ ଫେରୁଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ନୂଆଖାଇ ପାଇଁ ବଜାରରେ ପ୍ରବଳ ଭିଡ଼ ।

ନୂଆଖାଇ ହେଉଛି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣ ପର୍ବ । ଏହା ମୁଖ୍ୟତଃ ଏକ ଚାଷୀର ପର୍ବ । ପରମ୍ପରା ମୁତାବକ ଏହି ପର୍ବ ପାଳନ ସମୟରେ ପରିବାରର ସମସ୍ତ ସଦସ୍ୟ ଘରେ ଉପସ୍ଥିତ ରହିବା ନିହାତି ଆବଶ୍ୟକ । ଜଣେ ବି ଅନୁପସ୍ଥିତ ରହିଲେ ଏହା ପାଳନ ହୋଇ ପାରିନଥାଏ । ତେଣୁ ଯିଏ ଯେତେ ଦୂରରେ ଥିଲେ ମଧ୍ୟ ଘରକୁ ଆସିବାର ପରମ୍ପରା ରହିଛି । ଏହି ପର୍ବ ପୂର୍ବରୁ ଘର ଦ୍ୱାରା ସବୁ ସଫା କରାଯାଇ ରଙ୍ଗ ବୋଳାଯାଏ । ମନ୍ଦିର ମଧ୍ୟ ସଫେଇ କରାଯାଇ ରଙ୍ଗ ବୋଳାଯାଏ l ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ନୂଆ ବସ୍ତ୍ର ଅନିବାର୍ଯ୍ୟ ହୋଇଥାଏ । ଗରିବ ହେଉକି ଧନୀ ନିଜର ଶକ୍ତି ଅନୁସାରେ ସମସ୍ତଙ୍କ ପାଇଁ ନୂଆ ବସ୍ତ୍ର କିଣାଯାଏ ।

ନୂଆଖାଇ ଦିନ ସକାଳୁ ସ୍ନାନ କରିବା ପରେ ସମସ୍ତ ସଦସ୍ୟ ନୂଆ ବସ୍ତ୍ର ପରିଧାନ କରନ୍ତି । ମହିଳା ମାନେ ଘରେ ବିଭିନ୍ନ ପ୍ରକାର ପିଠା, ଖିରି ତିଆରି କରନ୍ତି । ତେବେ ଖିରିଟି ନୂଆ ଧାନର ଚାଉଳରେ ତିଆରି ହୋଇଥାଏ । ଏହି ସବୁ ଖିରି ପିଠାକୁ ପରିବାରର ସବୁଠାରୁ ବଡ଼ ପୁଅ ନିଜର ଇଷ୍ଟ ଦେବା ଦେବୀଙ୍କୁ ନୈବେଦ୍ୟ ଆକାରରେ ଅର୍ପଣ କରିବା ସହ ନିଜର ପୂର୍ବ ପୁରୁଷଙ୍କୁ ପୂଜା କରିଥାଏ । ଏହା ବହୁ ନିଷ୍ଠାର ସହ କରାଯାଏ । ପୂଜାପାରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆ ଚାଉଳ ଖିରିକୁ ପ୍ରାସାଦ ଆକାରରେ ସେବନ କରନ୍ତି l ଏହି ଖିରିକୁ ବିଭିନ୍ନ ଜାତିର ଲୋକେ ଭିନ୍ନ ଭିନ୍ନ ଗଛର ପତ୍ରରେ ସେବନ କରିବାର ବ୍ୟବସ୍ଥା ରହିଛି । ଏହା ପରେ ପରିବାରର କନିଷ୍ଠ ମାନେ ବରିଷ୍ଠ ମାନଙ୍କୁ ଜୁହାର ବା ମୁଣ୍ଡିଆ ମାରନ୍ତି ଓ ବରିଷ୍ଠ ମାନେ କନିଷ୍ଠ ମାନଙ୍କୁ ଆଶୀର୍ବାଦ ଦିଅନ୍ତି । ପରେ ଘରେ ଘରେ ବିଭିନ୍ନ ପ୍ରକାର ପିଠା ଓ ବ୍ୟଞ୍ଜନ ତିଆରି ହୋଇଥାଏ ଯାହାକୁ ସମସ୍ତେ ସେବନ କରିବାର ଵିଧି ରହିଛି l ଏହା ପରେ ଘରୁ ବାହାରି ପଡା

ଅଥବା ସାହିର ସମସ୍ତଙ୍କୁ ସମସ୍ତେ ଜୁହାର ହେବାର ବିଧି ରହିଛି । ଏହାକୁ ଜୁହାର ଭେଟ କାର୍ଯ୍ୟକ୍ରମ କୁହାଯାଏ l 

ଅପରାହ୍ନରେ ଗାଁ ସାହିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହାକୁ ନୂଆଖାଇ ଭେଟଘାଟ କୁହାଯାଏ । ଏହି ପର୍ବ ବାସ୍ତବରେ ସାମାଜିକ, ପାରିବାରିକ ଓ ଆଧ୍ୟାତ୍ମିକ ଦର୍ଶନକୁ ବହନ କରିଥାଏ । ଏହା ସହ ଏହି ପର୍ବ ପ୍ରକୃତି ପୂଜା ଓ ବଡ଼ଙ୍କୁ ସମ୍ମାନର ଶିକ୍ଷା ଦେଇଥାଏ ।

ସଂସ୍କୃତି ଗବେଷକଙ୍କ ମତରେ ଏହା କେବେ ଆରମ୍ଭ ହୋଇଛି କେହି ଜାଣି ନାହାନ୍ତି । ତେଣୁ ଏହାକୁ ଆଦି ପର୍ବ କୁହାଯାଏ । ସମ୍ବଲପୁରର ଇତିହାସକୁ ଯଦି ଦେଖିବା ତାହାଲେ ଏହାକୁ ବହୁ ବର୍ଷ ପୂର୍ବରୁ ଏଠିକାର ଅଧିବାସୀ ପାଳନ କରୁଥିଲେ । ତେବେ 1500 ଶତାବ୍ଦୀର ପ୍ରାରମ୍ଭରେ ସମ୍ବଲପୁରକୁ ଚୌହାନ ବଂଶୀୟ ରାଜା ମାନେ ଆଗମନ କଲାପରେ ସେମାନେ ମା’ ସମଲେଶ୍ୱରୀଙ୍କୁ ଇଷ୍ଟ ଦେବୀ ଭାବେ ଗ୍ରହଣ କରିବା ସହ ନୂଆଖାଇ ପର୍ବକୁ ପାଳନ କରୁଥିଲେ । ତେବେ ଭିନ୍ନ ଭିନ୍ନ ରାଜ୍ୟର ରାଜା ମାନେ ଭିନ୍ନ ଭିନ୍ନ ଦିନରେ ଏହାକୁ ପାଳନ କରି ଆସୁଥିଲେ । ସେହି ଦିନ ଠାରୁ ଏହା ଚାଲି ଆସୁଛି l

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ । ନୂଆଖାଇ ପାଇଁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥାଏ । ନୂଆଖାଇ ଦିନ ପୂର୍ବରୁ ସମଲେଶ୍ୱରୀ ମନ୍ଦିରର ସଫେଇ କରାଯାଇ ରଙ୍ଗ ବୋଳାଯାଏ l ଏହା ପରେ ମା’ଙ୍କ ଗହଣା ଅଳଙ୍କାର ସଫେଇ କରାଯାଇଥାଏ । ଏହା ସହ ନୂଆଖାଇ ପୂର୍ବରୁ ପାର୍ଶ୍ଵ ଦେବାଦେବୀଙ୍କୁ ସିନ୍ଦୁର ବୋଳାଯାଇଥାଏ । ନୂଆଁଖାଇ ଦିନର ଗୋଟିଏ ଦିନ ପୂର୍ବରୁ ମୂଖ୍ୟ ପୂଜକଙ୍କ ସହ ସମସ୍ତ ପୂଜକଙ୍କ ଘରେ ପିଠା ପଣା ଆଦିର ପ୍ରସ୍ତୁତି ହୋଇଥାଏ l ମୁଖ୍ୟତଃ ତିଆରି ହୋଇଥିବା ନବାନ୍ନ ବା ନୂଆ ଚାଉଳର ଭୋଗକୁ ଗୁପ୍ତ ସ୍ଥାନରେ ରଖାଯାଇଥାଏ । ଏହା ପାଇଁ ନୂଆଖାଇ ଦିନ ଭୋର 4ଟାରୁ ମା’ଙ୍କ ମନ୍ଦିରର ଗମ୍ଭୀରା ଭିତରକୁ ପୂଜକ ମାନେ ଯାଇ ଗଙ୍ଗାଜଳରେ ମା’ଙ୍କ ସ୍ନାନ କରେଇବା ସହ ମା’ଙ୍କୁ ଅଳଙ୍କାରର ପାଟବସ୍ତ୍ର ପରିଧାନ କରେଇଥାନ୍ତି । ପରେ ଗମ୍ଭୀରାର କବାଟ ବନ୍ଦ କରିଦିଆଯାଏ । ଏହା ପରେ ଏହି ଦିନ ମଙ୍ଗଳ ଆଳତୀ ସକାଳୁ ହୋଇ ନଥାଏ l ପରେ ନବାନ୍ନ ଲାଗିର ଶୁଭଲଗ୍ନର କିଛି ସମୟ ପୂର୍ବରୁ ମୂଖ୍ୟ ପୂଜକଙ୍କ ସହ ଅନ୍ୟ ପୂଜକଙ୍କ ଘରୁ ମା’ଙ୍କ ପାଖକୁ ନବାନ୍ନ ଭୋଗ ଯାଇଥାଏ । ସେହି ଭୋଗ ମାଙ୍କୁ ଲଗାଯିବା ପରେ 115 ପାର୍ଶ୍ଵ ଦେବା ଦେବୀଙ୍କୁ ଭୋଗ ଲଗାଯାଏ ।ଏହା ପରେ ମା’ଙ୍କ ମଙ୍ଗଳ ଆଳତୀ ହୋଇଥାଏ । ପରେ ମା’ଙ୍କ ପାଖରେ ଲାଗିଥିବା ନବାନ୍ନକୁ ପୂଜକ ମାନେ ନିଜ ଘରକୁ ନେଇ ଅନ୍ୟ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା ପରେ ନିଜେ ନବାନ୍ନ ଭକ୍ଷଣ କରିବାର ପରମ୍ପରା ରହିଛି । ଏହା ପରେ ସହରବାସୀ ମା’ଙ୍କ ଦର୍ଶନ କରିବା ସହ ମା’ଙ୍କ ଠାରୁ ନବାନ୍ନ ଭୋଗ ନେଇ ନିଜ ନିଜ ଘରେ ନୂଆଖାଇ ପାଳନ କରନ୍ତି ।

ଯଦି ଆମେ ନିକଟର ଇତିହାସକୁ ଦେଖିବା ତାହେଲେ ନୂଆଖାଇ ଦିନ ପୂର୍ବରୁ ସରକାରୀ ଛୁଟି ନଥିଲା । ତେବେ 1991 ମସିହାରେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାର ବୁଦ୍ଧିଜୀବୀ, ପଣ୍ଡିତ, ପ୍ରମୁଖ ବ୍ୟକ୍ତି ବିଶେଷ ସମ୍ବଲପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଡିଶା ସାଂସ୍କୃତିକ ସମାଜର ନେତୃତ୍ୱରେ ଏକ ବୈଠକ କରି ସମଗ୍ର ପଶ୍ଚିମ ଓଡିଶାରେ ଭାଦ୍ରଵ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଅର୍ଥାତ ଗଣେଶ ପୂଜା ପରବର୍ତ୍ତୀ ଦିନ ଗୋଟିଏ ଦିନରେ ନୂଆଖାଇ ପାଳନ କରିବାର ନିଷ୍ପତ୍ତି ନେବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଭେଟିଥିଲେ l ଏହା ପରେ ବିଜୁ ପଟ୍ଟନାୟକ ସେହି ଦିନକୁ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରି ପଶ୍ଚିମ ଓଡିଶା ବାସୀଙ୍କୁ ନୂଆଖାଇ ଭେଟି ଦେଇଥିଲେ l ଏହା ପରେ ଓଡିଶା ଗେଜେଟରେ ଏହି ଛୁଟି ବିଷୟରେ ପ୍ରକାଶିତ ହୋଇଥିଲା । ସେହି ଦିନ ଠାରୁ ବ୍ୟାଙ୍କ ଗୁଡିକରେ ମଧ୍ୟ ନୂଆଖାଇ ଛୁଟି ସ୍ଥାନ ପାଇଥିଲା । ତେବେ ସମ୍ବଲପୁରର ନୂଆଖାଇ ପାଇଁ ଶୁଭଲଗ୍ନ ପ୍ରତ୍ୟେକ ବର୍ଷ ନନ୍ଦଉତ୍ସବ ଦିନ ବା ଜନ୍ମାଷ୍ଟମୀ ପରବର୍ତୀ ଦିନ ସମ୍ବଲପୁରର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମାନେ ବାହାର କରିଥାନ୍ତି l


0 Comments