ପୁରୀ: ଶ୍ରୀମନ୍ଦିର ଇତିହାସରେ ଆସନ୍ତାକାଲି ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛ
। ଦୀର୍ଘ ୪୭ ବର୍ଷ ପରେ ପୁନର୍ବାର ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତାକାଲି ଦିନ ୧୨ ଟା ୯ ମିନିଟ୍ ରୁ ୧ ଟା ୪୫ ପର୍ଯ୍ୟନ୍ତ ରହିଛି ଶୁଭ ବେଳା । ଏହି ଶୁଭ ବେଳାରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସ୍ଥିରୀକୃତ ହୋଇଛି । ଏହି ସମୟ ମଧ୍ୟରେ ରତ୍ନ ଅଳଙ୍କାରର ଗଣତି ମଣତି ଟିମ୍ ସଦସ୍ୟମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପ୍ରବେଶ କରିବେ। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦିନ ଧାର୍ଯ୍ୟ କରାଯାଇ ପର୍ଯ୍ୟାୟ କ୍ରମେ ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ କାର୍ଯ୍ୟ କରାଯିବ। ଗଣତି ମଣତି ସମୟରେ ସିସିଟିଭି ଲଗାଯିବ । ସମସ୍ତ ରତ୍ନ ଅଳଙ୍କାରର ଭିଡିଓ ଏବଂ ଫଟୋଗ୍ରାଫି କରାଯିବ। ଏଥିସହ ସମସ୍ତ ରତ୍ନ ଅଳଙ୍କାରର ଡିଜିଟାଲ କ୍ୟାଟଲକ କରାଯିବ । ଯଦ୍ୱାରା ଆଗାମୀ ଦିନରେ ରତ୍ନ ଅଳଙ୍କାରର ଗଣତି ମଣତି ସମୟରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ।
୧୯୭୮ ମସିହାରେ ଶେଷଥର ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ଏହି କାମ ଦୀର୍ଘ ୭୨ ଦିନ ଧରି ଚାଲିଥିଲା। ୨୦୨୬ରେ ହେବାକୁ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଏସଓପି ଅନୁଯାୟୀ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ। ଗଣତି ମଣତି କାର୍ଯ୍ୟକୁ ନେଇ ଯେଭଳି ମହାପ୍ରଭୁଙ୍କ ଦୈନନ୍ଦିନ ନୀତି କାନ୍ତି ଓ ଭକ୍ତଙ୍କ ଦର୍ଶନ ପ୍ରଭାବିତ ନହୁଏ ତା'କୁ ଦୃଷ୍ଟିରେ ରଖାଯିବ । ସେଥିପାଇଁ ଶନିବାର, ରବିବାର, ବିଭିନ୍ନ ପର୍ବପର୍ବାଣି ସମେତ ଭକ୍ତଙ୍କ ଭିଡ଼ ଥିବା ଦିନମାନଙ୍କରେ ଗଣତି ମଣତି କାର୍ଯ୍ୟ ହେବ ନାହିଁ । ଶ୍ରୀମନ୍ଦିର କମାଣ୍ଡରଙ୍କ ଦ୍ବାରା ଯେଉଁ ଦିନ ଧାର୍ଯ୍ୟ କରାଯିବ ସେହିଦିନ ହିଁ ଅଧିକ ସମୟ ଦିଆଯାଇ ଗଣତି ମଣତି କାର୍ଯ୍ୟ କରାଯିବ।