ପାଟଣା (ବିଜୟ ମହାନ୍ତ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଧୀନ ଚେମେଣା ଗ୍ରାମ ପଞ୍ଚାୟତର ଧନୁର୍ଜୟପୁର ଗ୍ରାମରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଚତୁର୍ଥ ଗ୍ରାମସଭା ଶୁକ୍ରବାର ସଫଳତା ସହିତ ଅନୁଷ୍ଠିତ ହୋଇଛି। ଚେମେଣା ଗ୍ରାମ ପଞ୍ଚାୟତର ସରପଞ୍ଚ ହେମଲତା ନାଏକଙ୍କ ଅଧ୍ୟକ୍ଷତାରେ ଗ୍ରାମ ସଭାରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ଇଡ୍କୋ ଜମି ଅଧିଗ୍ରହଣ ଅଧିକାରୀ କୃଷ୍ଣ କିଶୋର ପାତ୍ର ଅତିରିକ୍ତ ଜିଲାପାଳ ତଥା ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ମହାନ୍ତ, ୱାର୍ଡମେମ୍ବର ଜାନକୀ ନାଏକ, ସହିତ ଅନେକ ଅଧିକାରୀ ଯୋଗଦେଇଥିଲେ। ସଭାରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଗ୍ରାମବାସୀଙ୍କ ମତାମତ ଗ୍ରହଣ କରାଯାଇଥିଲା। ଗ୍ରାମବାସୀ ନିଜ ଦାବି ଉପସ୍ଥାପନ କରି
କର ପିଛା ୫୦ କୋଟି ଟଙ୍କା ସହ ମୋଟ ୩୭ଟି ଦାବି ରଖିଥିଲେ। ଗ୍ରାମର ପ୍ରାୟ ୫୬.୧୧୦ ଡିସିମିଲି ଜମି ଅଧିଗ୍ରହଣ ପ୍ରସ୍ତାବ ଉପରେ ଲୋକମାନଙ୍କ ମତ ଗ୍ରହଣ କରାଯାଇଥିଲା।
ସମ୍ଭାବ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ସଭାସ୍ଥଳର ବିଭିନ୍ନ ପ୍ରବେଶ ପଥରେ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆଇନଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଉପଜିଲାପାଳ ଉମାଶଙ୍କର ଦଳେଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ନେହାଶିଷ ସାହୁ ଓ ଜ୍ୟୋତିର୍ମୟ ଭୁକ୍ତ, ଚମ୍ପୁଆ ଏସ୍ଡିପିଓ ରଶ୍ମୀରଞ୍ଜନ ସାହୁ, କେନ୍ଦୁଝର ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଇ, ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ଓ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୁଙ୍ଖଳା ରକ୍ଷା କରିଥିଲେ। ଗ୍ରାମ ସଭା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ଜଣାପଡ଼ିଛି।