ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ନିଷ୍ପତ୍ତି । ନିୟମିତ ହୋଇଛନ୍ତି ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକ । ଚାକିରୀରେ ଯୋଗଦାନ ସମୟରୁ ନିୟମିତ ହୋଇଛନ୍ତି ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକ । ୨୦୨୬ ଜାନୁୟାରୀ ପହିଲାରୁ ନିୟମିତ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧା ପାଇବେ । ଫଳରେ ଉପକୃତ ହେବେ ୧୩ ହଜାରରୁ ଅଧିକ ଶିକ୍ଷକ ।
k_8df048; font-size: 20px;">ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ କନିଷ୍ଠ ଶିକ୍ଷକ (Junior Teacher, Schematic)ଙ୍କୁ ନିୟମିତ କରିଛନ୍ତି । ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି । ଏହା ଦ୍ୱାରା ରାଜ୍ୟର ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହୋଇଛନ୍ତି । ଏହି ଶିକ୍ଷକମାନେ ସେମାନଙ୍କର ଚାକିରୀରେ ଯୋଗଦାନ ସମୟ ଠାରୁ ନିୟମିତ ହୋଇଛନ୍ତି । ତେବେ, ସେମାନେ ଚାକିରୀରେ ଯୋଗଦାନ ସମୟ ଠାରୁ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ Notional Benefit ପାଇବେ ।
୨୦୨୬ ଜାନୁୟାରୀ ପହିଲା ଠାରୁ ନିୟମିତ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ । ଏହି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ଆଜି ଏହି ନିଷ୍ପତ୍ତି ଗ୍ରହଣ କରିବା ଦ୍ୱାରା ଶିକ୍ଷକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି ।
ସେହିପରି ଗତବର୍ଷ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ମାସିକ ୧୧ ହଜାର ୧୦୦ ଟଙ୍କା ମିଳୁଥିବା ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏହି ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ ୧୬,୦୦୦ ଟଙ୍କା ହୋଇଛି । ଏହା ସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ହୋଇଛି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ ୧୨ ,୫୪୩ ଟଙ୍କା ପ୍ରଦାନ କରୁଥିବା ବେଳେ ଏବେ ମାସକୁ ୧୭,୯୫୦ ଟଙ୍କା ପାଉଛନ୍ତି ।
ରାଜ୍ୟରେ ବର୍ତ୍ତମାନ ୧୩, ୭୪୦ ଜଣ ସ୍କିମାଟିକ କନିଷ୍ଠ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ଦରମା ବୃଦ୍ଧି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୮୯.୧୫ କୋଟି ଟଙ୍କା ବହନ କରିବେ ।