ଓଡ଼ିଶା ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ ୫ ଦିନ ଯାଏ ବଜ୍ରପାତ ସହ ପବନ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ଵର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ଆସନ୍ତାକାଲି(ମାର୍ଚ୍ଚ 30) କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଓ କେନ୍ଦୁଝର ଏହି ୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ଵର୍ଷା ଏବଂ ୩୦ ରୁ ୪୦ କିମି ଝଟକା ପବନର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏପ୍ରିଲ ୨ ତାରିଖ ଯାଏ ବିଜୁଳି ଘଡଘଡି ସହ ବର୍ଷା ବଜ୍ରପାତର ସମ୍ଭାବନା ଥିବା ବେଳେ କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ସେପଟେ ଖରାରେ ସିଜୁଛି ପଶ୍ଚିମ ଓଡ଼ିଶା । ୩ ସହରରେ ୩୯ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡରେ ତାପମାତ୍ରା 40 ଡିଗ୍ରୀ ଟପିଛି । ବର୍ଦ୍ଧିତ ତାପମାତ୍ରାକୁ ନେଇ ୨ ଦିନ ମଧ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କାରଣ ୪୦ ଡିଗ୍ରୀ ଉପରେ ବର୍ତ୍ତମାନର ତାପମାତ୍ରା ରହିଥିବା ବେଳେ ଆଗାମୀ ୨ ଦିନରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଏହାକୁ ନେଇ ରାଜ୍ୟରେ ୨ ଦିନ ମଧ୍ୟରେ ତାପମାତ୍ରା ୪୨ ରୁ ୪୩ ଡିଗ୍ରୀ ଛୁଇଁବ ବୋଲି ଆକଳନ କରିଛି ବିଭାଗ ।