ପୁରୀ: ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ। ଦିନ ୧୨ ଟା ୯ ମିନିଟରୁ ଅପରାହ୍ନ ୧ଟା ୪୫ ମଧ୍ୟରେ ଶୁଭ ମୁହୂର୍ତ୍ତ ଥିବାରୁ ଏହି ସମୟରେ ରତ୍ନଭଣ୍ଡାରକୁ ପ୍ରବେଶ କରିବେ ଗଣତି ମଣତି ପ୍ରକ୍ରିୟାରେ ସାମିଲ୍ ହେବାକୁ ଥିବା ଟିମର ସଦସ୍ୟମାନେ। ଗଣତି ମଣତି କାର୍ଯ୍ୟ କିପରି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପ

ାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ପୁରୀ ଗସ୍ତରେ ଆସି ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ଆଗାମୀ ଦିନରେ କିଭଳି ସୁରୁଖୁରୁରେ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସମାପନ ହେବ ସେନେଇ ସମସ୍ତ ଅଧିକାରୀ ଓ ପ୍ରାଧିକୃତ ସେବାୟତଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଗଣତି ମଣତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ।

ମନ୍ତ୍ରୀ କହିଛନ୍ତି , '୧୯୭୮ରେ ଶେଷଥର ପାଇଁ ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ହୋଇଥିଲା। ୨୦୨୬ ଗଣତି ମଣତିରେ ୧୯୭୮ ମସିହା ରତ୍ନ ଅଳଙ୍କାରର କେବଳ ମେଳକ କରାଯିବ। କିନ୍ତୁ ରତ୍ନ ଅଳଙ୍କାରର ମୂଲ୍ୟାୟନ କରାଯିବ ନାହିଁ। ଆରବିଆଇ ଅଧିକାରୀ, ସ୍ବର୍ଣ୍ଣକାର, ରତ୍ନ ପଥର ବିଶେଷଜ୍ଞ ଉପସ୍ଥିତ ରହି ସମସ୍ତ ରତ୍ନ ଅଳଙ୍କାର ଚିହ୍ନଟ କରିବା ପରେ ଏହାର ନାମକରଣ କରାଯାଇ ସୁରକ୍ଷିତ ଭାବେ ରଖାଯିବ। ସମସ୍ତ ରତ୍ନ ଅଳଙ୍କାରର ଡିଜିଟାଲ ଫଟୋଗ୍ରାଫି କରାଯିବ। ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଯେଭଳି ରତ୍ନ ଅଳଙ୍କାରର ସୁରକ୍ଷିତ ଭାବେ ରହିବ ତା'କୁ ଦୃଷ୍ଟିରେ ରଖାଯାଇ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏହାର ସମ୍ପୂର୍ଣ୍ଣ ତଥ୍ୟ ରଖାଯିବ। ଯାହାଫଳରେ ଆଗାମୀ ଦିନରେ ଗଣତି ମଣତି ହେଲେ ସୁବିଧାରେ ସମସ୍ତ କାର୍ଯ୍ୟ ହୋଇପାରିବ।

ତେବେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ନେଇ କିଛି ପ୍ରାକ୍ ପ୍ରସ୍ତୁତି ଚାଲିଥିଲା ଯେଉଁଥି ପାଇଁ କିଛି ସମୟ ଲାଗିଥିଲା। ତେବେ ଆସନ୍ତା ୨୫ ତାରିଖରେ ଗଣତି ମଣତି କାର୍ଯ୍ୟର ଶୁଭାରମ୍ଭ ହେବ।' ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଏସପି, ଜିଲାପାଳ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ, ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏହି ସମୀକ୍ଷା ବୈଠକରେ ଉପସ୍ଥିତି ଥିଲେ ।

0 Comments