ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ । ପଖାଳ କେବଳ ଖାଦ୍ୟ ନୁହେଁ ପ୍ରତିଟି ଓଡ଼ିଆଙ୍କ ଆବେଗ । ପିଲାଠୁ ବୃଦ୍ଧ ସଭିଏଁ ପଖାଳ ଖାଇ ପାଳୁଛନ୍ତି ପଖାଳ ଦିବସ । ଏପଟେ 'ପଖାଳ'ର ଲୋକପ୍ରିୟତାକୁ ଆହୁରି ବଢାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପାନ୍ଥ ନିବାସରେ ଏନେଇ ସ୍ୱତନ୍ତ୍ର ଵ୍ୟଵସ୍ଥା କରାଯାଇଛି । ରୋଷେଇ ଘରୁ ପ୍ରତିଟି ପ୍ଲେଟରେ ପଖାଳ ପରସିବା ପାଇଁ ‘ବିଲରୁ ବେଲା’ ଥିମରେ ବିଶ୍ୱ ଦରବାରରେ ପଖାଳକୁ ପହଞ୍ଚାଇବା ପାଇଁ ଏହି ଵ୍ୟଵସ୍ଥା କରାଯାଇଛି । ଏପଟେ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ବଡ଼ ସଫଳତା । ରେକର୍ଡ କଲା ୧,୧୭୪ କିଲୋଗ୍ରାମର ‘ପଖାଳ’ ପରିବେଷଣ । ‘ପଖାଳ’ ପରିବେଷଣ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ।
ପୁରଠୁ ପଲ୍ଲୀ ପଖାଳରେ ମହକୁଥିବା ବେଳେ ପାନ୍ଥନିବାସରେ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ 850 କିଲୋଗ୍ରାମ ଚାଉଳରେ ପ୍ରସ୍ତୁତ 1177 କିଲୋଗ୍ରାମର ପଖାଳ, ପାରମ୍ପରିକ ଓଡ଼ିଆ ପରିପାଟୀ ସହ 326 ପ୍ରକାର ବ୍ୟଞ୍ଜନ ରହିଥିବା ବେଳେ ପଖାଳ ଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ ବିଧାୟକ ।
ଦହି କଞ୍ଚାଲଙ୍କା ଆମ୍ବ କସିଆ
ଅଦା ପଡି ପୁରା ଗାଁ ଶୈଳୀରେ ଏଠାରେ ସୁଗନ୍ଧିତ ପଖାଳ ପ୍ରସ୍ତୁତ ହୋଇଥିବା ବେଳେ ଶାଗ,ବଡ଼ିଚୁରା, ଆଳୁ ଓ ବାଇଗଣର ଓ ଟମାଟୋ ପରଜା, ମାଛ ଭଜା ଭଳି ଆମିଷ ନିରାମିଷର 300ରୁ ଊର୍ଦ୍ଧ୍ବ ବ୍ୟଞ୍ଜନ ସହ ପଖାଳ ଖାଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ପିଜା, ବର୍ଗର ଯୁଗରେ ପଖାଳକୁ ଆଦରି ନେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । 104 କୋଟି 44 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ସ୍ଥାନରେ ପଖାଳ ପରସା ଯାଉଛି ।’
ଏହି ଅବସରରେ ପ୍ରବାସୀ ଓଡ଼ିଆଙ୍କ ସହ ଆଭାସି ମାଧ୍ୟମରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯେଉଁଥିରେ ମାଲେସିଆ, ଇଣ୍ଡୋନେସିଆ, ବାହାରିନ, ସିଙ୍ଗାପୁରରେ ଥିବା ପ୍ରବାସୀ ଓଡ଼ିଆ ଯୋଡି ହୋଇଥିଲେ । ଏଥିସହ ବିଶ୍ବ ଓ ଜାତୀୟ ସ୍ତରରେ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରୁଥିବା ସେଫ୍ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।