ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ । ଅଭିନେତାଙ୍କ ମୁମ୍ୱାଇର ବାନ୍ଦ୍ରା ସ୍ଥିତ ଘରେ ପଶି ଅଭିନେତାଙ୍କୁ ଛୁରୀରେ ଆକ୍ରମଣ କରିଛି ଦୁବୃର୍ତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ଚିନ୍ତିତ ହୋଇଛନ୍ତି । ସେପଟେ ଘଟଣାରେ ବାନ୍ଦ୍ରା ପୋଲିସ ମାମଲା ରୁଜୁ କରି ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ବାନ୍ଦ୍ରା ଅଞ୍ଚଳରେ ଥିବା ଅଭିନେତାଙ୍କ ଘରେ ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ଘରେ ପଶି ଚୋରି ଉଦ୍ୟମ କରିଥିଲେ । ଏହି ସମୟରେ ତାଙ୍କ ଘରୋଇ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଯେତେବେଳେ ଅଭିନେତା ଏଥିରେ ହସ୍ତକ୍ଷେପ କରିଥିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଯାହା ପରେ ଦୁବୃର୍ତ୍ତ ଅଭିନେତାଙ୍କୁ ଛୁରୀରେ ଏକାଧିକ ଥର ଆକ୍ରମଣ କରିଥିଲା ।
ସୈଫଙ୍କ କର୍ମଚାରୀମାନେ ତାଙ୍କୁ ଚିକିତ୍ସା କରାଇବା ପାଇଁ ଦୌଡ଼ିବା ଫଳ
ରେ ଏହାର ସୁଯୋଗ ନେଇ ଦୁବୃର୍ତ୍ତ ସେଠାରୁ ଖସି ଫେରାର୍ ହୋଇଥିଲା । ଯାହା ପରେ ସୈଫ ଅଲି ଖାନଙ୍କୁ ଗୁରୁତର ଆହତ ଅବସ୍ଥାରେ ବାନ୍ଦ୍ରାର ଲୀଲାବତୀ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ଘଟଣାର ଖବର ପାଇ ବାନ୍ଦ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଲୀଲାବତୀ ହସ୍ପିଟାଲର ଡାକ୍ତର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଭିନେତାଙ୍କୁ 6ଥର ଛୁରା ମାଡ଼ କରାଯାଇଛି । ଯାହା ମଧ୍ୟରୁ ଦୁଇଟି ସ୍ଥାନରେ ହୋଇଥିବା ଛୁରାମାଡ଼ରେ ଗଭୀର ଆଘାତ ଲାଗିଛି । ଲୀଲାବତୀ ହସ୍ପିଟାଲର ସିଇଓ ଡାକ୍ତର ନିରଜ ଉତ୍ତମମଣି କହିଛନ୍ତି ଯେ ସୈଫଙ୍କୁ ତାଙ୍କ ବାନ୍ଦ୍ରା ଘରେ ଜଣେ ଅଜ୍ଞାତ ବ୍ୟକ୍ତି ଛୁରା ମାଡ଼ କରିଥିଲେ ଏବଂ ତାଙ୍କୁ ସକାଳ 3:30 ରେ ଅଣାଯାଇଥିଲା । ଉତ୍ତମମଣି କହିଛନ୍ତି ଯେ ସୈଫଙ୍କ ଶରୀରରେ ଛଅଟି ଛୁରା ମାଡ଼ ହୋଇଛି ଏବଂ ଦୁଇଟି ଗଭୀର । ଏହା ମେରୁଦଣ୍ଡ ନିକଟରେ ହୋଇଛି । ନ୍ୟୁରୋସର୍ଜନ ଡାକ୍ତର ନୀତିନ ଡାଙ୍ଗେ, କସମେଟିକ୍ ସର୍ଜନ ଡାକ୍ତର ଲୀନା ଜୈନ ଆନାସ୍ଥେସିଆଲୋଜିଷ୍ଟ ଡାକ୍ତର ନିଶା ଗାନ୍ଧୀଙ୍କ ନେତୃତ୍ୱରେ ଡାକ୍ତରଙ୍କ ଏକ ଟିମ ତାଙ୍କର ଅସ୍ତ୍ରୋପଚାର କରୁଛନ୍ତି ।