ଭୁବନେଶ୍ବର: ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ ଜଗତର ଅଦ୍ବିତୀୟ ନାୟକ ଉତ୍ତମ ମହାନ୍ତି । ଭୁବନେଶ୍ବର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହିନ୍ଦୁ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର ହୋଇଥିବାବେଳେ ପୁଅ ବାବୁସାନ ଦେଇଛନ୍ତି ମୁଖାଗ୍ନି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତିମ ଦର୍

ନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିବାବେଳେ ପତ୍ନୀ ଅପରାଜିତା ଓ ପୁଅ ବାବୁସାନଙ୍କୁ ଭେଟି ସମବେଦନା ଜଣାଇଥିଲେ । କାନ୍ଦ ବୋବାଳିରେ ଫାଟି ପଡୁଥିଲା ପରିବେଶ । ପରିବାର, ପ୍ରଶଂସକ ଓ ବନ୍ଧୁ ପରିଜନ ସମସ୍ତେ ଉତ୍ତମଙ୍କୁ ଦେଇଛନ୍ତି ଅଶ୍ରୁଳ ବିଦାୟ ।

70ଦଶକରୁ ଲୋକଙ୍କ ଦିଲ୍ ଜିତିଆସିଛନ୍ତି ଉତ୍ତମ । ସେ କାନ୍ଦିଲେ ଦର୍ଶକଙ୍କ ଆଖିରେ ଲୁହ ଆସିଯାଉଥିଲା । ତାଙ୍କର ନିଆରା ଅନ୍ଦାଜ, ଷ୍ଟାଇଲ ଦର୍ଶକଙ୍କୁ ବାନ୍ଧି ରଖୁଥିଲା । ଶ୍ରେଷ୍ଠ ଅଭିନେତା ଭାବେ 3ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ସେ । ଏହାସହ 2006ରେ ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର, ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, 2008ରେ ଶ୍ରେଷ୍ଠ ଅଭିନେତା ପାଇଁ ଫିଟଫାଟ ବାଇସ୍କୋପ ପୁରସ୍କାରରେ ବି ସମ୍ମାନିତ ହୋଇଛନ୍ତି ।

ଅଭିମାନରୁ ଅଭିନୟ କ୍ୟାରିଅର ଆରମ୍ଭ କରି ଦଣ୍ଡା ବାଳୁଙ୍ଗା ଉଦଣ୍ଡୀ ସୀତା, ଜୋରଦାର ମୁଲକ ତାର, ଦେଖ ଖବର ରଖ ନଜର, ଲକ୍ଷ୍ମଣ ରେଖା, ସେଇ ଝିଅଟି ଓ ପରଦେଶୀ ଚଢେଇ ଭଳି ସୁପରହିଟ୍ ଫିଲ୍ମ ସେ ଭେଟି ଦେଇଛନ୍ତି । ଶତାଧିକ ଓଡିଆ ଚଳଚ୍ଚିତ୍ର ସହ ବଙ୍ଗାଳୀ ଓ ଗୋଟିଏ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ଏହି ସୁପରଷ୍ଟାର । ଲଭ, ରୋମାନ୍ସ ହେଉ ଅବା ଆକ୍ସନ, ପରଦା ଉପରେ ନିଜର ଚମତ୍କାର ଅଭିନୟ ପାଇଁ ଦର୍ଶକଙ୍କ ପ୍ରିୟ ହିରୋ ସାଜିଥିଲେ ଉତ୍ତମ ।

1958ରେ ମୟୂରଭଞ୍ଜର ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ ମହାନ୍ତି । 1977 ମସିହାରେ 'ଅଭିମାନ'ରେ ଓଲିଉଡରେ ଡେବ୍ୟୁ କରିଥିଲେ । 1987 ମସିହାରେ ଅପରାଜିତା ମହାନ୍ତିଙ୍କୁ ବିବାହ କରିଥିଲେ l ଉଭୟ ଫିଲ୍ମ ଜଗତର ସଫଳ ଯୋଡି । ଉଭୟ ଏକାଠି ଅନେକ ଓଡିଆ ଫିଲ୍ମ ହିଟ୍ ଦେଇଛନ୍ତି l ଉତ୍ତମଙ୍କ ପରେ ତାଙ୍କ ପୁଅ ବାବୁସାନ ଏବେ ସିନେ ଜଗତରେ ଜଣେ ଚର୍ଚ୍ଚିତ କଳାକାର ହୋଇପାରିଛନ୍ତି । ସୁପରଷ୍ଟାର ଉତ୍ତମ ମହାନ୍ତି 66 ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି ।

0 Comments