ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ/ଆମେରିକା ଯୁଦ୍ଧ ଦିନକୁ ଦିନ ଅଧିକ ଘନଉଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ମହାଯୁଦ୍ଧ ଥମିବାର ନାଁ ନେ

ଉନାହିଁ । ଇରାନ ଉପରେ ନନଷ୍ଟପ୍ ଷ୍ଟ୍ରାଇକରେ 7000 ଟାର୍ଗେଟକୁ ଲକ୍ଷ୍ୟଭେଦ କରାଯାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିବାର ଦିନକ ପରେ ଇସ୍ରାଏଲ ମଧ୍ୟ ବଡ ଦାବି କରିଛି । ଘନ ଅନ୍ଧାରରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ତଥା ଜାତୀୟ ସୁରକ୍ଷା ପରିଷଦର ମୁଖ୍ୟ ଅଲି ଲାରିଜାନିଙ୍କୁ ହତ୍ୟା କରାଯାଇଥିବା ଦାବି କରିଛନ୍ତି ଇସ୍ରାଏଲ ପ୍ରତିରକ୍ଷାମନ୍ତ୍ରୀ ଇସ୍ରାଏଲ୍‌ କାଟଜ୍‌ । ଏପରିକି ଅଲି ଲାରିଜାନିଙ୍କ ହତ୍ୟା ନେଇ ଟ୍ୱିଟ୍ କରିଛି ଇସ୍ରାଏଲ ପ୍ରତିରକ୍ଷା ବଳ ।

ଏହାସହିତ ରିଭୋଲ୍ୟୁସନାରୀ ଗାର୍ଡର ସମ୍ପୂର୍ଣ୍ଣ ସ୍ୱେଚ୍ଛାସେବୀ ବାସିଜ ବାହିନୀର ମୁଖ୍ୟ ଜେନେରାଲ ଘୋଲାମ ରେଜା ସୋଲେମାନିଙ୍କୁ ମଧ୍ୟ ହତ୍ୟା କରାଯାଇଥିବା କହିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ । ଏପଟେ ଦୁଇ ସର୍ବୋଚ୍ଚ ନେତାଙ୍କ ହତ୍ୟା ଖବର ସ୍ପଷ୍ଟ କରିନି ଇରାନ । ଦେଶର ସରକାରୀ ଗଣମାଧ୍ୟମ କହିଛି ଅଲି ଲାରିଜାନିଙ୍କ ହତ୍ୟା ନେଇ ଲାରିଜାନିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତ୍ତି ଜାରି କରାଯିବ । ଫେବୃଆରୀ ୨୮ରେ, ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ପ୍ରଥମେ ଆକ୍ରମଣ ଆରମ୍ଭ କରିଥିଲେ । ଏବେସୁଦ୍ଧା ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନେଇଙ୍କ ସମେତ ୪୦ ଜଣ ଶୀର୍ଷ କମାଣ୍ଡରଙ୍କୁ ହତ୍ୟା କରାଯାଇଛି ।

ଲାରିଜାନି ଇରାନର ସବୁଠାରୁ ପ୍ରସିଦ୍ଧ ରାଜନୈତିକ ପରିବାରରୁ ଜଣେ । ଜଣେ ପୂର୍ବତନ ସଂସଦୀୟ ବାଚସ୍ପତି ଏବଂ ବରିଷ୍ଠ ନୀତି ପରାମର୍ଶଦାତା ଭାବେ କାର୍ଯ୍ୟ କରିସାରିଥଇବା ଲାରିଜାନିଙ୍କୁ ଟ୍ରମ୍ପ ପ୍ରଶାସନ ସହିତ ପରମାଣୁ ଆଲୋଚନାରେ ରଣନୀତି ଉପରେ ସ୍ୱର୍ଗତ ଖାମେନେଇଙ୍କୁ ପରାମର୍ଶ ଦେବା ପାଇଁ ନିଯୁକ୍ତ କରାଯାଇଥିଲା । ସେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

0 Comments