ବେଜିଂ: ‘ବନ୍ଧୁ ହେବା...ଭଲ ପଡୋଶୀ ହେବା.. ଡ୍ରାଗନ(ଚୀନ) ଓ ହାତୀ(ଭାରତ) ଏକାଠି ହେବା ଜରୁରୀ ଅଟେ ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ବେଳେ ଏହା କହିଛନ୍ତି ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ । ଚୀନର ତିଆନଜିନ ସହରରେ ଅନୁଷ୍ଠିତ ହେଉଛି ସାଂଘାଇ ସହଯୋଗ ସଙ୍ଗଠନ(SCO) ଶିଖର ସମ୍ମିଳନୀ । ଏଥିରେ ଯୋଗ ଦେବାକୁ 2 ଦିନିଆ ଚୀନ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏସସିଓ ସମ୍ମିଳନୀ ପୂର୍ବରୁ ଜିନପିଙ୍ଗଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ମୋଦି ।

>

SCO ବୈଠକରେ ଯୋଗ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଥିଲେ । ଏହି ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା । ଯେଉଁଥିରେ ଦୁଇ ଦେଶର ସମ୍ପର୍କ, ସୀମାରେ ଶାନ୍ତି, କୈଳାସ ମାନସରୋବର ଯାତ୍ରା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ପ୍ରସଙ୍ଗରେ ଉଭୟ ଦେଶର ଚର୍ଚ୍ଚା ମଧ୍ୟରେ ଜିନପିଙ୍ଗ କହିଥିଲେ କି, ‘ବନ୍ଧୁତା କରିବା, ଭଲ ପଡୋଶୀ ହେବା, ଡ୍ରାଗନ(ଚୀନ) ଓ ହାତୀ(ଭାରତ)କୁ ଏକାଠି ଆସିବା ବହୁତ ଜରୁରୀ ଅଟେ ।’

ଉଭୟ ଦେଶର ସମ୍ପର୍କରେ ସୁଧାର-ଆଗକୁ ବଢାଇବା ଉପରେ ଜୋର ଦେଇଛନ୍ତି ଉଭୟ ଦେଶର ରାଷ୍ଟ୍ରନେତା । ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି, କୈଳାସ ମାନସରୋବର ଯାତ୍ରା ଓ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଉପରେ କହିଥିଲେ ।

ଦୀର୍ଘ 7 ବର୍ଷ ପରେ ଚୀନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2018ରେ କିଙ୍ଗଦାଓରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଶେଷଥର ପାଇଁ ଚୀନ ଗସ୍ତ କରିଥିଲେ । ଏହା ପରେ ଚଳିତ ବର୍ଷ ଏହି 2 ଦିନିଆ ଶିଖର ସମ୍ମିଳନୀରେ ଅଶଂଗ୍ରହଣ କରିବାକୁ ଚୀନ ଗସ୍ତରେ ଯାଇଛନ୍ତି ମୋଦି ।

ଟ୍ରମ୍ପଙ୍କ ଟାରିଫ ମାଡ ମଧ୍ୟରେ ଭାରତ-ଚୀନ-ଋଷର ବୈଠକ ଉପରେ ସାରା ବିଶ୍ବର ନଜର ରହିଛି । ଏହାରି ଭିତରେ ଆଜି(ରବିବାର) ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ମଧ୍ୟ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଋଷରୁ ତୈଳ କିଣାକୁ ବିରୋଧ କରି ଭାରତ ଉପରେ 50 ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା । ଟ୍ରମ୍ପଙ୍କ ଟାରିଫ ପରେ ଉଭୟ ଦେଶରେ ବାଣିଜ୍ୟ ସମ୍ପର୍କ ବେଶ ପ୍ରଭାବିତ ହୋଇଛି ।

0 Comments