ନୂଆଦିଲ୍ଲୀ: ସୁଧୁରିବ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ।
ଦୁଇ ଦେଶ ସମ୍ପର୍କରେ ଏକ ସକରାତ୍ମକ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 'ବାଣିଜ୍ୟିକ ପ୍ରତିବନ୍ଧକ' ଦୂର କରିବା ପାଇଁ ଟ୍ରମ୍ପଙ୍କ ଅନୁରୋଧର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି (ବୁଧବାର) ସୋସିଆଲ ମିଡିଆ (X) ମାଧ୍ୟମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଯୋଗାଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଯେ, ସେ ଟ୍ରମ୍ପଙ୍କ ସହ କଥା ହେବାକୁ ଅପେକ୍ଷା କରିଛନ୍ତି ।
ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟ (X)ରେ କହିଛନ୍ତି, "ମୁଁ ଖୁସିର ସହ ଘୋଷଣା କରୁଛି ଯେ, ଭାରତ ଏବଂ ଆମେରିକା, ଦୁଇ ରାଷ୍ଟ୍ର ବାଣିଜ୍ୟ ପ୍ରତିବନ୍ଧକର ସମାଧାନ ପାଇଁ ଆଲୋଚନା ଜାରି ରଖିଛନ୍ତି । ମୁଁ ଆଗାମୀ ସପ୍ତାହରେ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବାକୁ ଅପେକ୍ଷା କରିଛି । ମୁଁ ନିଶ୍ଚିତ ଯେ, ଉଭୟ ଦେଶ ପାଇଁ ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ!।"
ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, "ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ । ମୁଁ ନିଶ୍ଚିତ ଯେ, ଆମର ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗୀର ଅସୀମ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ପଥ ପ୍ରଶସ୍ତ କରିବ । ଆମ ଟିମ୍ ଏହି ଆଲୋଚନାକୁ ଯଥାଶୀଘ୍ର କରିବାକୁ କାର୍ଯ୍ୟ କରୁଛନ୍ତି । ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ମଧ୍ୟ ଅପେକ୍ଷା କରିଛି । ଆମେ ଉଭୟେ ଲୋକଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକାଠି କାମ କରିବୁ ।"