ଆସନ୍ତା ବର୍ଷ ପାକିସ୍ତାନରେ ଖେଳାଯିବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିକୁ ନେଇ ଆସିଲା ବଡ ଖବର । ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବନି ଟିମ୍‌ ଇଣ୍ଡିଆ । ଭାରତୀୟ କ୍ରିକେଟ ଟିମ୍‌ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବାର କୌଣସି ସମ୍ଭାବନା ନଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି । ଭାରତୀୟ କ୍ରିକେଟ ଟିମ୍‌ର ସମସ୍ତ ମ୍ୟାଚ ଦୁବାଇ ବା ଶ୍ରୀଲଙ୍କାରେ ଆୟୋଜନ କରିବାକୁ ବିସିସିଆଇ ଆଇସିସିକୁ ପ୍ରସ୍ତାବ ଦେବ । ଖୁବଶୀଘ୍ର ଏନେଇ ଆଇସିସି ସହ ଆଲୋଚନା କରିବ ବିସିସିଆଇ । ପୂର୍ବରୁ ଏସିଆ କପ୍ ସମୟରେ ଏହି ସମାନ ଘଟଣା ଘଟିଥିଲା ।

ପୂର୍ବରୁ ପିସିବିର ଜଣେ ଅଧିକାରୀ କହିଥିଲେ, ଗତ ଦୁଇ ବର୍ଷ ହେବ ଏକାଧିକ ଟିମ୍‌ ପାକିସ୍ତାନ ଗସ୍ତରେ ଆସିଛନ୍ତି । ସେମାନେ ସୁରକ୍ଷାଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି । ଭାରତ ଯଦି ପାକିସ୍ତାନ ଖେଳିବାକୁ ନଆସେ ଓ ମ୍ୟାଚ୍‌ ଗୁଡ଼ିକ ଅନ୍ୟ ଦେଶରେ ଖେଳିବା ପାଇଁ ନିଷ୍ପତ୍ତି ହୁଏ, ତେବେ ଆଇସିସିକୁ କ୍ଷତି ଭରଣା କରିବାକୁ ପଡ଼ିବ ବୋଲି ପିସିବି ଅଫିସିଆଲ ଆଇସିସିକୁ ଜଣାଇଥିବା ସେ କହିଥିଲେ ।

ଆସନ୍ତା 2025 ଫେବୃଆରୀ 19ରୁ ମାର୍ଚ୍ଚ 9 ମଧ୍ୟରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି । କିଛି ଦିନ ତଳେ ଏନେଇ ଅସ୍ଥାୟୀ କ୍ରୀଡାସୂଚୀ ଜାରି କରିଥି

ଲା ପାକିସ୍ତାନ କ୍ରିକେଟ ବୋର୍ଡ । କିନ୍ତୁ ଏହି କ୍ରୀଡାସୂଚୀରେ ଆଇସିସିର ମୋହର ଲାଗି ନାହିଁ । ମାର୍ଚ୍ଚ 1 ତାରିଖରେ ଭାରତ-ପାକିସ୍ତାନ ହାଇପ୍ରୋଫାଇଲ ମ୍ୟାଚ ଖେଳାଯିବା ନେଇ ଆଇସିସି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କିନ୍ତୁ ପ୍ରସ୍ତାବିତ କାର୍ଯ୍ୟସୂଚୀକୁ ବିସିସିଆଇ ଏପର୍ଯ୍ୟନ୍ତ ଅନୁମୋଦନ ପ୍ରଦାନ କରିନାହିଁ ବୋଲି ସେ କହିଛନ୍ତି।

ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମୋଟ 15ଟି ମ୍ୟାଚ ଖେଳାଯିବ । ଟିମ୍‌ ଇଣ୍ଡିଆର ସମସ୍ତ ମ୍ୟାଚ ଲାହୋର ଠାରେ ଖେଳାଯିବ । କରାଚୀରେ 3ଟି, ଲାହୋର ଠାରେ 7ଟି ଓ ରାଓ୍ବାଲପିଣ୍ଡିରେ 5ଟି ମ୍ୟାଚ ଖେଳାଯିବା ନେଇ ଆଇସିସିକୁ ଦିଆୟାଇଥିବା କ୍ରୀଡାସୂଚୀରେ ଉଲ୍ଲେଖ ରହିଛି । ସେହିପରି କରାଚୀରେ ଉଦଘାଟନୀ ମୁକାବିଲା ଓ 2ଟି ସେମିଫାଇନାଲ ଖେଳାଯିବ ।

ଚାମ୍ପିଅନ୍ସ ଟ୍ରଫିରେ ମୋଟ 8ଟି ଦଳ ଭାଗ ନେବେ । ଗ୍ରୁପ ଏ ରେ ରହିଛନ୍ତି ଭାରତ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ଟିମ୍‌ ରହିଛନ୍ତି । ଗ୍ରୁପ ବି ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ,ଇଂଲଣ୍ଡ ଓ ଆଫଗାନିସ୍ତାନ ରହିଛି ।

ଚାମ୍ପିଅନ୍ସ ଟ୍ରଫି 2025ର ବହୁପ୍ରତିକ୍ଷିତ ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢ଼େଇ ମାର୍ଚ୍ଚ 1 ତାରିଖରେ ଖେଳାଯିବ । ଲାହୋର ଠାରେ ଏହି ମ୍ୟାଚ ଆୟୋଜନ କରାଯିବା ନେଇ ପିସିବି ନିଷ୍ପତ୍ତି ନେଇଛି ।

0 Comments