ଢାକା: ବାଂଲାଦେଶରେ ଆସିଲା ନୂଆ ସରକାର । ରାଷ୍ଟ୍ରର ଅନ୍ତରୀଣ ବା ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରମୁଖ ଭାବେ ଶପଥ ଗ୍ରହଣ କରିଛନ୍ତି ନୋବେଲ ବିଜେତା ମହମ୍ମଦ ୟୁନୁସ । ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ରାଷ୍ଟ୍ରପତି ମହଲ 'ବଙ୍ଗ ଭବନ'ରେ 84 ବର୍ଷୀୟ ୟୁନୁସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରର ନୂଆ ମୁଖିଆ ଭାବେ ୟୁନୁସ ଶପଥ

ନେବା ପରେ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ନେତୃତ୍ବରେ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ଶାନ୍ତି ବଜାୟ ରହିବା ସହ ହିନ୍ଦୁଙ୍କୁ ସୁରକ୍ଷା ପ୍ରଦାନ କରାଯିବ ବୋଲି ମୋଦି ଆଶାବ୍ୟକ୍ତ କରିଛନ୍ତି ।

ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାଂଲାଦେଶରେ ଗଠନ ହୋଇଛି ମଧ୍ୟବର୍ତ୍ତୀକାଳୀନ ସରକାର । ଅନ୍ତରୀଣ ସରକାରର ମୁଖ୍ୟ ଭାବେ ରାଷ୍ଟ୍ରପତି ମହଲରେ ଶପଥ ଗ୍ରହଣ କରିଛନ୍ତି ପ୍ରଫେସର ମହମ୍ମଦ ୟୁନୁସ । ଏହି ଶପଥ ଗ୍ରହଣ ସମାରୋହରେ ହସିନାଙ୍କ ଦଳ ପକ୍ଷରୁ କେହି ପ୍ରତିନିଧି ଉପସ୍ଥିତ ନଥିଲେ । ୟୁନୁସଙ୍କ କ୍ୟାବିନେଟରେ 16ଜଣଙ୍କୁ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରେ 2ଜଣ ଆନ୍ଦୋଳନକାରୀ ଛାତ୍ର ନେତା ଅଛନ୍ତି ।

ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହେବା ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି X ସାଇଟ୍‌ରେ ଏକ ପୋଷ୍ଟ କରି କହିଛନ୍ତି, "ପ୍ରଫେସର ମହମ୍ମଦ ୟୁନୁସଙ୍କୁ ତାଙ୍କର ନୂତନ ଦାୟିତ୍ବ ଗ୍ରହଣ ପାଇଁ ମୋର ଶୁଭେଚ୍ଛା । ହିନ୍ଦୁ ତଥା ଅନ୍ୟ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ନିରାପତ୍ତାକୁ ସୁନିଶ୍ଚିତ କରି ଶୀଘ୍ର ସ୍ବାଭାବିକ ସ୍ଥିତିର ପୁନଃ ସ୍ଥାପିତ ହେବ ବୋଲି ଆଶା କରୁଛୁ । ଶାନ୍ତି, ନିରାପତ୍ତା ତଥା ବିକାଶ ଲାଗି ଉଭୟ ଦେଶର ଲୋକଙ୍କ ଆକାଂକ୍ଷା ପୂରଣ କରିବାକୁ ବାଂଲାଦେଶ ସହିତ କାମ କରିବା ଲାଗି ଭାରତ ପ୍ରତିଶ୍ରୁତିବଦ୍ଧ ।"

ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ଅର୍ଥନୀତିଜ୍ଞ-ରାଜନେତା ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ଭାବରେ ମଙ୍ଗଳବାର ନିଯୁକ୍ତ କରାଯାଇଥିଲା । ସରକାରୀ ଚାକିରିରେ ବିବାଦୀୟ କୋଟା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ବ୍ୟାପକ ବିରୋଧ ପରେ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇ ଭାରତ ଆସିଥିଲେ । ଫଳରେ ବାଂଲାଦେଶର ଦୀର୍ଘ 15ବର୍ଷ ସରକାରର ପତନ ଘଟିଥିଲା ।

0 Comments