ନୂଆଦିଲ୍ଲୀ: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁକ୍ରେନ ଗସ୍ତ କରି ସ୍ଥାନୀୟ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ସହ ସାକ୍ଷାତ କରି ଫେରିଛନ୍ତି । ଏହା ପୂର୍ବରୁ ସେ ଋଷ ଗସ୍ତ କରି ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ । ତେବେ ଏହି ପ୍ରସଙ୍ଗରେ ଏକ ବଡ ସୂଚନା ଏବେ ସାମ୍ନାକୁ ଆସିଛି । ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସମାପ୍ତ କରିବାରେ ଭାରତ ଏକ ବଡ ତଥା ନିର୍ଣ୍ଣାୟକ ଭୂମିକା ତୁଲାଇବାକୁ ଯାଉଛ

। ଉଭୟ ଦେଶର ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମଧ୍ୟସ୍ଥତା କରିବ ଭାରତ । ଏଥିପାଇଁ ଜାତୀୟ ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ । ସେ ଚଳିତ ସପ୍ତାହରେ ମସ୍କୋ ଗସ୍ତ କରିବେ ବୋଲି ସୂତ୍ରରୁ ସୂଚନା ମିଳିଛି ।

ତେବେ ଏହି ମିଶନ ସମ୍ପର୍କରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ କିଛି ସୂଚନା ଦେଇନି । ମାତ୍ର ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଏକାଧିକ ଜାତୀୟ ଗଣମାଧ୍ୟମରେ ଏହି ସମ୍ପର୍କିତ ଖବର ପ୍ରସାରିତ ହୋଇଛି । ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେବା ପରେ ଅଗଷ୍ଟ 27 ତାରିଖରେ ମୋଦି ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ମଧ୍ୟ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ । ଏହି ଟେଲିଫୋନିକ ବାର୍ତ୍ତାଳାପ ଉଭୟ ଦେଶ ମଧ୍ୟରେ କୂଟନୈତିକ ଆଲୋଚନା ପାଇଁ ଥିଲା ବୋଲି ଖବର ପ୍ରସାରିତ ହୋଇଥିଲା । ଏବେ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ଏହି ଆଲୋଚନା ପାଇଁ ଭାରତ ପକ୍ଷରୁ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ ମସ୍କୋ ଗସ୍ତ କରିବେ । କାର୍ଯ୍ୟକ୍ରମର ସମ୍ପର୍କରେ ସବିଶେଷ ସୂଚନା ହସ୍ତଗତ ହୋଇନି । ମାତ୍ର ଡୋଭାଲ ଏହି ସପ୍ତାହରେ ମସ୍କୋ ଗସ୍ତ କରିବାର ସର୍ବାଧିକ ସମ୍ଭାବନା ରହିଛି ।

ତେବେ ଦୀର୍ଘ 2ବର୍ଷ ଧରି ଜାରି ରହିଥିବା ଋଷ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ଆମେରିକା, ବ୍ରିଟେନ ପରି ପଶ୍ଚିମ ରାଷ୍ଟ୍ରସମୂହ ସାମରିକ ଓ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି । ଅନୁରୂପ ଭାବେ ଋଷକୁ ବିଭିନ୍ନ ଅନ୍ତର୍ଜାତୀୟ କଟକଣାର ସାମ୍ନା କରିବାକୁ ପଡିଛି । ତଥାପି ଋଷ ଆକ୍ରମଣ ବନ୍ଦ କରିନାହିଁ । ମାତ୍ର ଭାରତ ଏହି ଯୁଦ୍ଧ ପ୍ରସଙ୍ଗରେ ସିଧାସଳଖ ଗୋଷ୍ଠୀଭୂକ୍ତ ନହୋଇ ଗୋଷ୍ଠୀ ନିରପେକ୍ଷତା ବଜାୟ ରଖିଛି । ଉଭୟ ଦେଶ ଆକ୍ରମଣ ଓ ପ୍ରତିଆକ୍ରମଣ ବନ୍ଦ କରି ଆଲୋଚନା ଟେବୁଲକୁ ବାଛନ୍ତୁ ଓ ଭାରତ ଶାନ୍ତି ଆଲୋଚନା ଦିଗରେ ସମସ୍ତ ସହଯୋଗ କରିବ ବୋଲି ପ୍ରଥମରୁ ନୂଆଦିଲ୍ଲୀ ସ୍ପଷ୍ଟ କରିଆସିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଋଷ ଓ ପରେ ୟୁକ୍ରେନ ଗସ୍ତ କରି ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ । ଏବେ ଜାତୀୟ ପରାମର୍ଶଦାତା ଡୋଭାଲଙ୍କ ମାଧ୍ୟମରେ ଔପଚାରିକ ମଧ୍ୟସ୍ଥତା ଆରମ୍ଭ କରିପାରେ ନୂଆଦିଲ୍ଲୀ ।

0 Comments