ଭୁବନେଶ୍ବର: ନିଶାମୁକ୍ତ ହେବ ସମସ୍ତ ଶିକ୍ଷାନୁଷ୍ଠାନ । ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଭୟଙ୍କର ଭାବେ ବଢ଼ି ଚାଲିଛି । ସରକାର ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ପ୍ରୟାସ କରିଛନ୍ତି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଛାତ୍ରଛାତ୍ରୀଙ୍କ ପରେ ଏଣିକି ଅଧ୍ୟାପକ, ଶିକ୍ଷକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ । ଶିକ୍ଷାନୁଷ୍ଠାନକୁ କେହି ନିଶା ସେବନ କରି ଆସିବେ ନାହିଁ । ଶିକ୍ଷାନୁଷ୍ଠାନକୁ କୌଣସି ପ୍ରକାର ମାଦକ ଦ୍ରବ୍ୟ ନେବେ ନାହିଁ କି କଲେଜ କ୍ୟାମ୍ପସରେ ବ୍ୟବହାର କରିବେ ନାହିଁ । ଯାହାକୁ ନେଇ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶାବଳୀଗୁଡିକର କାର୍ଯ୍ୟକାରିତା ପାଇଁ ଅନୁରୋଧ କରିଛି ୟୁଜିସି ।

ଗ୍ଲୋବାଲ ୟୁଥ ଟବାକୋ ସର୍ଭେ (Global Youth Tobacco Survey) ୨୦୧୯ ତଥ୍ୟ ଅନୁସାରେ, ୧୩ରୁ ୧୫ ବର୍ଷ ବୟସ ମଧ୍ୟରେ

.୫ ପ୍ରତିଶତ ସ୍କୁଲ ପିଲା ତମାଖୁ ବ୍ୟବହାର କରୁଛନ୍ତି । ପ୍ରତିବର୍ଷ ୫୫୦୦ରୁ ଅଧିକ ପିଲା ତମାଖୁ ବ୍ୟବହାର ଆରମ୍ଭ କରୁଛନ୍ତି । ଗ୍ଲୋବାଲ ୟୁଥ ଟବାକୋ ସର୍ଭେ ତଥ୍ୟ ଅନୁସାରେ ୫୫ ପ୍ରତିଶତ ଆଜୀବନ ତମାଖୁ ବ୍ୟବହାରକାରୀ, ୨୦ ବର୍ଷ ବୟସ ପୂର୍ବରୁ ହିଁ ତମାଖୁ ସେବନ କରିବା ଆରମ୍ଭ କରନ୍ତି । ସେହିପରି ଇ- ସିଗେରେଟ (Electronic Cigarette) ମଧ୍ୟ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ସହ ବିପଦ ସୃଷ୍ଟି କରିଥାଏ । ଯେପରିକି, DNA ନଷ୍ଟ, କ୍ୟାନ୍ସର, ହୃଦରୋଗ, ସ୍ନାୟୁଗତ ରୋଗ ଭଳି ସମସ୍ୟା ହୋଇଥାଏ । ଏହାସହ ଭ୍ରୁଣର ବିକାଶ ଏବଂ ଗର୍ଭଧାରଣ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ । ଅନେକ ସମୟରେ ତମାଖୁ ଓ ଇ-ସିଗାରେଟ ଅନେକ ସମୟରେ ଅନ୍ୟ ନିଶାର ଗେଟୱେ (Gateways) ଭାବରେ କାର୍ଯ୍ୟ କରେ । ଯାହା ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳ ଉପରେ ପ୍ରଭାବ ପକାଇଥାଏ । ତେଣୁ ଜଣେ ଶିକ୍ଷିତ ଓ ଅଭିଭାବକ ଭାରେ ନିଶା ଭଳି ବିପଦରୁ ଆମ ପରବର୍ତ୍ତୀ ପିଢିଙ୍କୁ ରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି ୟୁଜିସି ।

ଶିକ୍ଷାନୁଷ୍ଠାନଗୁଡ଼ିକୁ "ନିଶା ମୁକ୍ତ" କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୨୦୧୯ ମସିହାରେ ସଂଶୋଧିତ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ (TOFEI) ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି । ଯେଉଁଥିରେ ତମାଖୁ ସେବନର କ୍ଷତିକାରକ ପ୍ରଭାବ ଏବଂ ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରାଯାଇଛି । ଶିକ୍ଷାନୁଷ୍ଠାନରେ ଛାତ୍ର, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅଧିକାରୀଙ୍କ ମଧ୍ୟରେ ଉପଲବ୍ଧ ତମାଖୁ ବନ୍ଦ ସେବା ଏବଂ ତ୍ୟାଗ କରିବାର ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରିବା ସହ ତମାଖୁ ଦ୍ରବ୍ୟର ବିକ୍ରୟ ତଥା ବ୍ୟବହାର ସମ୍ବନ୍ଧରେ ଉତ୍ତମ କାର୍ଯ୍ୟକାରିତା ଆଇନଗତ ବ୍ୟବସ୍ଥା ନିଶ୍ଚିତ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛି ୟୁଜିସି ।

ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ (କୋଟପା) ରହିଛି । କୋଟପା ଆଇନ ୨୦୦୩ର ସେକ୍ସନ ୪ ଅନୁଯାୟୀ, ସ୍କୁଲ, କଲେଜ, ଅଡିଟୋରିୟମ, ବସ୍‌ଷ୍ଟାଣ୍ଡ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ୨୦୦ ଟଙ୍କା ଜରିମାନା ଦେବାକୁ ନିୟମ ରହିଛି । ସେହିପରି ଜଣେ ସେବନକାରୀଙ୍କଠାରୁ ଏକାଧିକ ଥର ଜରିମାନା ଆଦାୟ କରାଯାଇପାରିବ । ସେକ୍ସନ ୬(A) ଅନୁଯାୟୀ, ୧୮ବର୍ଷରୁ କମ୍‌ ବୟସର ପିଲାମାନେ ସିଗାରେଟ୍‌ ଓ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରିପାରିବେ ନାହିଁ । ଶିକ୍ଷାନୁଷ୍ଠାନର ଶହେ ଗଜ ଦୂର ମଧ୍ୟରେ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରାଯାଇ ପାରିବ ନାହିଁ । ଏଥିପାଇଁ ମଧ୍ୟ ମୋଟା ଅଙ୍କର ଟଙ୍କା ଜରିମାନା ବ୍ୟବସ୍ଥା ନିୟମ ରହିଛି ।

0 Comments