ପୁରୀ: ଶ୍ରୀମନ୍ଦିରରେ ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା । କୁମ୍ଭାର ଦ୍ବାର ପ୍ରସ୍ତୁତ ମାଟି କୁଡୁଆରେ ନୁହଁ ବରଂ ଲୁହା କଡେଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ । ଏନେଇ ଅମାନିଆ ସେବକଙ୍କୁ ନୋଟିସ କରିଛି ସୁଆର ମହାସୁଆର ନିଯୋଗ । କିଛି ମୁଷ୍ଟିମେୟ ସୁଆର ସେବକ ସମସ୍ତ ପରମ୍ପରାକୁ ଉଲ୍ଲଂଘନ କରି ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ କରୁଥିବାରୁ ଖୋଦ ସୁଆର ମହାସୁଆର ନିଯୋଗ ଏହି ଆପତ୍ତି ଉଠାଇଛି । ଉକ୍ତ ଅମାନିଆ ସେବାୟ

ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଯୋଗେ ଅବଗତ କରିଛି ନିଯୋଗ । ସେପଟେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି l

ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମୀନ ତୁରନ୍ତ ରୋଷ ପରିଦର୍ଶନ କରି ଏହାକୁ ନିବାରଣ କରିବା ସହ କଡ଼େଇ ଜବତ କରି 7 ଦିନ ଭିତରେ କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି l ସେହିପରି ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଏବଂ ଦେଉଳକରଣ ପ୍ରତିଦିନ ରୋଷଶାଳା ତନଖି କରି ଲୁହା କଡ଼େଇ ଜବତ କରି ବାକୁ ମଧ୍ୟ ଜଣାଇ ଦିଆଯାଇଛି l ଏହି ସମ୍ପୃକ୍ତ ସେବକଙ୍କ ଦ୍ଵାରା କଡ଼େଇ ଜବତ କାର୍ଯ୍ୟ ସମ୍ପାଦନ କରି କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର କମାଣ୍ଡର, ବରିଷ୍ଠ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ l ଏହି କାର୍ଯ୍ୟର ନିରୀକ୍ଷଣ କରି ରିପୋର୍ଟ ଦାଖଲ ପାଇଁ ସୁରକ୍ଷା ପ୍ରଶାସକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପରମ୍ପରା ବିରୋଧୀ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟ ପ୍ରଶାସକ l

ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି କୁଡୁଆରେ ହେବା ପରମ୍ପରା ରହିଛି । କିନ୍ତୁ ଏହି ପରମ୍ପରାକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି । କୁଡୁଆ ପରିବର୍ତ୍ତେ ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ ହେଉଛି । କୁଡୁଆ ଅଭାବ ଯୋଗୁ କିଛି ସୁଆର ସେବକ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଛନ୍ତି। ଯାହାକି ସମ୍ପୂର୍ଣ୍ଣ ପରମ୍ପରା ବିରୋଧି। ଲୁହା କଡ଼େଇରେ କେବଳ ଅମାଲୁ ଓ ପିଠା ଜାତୀୟ ଭୋଗ ପ୍ରସ୍ତୁତ କରାଯାଇଥାଏ। ମାଟି କୁଡୁଆରେ ସମସ୍ତ ମହାପ୍ରସାଦକୁ ପ୍ରସ୍ତୁତ କରାଯାଇଥାଏ। ତେବେ କୁଡୁଆ ଅଭାବ ଆଳରେ କିଛି ସୁଆର ସେବକ ମହାପ୍ରଭୁଙ୍କ ସମସ୍ତ ପରମ୍ପରାକୁ ନମାନି ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରିବା ଠିକ୍ ନୁହେଁ । ଏହାକୁ ନେଇ ଭକ୍ତଙ୍କ ମନରେ ମଧ୍ୟ ଉଦବେଗ ପ୍ରକାଶ ପାଇଛି।

0 Comments