କେନ୍ଦୁଝର - ଓଡ଼ିଶାର ପ୍ରତ୍ୟେକଟି ମହିଳା ହେବେ ସ୍ୱାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତି ଲାଭ କରୁଛି । ଓଡ଼ିଶାର ରତ୍ନଗର୍ଭା ଜିଲ୍ଲା, କେନ୍ଦୁଝର ଠାରେ ମଧ୍ୟ ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ, ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ ରବିବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ସ୍ଥାନୀୟ ଅଡିଟୋରିୟମ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରା ଯାଇଥିଲା। 

ଏହି ପଦଯାତ୍ରାରେ ୫୦୦ରୁ ଉର୍ଦ୍ଧ୍ୱ ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ମାନେ ଏବଂ କେନ୍ଦୁଝର ଅଂଚଳର ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେବା ସହ ସ୍ଵାକ୍ଷର ଅଭିଯାନରେ ନିଜକୁ ସାମିଲ କରିଥିଲେ। ଏହି ପଦଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ପତାକା ପ୍ରଦର୍ଶନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ କୁମାର ନାଗଭୁଷଣ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଧନୁର୍ଜୟ ମହାନ୍ତ, ସଦର ବିଡ଼ିଓ ଶ୍ରୀମତୀ ତିଳତ୍ତମା ପୃଷ୍ଟି, ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ସୁଧା ଗୋସ୍ୱାମୀ ଓ ଜିଲ୍ଲା ମିଶନ ଶକ୍ତି ସଂଗଠନର ସଂଯୋଜକ ଶ୍ରୀ ଶିଶିର ଷଡ଼ଙ୍ଗୀ ଯୋଗ ଦେଇ ମହିଳା ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ଏହି ଯୋଜନାର ଉପାଦେୟତା ବିଷୟରେ ଅବଗତ କରାଇଥିଲେ।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଡିଟୋରିୟମଠାରେ ଆୟୋଜିତ ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ନାଗଭୁଷଣ କହିଥିଲେ ଯେ ଆସନ୍ତା ୧୭ତ

ାରିଖ ଠାରୁ ଏହି ଯୋଜନା ଆରମ୍ଭ ହେବ। ଏବେ ଆବେଦନ କରିଥିବା ମହିଳାଙ୍କ ଠାରୁ ଆରମ୍ଭ କରି ୧୭ପରେ ବି ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ବର୍ଷକୁ ରକ୍ଷାବନ୍ଧନ ଓ ଅର୍ନ୍ତଜାତୀୟ ମହିଳା ଦିବସରେ ୫ହଜାର ଲେଖାଏଁ ୧୦ହଜାର ୫ବର୍ଷ ଦିଆଯିବ। ଏହି ଯୋଜନାକୁ ବ୍ଲକ, ପଂଚାୟତ, ଗାଁସ୍ତରରେ ବ୍ୟାପକ ସଚେତନତା ରଥ ଏବଂ ବିଭିନ୍ନ ସୂଚନା, ଶିକ୍ଷା ଯୋଗାଯୋଗ ମାଧ୍ୟମରେ ସୃଷ୍ଟି କରାଯାଉଛି,  ଯେଭଳି ମହିଳା ମାନେ ଠକାମିର ଶିକାର ନ‌ ହେବେ ସେ ଦିଗରେ ଦୃଷ୍ଟି ଦିଆଯାଉଛି ବୋଲି ଶ୍ରୀ ନାଗଭୁଷଣ କହିଥିଲେ। 

ସୂଚନା ଥାଉକି, ଏହି ଯୋଜନାରେ ଆବେଦନ କରୁଥିବା ସମ୍ଭାବ୍ୟ ହିତାଧିକାରୀ ମାନଙ୍କ ସୁବିଧା ପାଇଁ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରେ ମାଗଣାରେ ଆବେଦନପତ୍ର ଦାଖଲ କରାଯିବାର ବ୍ୟବସ୍ଥା ରହିଛି। ଯେଭଳି ଯୋଗ୍ୟ ହିତାଧିକାରୀ ମହିଳା କେହି ବଂଚିତ ରହିବେ ନାହିଁ ସେ ଦିଗରେ ଜିଲ୍ଲା ପ୍ରଶାସନ ସଂପୁର୍ଣ୍ଣ ଦୃଷ୍ଟି ଦେଉଛି ଏବଂ ଯଦି ଆବେଦନ କରିବା ପାଇଁ କୌଣସି ସ୍ଥାନରେ ଟଙ୍କା ଦାବି ହେଉଥିବାର ସୁରାକ୍ ମିଳେ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦୁଝର ଜିଲ୍ଲାପାଳ ପ୍ରେସ ବିବୃତି ମାଧ୍ୟମରେ ପୂର୍ବରୁ କହିଥିଲେ। 

ଆଜିର ଏହି ଜିଲ୍ଲାସ୍ତରୀୟ ପଦଯାତ୍ରା ସହ ସମଗ୍ର ଜିଲ୍ଲାର ପ୍ରତିଟି ବ୍ଲକ, ଗ୍ରାମପଂଚାୟତ ସ୍ତରରେ ଆୟୋଜନ କରାଯାଇ ସମସ୍ତ ଜନସାଧାରଣଙ୍କୁ ଏହି ଯୋଜନା ବିଷୟରେ ସଚେତନ କରାଯାଇଛି। ଆସନ୍ତା ୧୭ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ, ଭୁବନେଶ୍ୱର ଠାରେ ଏହି ଯୋଜନାର ସଫଳ ଉଦ୍ଘାଟନ କରିବେ ଏବଂ ସେହି ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ଏହି ଯୋଜନାକୁ ନେଇ ଚଞ୍ଚଳତା ଦେଖା ଦେଇଛି।

0 Comments