ଭୁବନେଶ୍ବର: ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରେ ସୃଷ୍ଟ ହୋଇଥିବା ଲଘୁଚାପ । ବର୍ତ୍ତମାନ ଗଭୀର ଅବପାତଟି ବାଂଲାଦେଶ ଓ ପଶ୍ଚିମବଙ୍ଗ ଗାଙ୍ଗେଟିକ୍ ଅଞ୍ଚଳ ଉପରେ ରହିଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦେଇ ଗତି କରିବା ସହ ଆଜି ପାଇଁ ତୀବ୍ରତା ରହିବ । ଏହା ଗତ ୬ ଘଣ୍ଟା ଧରି ୨୮ କିମି ବେଗରେ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ପରେ ପୁଣି ଗଭୀର ଅବପାତଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଦୁର୍ବଳ ହେବା ସହ ୪୮ ଘଣ୍ଟା ମଧ୍ୟର

ଅବପାତରେ ପରିଣତ ହେବା ସହ ଝାଡଖଣ୍ଡ ଓ ଛତିଶଗଡ ଆଡକୁ ଗତି କରିବ ବା ଉପକୂଳ ଅତିକ୍ରମ କରିବ । ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ।

ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଦେଓଗଡ଼, ଅନୁଗୋଳ, କେନ୍ଦୁଝର, ସୋନପୁର, ବରଗଡ଼ ଓ ମୟୂରଭଞ୍ଜରେ ପ୍ରବଳ ବର୍ଷାର ଆଶଙ୍କା ନେଇ ଜାରି ହୋଇଛି ୟେଲୋ ଚେତାବନୀ । ସେପଟେ ୧୬ ତାରିଖରୁ କମିବ ବର୍ଷାର ପରିମାଣ । ତେବେ ସମୁଦ୍ର ମଧ୍ୟରେ ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆଜି ଠାରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏହାସହ ବନ୍ଦର ଗୁଡିକୁ ୩ ନମ୍ବର ବିପଦ ସଂକେତର ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶା ଉପକୂଳ ଅର୍ଥାତ ପାରାଦ୍ୱୀପ ଓ ଧାମରା ବନ୍ଦର ପାଇଁ ଏହି ୱାର୍ଣ୍ଣିଂ ରହିଛି।

ଆଜି ସାରା ରାଜ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ଜାରି କରାଯାଇଛି । ଆଜି ଅନେକ ସ୍ଥାନରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଲାରେ ଭୀଷଣ ବର୍ଷା ସହ ବିଜୁଳି ଘଡ଼ଘଡ଼ ସମ୍ଭାବନା ଥିବାରୁ ଏହି ୩ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ ଓ ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ସହ ବିଜୁଳି ଘଡ଼ଘଡ଼ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏଥିସହ ପ୍ରବଳ ବର୍ଷା ସହ ସହ ବିଜୁଳି ଘଡ଼ଘଡ଼ି ନେଇ ୧୩ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ଜିଲ୍ଲା ଗୁଡ଼ିକ ହେଉଛି କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବୌଦ୍ଧ, ଦେବଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ । ସେହିପରି ବିଜୁଳି ଘଡ଼ଘଡ଼ି ପାଇଁ କୋରାପୁଟ, ମାଲକାନଗିରି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ପୁରୀକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

0 Comments