ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ବିବାଦରୁ ସୃଷ୍ଟି ଆନ୍ଦୋଳନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଗାଦିଚ୍ୟୁତ କରିଛି । ଶେଖ ହସିନାଙ୍କ 15ବର୍ଷ କ୍ଷମତାର ଅନ୍ତ ଘଟିଛି । ବର୍ତ୍ତମାନ ଭାରତରେ ଶରଣ ପଶିଛନ୍ତି ହସିନା । ସେପଟେ ବାଂଲାଦେଶରେ କ୍ଷମତା ଗ୍ରହଣ କରି ଅନ୍ତରୀଣ ସରକାର ଗଠନର ଦାୟିତ୍ୱ ଭାର ନେଇଛି ସେନା । ତେବେ ପଡୋଶୀ ଦେଶରେ ରାଜନୈତିକ ହଟଚମଟର ବଡ ପ୍ରଭାବ ଭାରତ ଉପରେ ପଡିବାର ସମ୍ଭାବନା ଅଧିକ ରହିଛି । ଶେଖ ହସିନାଙ୍କ ଶାସନ ସମୟରେ ବାଂଲାଦେଶ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବେଶ ସୁଦୃଢ ଥିଲା । ହସିନାଙ୍କ ପକ୍ଷରୁ ଭାରତକୁ ଅଦ୍ଭୁତପୂର୍ବ ସମର୍ଥନ ମିଳୁଥିଲା । ବାଂଲାଦେଶର ବର୍ତ୍ତମାନ ସ୍ଥିତିରୁ ଚୀନ ଓ ପାକିସ୍ତାନ ଫାଇଦା ଉଠାଇ

ବେ । ଯାହା ଭାରତର ସୀମା ସୁରକ୍ଷା କ୍ଷେତ୍ରରେ ବିପଦ ଆଣିପାରେ ।

ବାଂଲାଦେଶ ସହ ଭାରତର ୪ ହଜାର ୦୯୬ କିଲୋମିଟର ସୀମା ରହିଛି । ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକର ସୀମାନ୍ତ ବାଂଲାଦେଶକୁ ଲାଗି ରହିଥିବାରୁ ଏହି ରାଜ୍ୟର ସୁରକ୍ଷାଗୁଡିକ ପାଇଁ ବାଂଲାଦେଶର ରଣନୀତି ଉପରେ ଦେଶ ଅନେକ ମାତ୍ରାରେ ନିର୍ଭର କରିଥାଏ । ଶେଖ ହସିନା ସୀମାବର୍ତ୍ତୀ ରାଜ୍ୟଗୁଡିକରେ ଗମନାଗମନ ସୁବିଧା, ବାଂଲାଦେଶରେ କାର୍ଯ୍ୟ କରୁଥିବା ମାଓବାଦୀ ଗୋଷ୍ଠୀ ଉପରେ କଟକଣା ଲଗାଇଥିବାରୁ ସୀମାନ୍ତ ରାଜ୍ୟଗୁଡିକରେ ସୁରକ୍ଷା ସମ୍ଭବ ହୋଇପାରିଥିଲା । ଏବେ ଶେଖ ହସିନାଙ୍କ କ୍ଷମତା ଯିବା ଭାରତ ଉତ୍ତର- ପୂର୍ବାଞ୍ଚଳ ଚିନ୍ତାକୁ ବଢାଇବ । ତେବେ ହସିନାଙ୍କ ଇସ୍ତଫା ପରେ ହିଁ ଗତକାଲି (ସୋମବାର)ଠୁ ଉତ୍ତର ପୂର୍ବ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ବାଂଲାଦେଶ ସ୍ଥିତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେଘାଳୟ ସୀମାନ୍ତରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିଲା ।

ଶେଖ ହସିନାଙ୍କ ଇସ୍ତଫା ପରେ ଏବେ ସେନା ଶାସନ କ୍ଷମତା ହାତକୁ ନେବା ସହ ଅନ୍ତରୀଣ ସରକାର ଗଠନ ଦାୟିତ୍ୱ ନେଇଛି । ହସିନାଙ୍କ ଇସ୍ତଫାର ତୁରନ୍ତ ପରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ମୁଖ୍ୟ ଖଲିଦା ଜିଆଙ୍କୁ ଜେଲରୁ ମୁକୁଳାଇବା ନେଇ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର ଖଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସରକାର ଗଠନ କରିବାର ସମ୍ଭାବନା ରହିଛି । ବିଏନପି ଯଦି ସରକାର ଗଢେ ତେବେ ଭାରତ ପାଇଁ ଏହା ଚିନ୍ତାଜନକ ହୋଇପାରେ । କାରଣ ବିଏନପି ଉଭୟ ଚୀନ ଓ ପାକିସ୍ତାନର ବଡ ସମର୍ଥକ ଏବଂ ଏହି ପାର୍ଟି ଇସଲାମିକ ଚିନ୍ତାଧାରରେ ରାଜନୀତିକୁ ବିଶ୍ବାସ କରେ । ବିଏନପି ସରକାରକୁ ଫେରିଲେ ଜମାତ ଫେରିବ ଓ ଜମାତ ଆସିବାର ଅର୍ଥ ବାଂଲାଦେଶରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପ୍ରବେଶ କରିବ । ବାଂଲାଦେଶରେ ପାକିସ୍ତାନ ପଶିବାର ଫାଇଦା ଚୀନ ଉଠାଇବ । ପଡୋଶୀ ଦେଶରେ ଚୀନର ଦବଦବା ବଢିବା ଅର୍ଥ ଭାରତର ସୀମା ସୁରକ୍ଷା ପ୍ରତି ବିପଦ ଆସିବା । ବାଂଲାଦେଶରେ ଇସଲାମୀୟ କଠୋରପନ୍ଥୀ ଚିନ୍ତାଧାରରେ ଶାସନ ଚାଲିଲେ ଭାରତର ଉତ୍ତର ପୂର୍ବାଞ୍ଚଳରେ ଅସ୍ଥିରତା ବୃଦ୍ଧି ପାଇବ । ସେଠାରେ ପାକିସ୍ତାନ ଓ ଚୀନ ବିଚ୍ଛିନ୍ନତାବାଦକୁ ପ୍ରଶୟ ଦେବେ । ଯାହାଦ୍ୱାରା ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହେବାର ଆଶଙ୍କା ରହିଛି ।

0 Comments