ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ । ପେନ୍‌ସିଲଭେନିଆରେ ଏକ ରାଲିରେ ଜନତାଙ୍କୁ ସମ୍ବୋଧନ କରୁଥିବା ସମୟରେ ହଠାତ ଗୁଳି ଫୁଟିଥିଲା । ଏଥିରେ ଟ୍ରମ୍ପ ଆହତ ହୋଇଛନ୍ତି । ତାଙ୍କର ଡାହାଣ କାନର ଉପରେ ଅଂଶରେ ଗୁଳି ବାଜି ବାହାରି ଯାଇଛି । ଗୁଳିମାଡ ପରେ ଟ୍ରମ୍ପଙ୍କ କାନ ଓ ଗାଲରେ ରକ୍ତଛିଟା ଲାଗିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେ ବିପଦମୁକ୍ତ ଥିବା ସରକାରୀ ସୁତ୍ରରୁ ପ୍ରକାଶ ପାଇଛି । ଅନ୍ୟପଟେ ସିକ୍ରେଟ ସର୍ଭିସଙ୍କ ଗୁଳିରେ ସନ୍ଦିଗ୍ଧ ଆକ୍ରମଣକାରୀ ନିହତ ହ

ୋଇଛି । ଅନ୍ୟପଟେ ରାଲିରେ ସାମିଲ ହୋଇଥିବା ଜଣେ ସାଧାରଣ ଜନତାଙ୍କ ଗୁଳି ବିନିମୟ ସମୟରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ।

୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟିରୁ ପ୍ରତିନ୍ଦ୍ୱନ୍ଦିତା କରୁଥିବା ଟ୍ରମ୍ପ ଶନିବାର ସନ୍ଧ୍ୟା ପାଖାପାଖି ୬ଟା ସମୟରେ(ଆମେରିକା ସମୟ ଅନୁଯାୟୀ) ପେନ୍‌ସିଲଭେନିଆରେ ନିର୍ବାଚନୀ ରାଲି କରୁଥିଲେ । ଏହି ସମୟରେ ଗୁଳିମାଡ ହୋଇଥିଲା । ଏକ ଭିଡିଓରୁ ଜଣାପଡୁଛି ଯେ,ରାଲିରେ ଜନତାଙ୍କୁ ସମ୍ବୋଧନ କରୁଥିବା ବେଳେ ହଠାତ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଟ୍ରମ୍ପ ପୋଡିୟମ ତଳେ ବସିପଡିଥିଲେ । ଟ୍ରମ୍ପଙ୍କ ସିକ୍ରେଟ ସର୍ଭିସ( ସିକ୍ୟୁରିଟି ଗାର୍ଡ) ତାଙ୍କୁ ସଙ୍ଗେ ସଙ୍ଗେ ଘେରି ନେଇଥିଲେ । ତେବେ ତାଙ୍କ ଡାହାଣ କାନ ଓ ଗାଲରେ ରକ୍ତ ଛିଟା ଲାଗିଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ବିପଦମୁକ୍ତ ଥିବା ସିକ୍ରେଟ ସର୍ଭିସ ପକ୍ଷରୁ ସୂଚନା ଜାରି କରାଯାଇଛି । ଆତତାୟୀ ୩ରୁ ୪ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡିଛି ।

ଜୀବନ ବଞ୍ଚାଇଥିବାରୁ ନିଜ ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ଗୁଳି ବିନିମୟରେ ନିହତ ହୋଇଥିବା ରାଲିରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ସମବେଦନା ଜଣାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି," ବର୍ତ୍ତମାନ ସୁଦ୍ଧା ଆକ୍ରମଣକାରୀ ବିଷୟରେ କିଛି ଜଣାପଡିନାହିଁ । ସେ ଏବେ ନିହତ। ଗୋଟିଏ ଗୁଳି ମୋ ଡାହାଣ କାନର ଉପର ଅଂଶରେ ଗୁଳି ବାଜି ବାହାରକୁ ବାହାରି ଯାଇଛି । ମୁଁ ଗୁଳି ବାଜିବାର ଶବ୍ଦ ଶୁଣି ଜାଣିଯାଇଥିଲି କିଛି ଘଟିଛି ବୋଲି । କାନରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଭଗବାନ ଆମେରିକାକୁ ଆଶିର୍ବାଦ କରନ୍ତୁ!"

ଘଟଣାକୁ କଡା ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, "ମୋ ବନ୍ଧୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ମୁଁ ଗଭୀର ଚିନ୍ତିତ । ଏହି ଅଘଟଣକୁ କଡା ନିନ୍ଦା କରୁଛି । ଗଣତନ୍ତ୍ର ଓ ରାଜନୀତିରେ ହିଂସାର କୌଣସି ସ୍ଥାନ ନାହିଁ । ଶୀଘ୍ର ଆରୋଗ୍ୟ କାମନା କରୁଛି ।"

0 Comments