ବହୁଚର୍ଚ୍ଚିତ କୋଲକାତା ଆର.ଜି କର ହସ୍ପିଟାଲରେ କନିଷ୍ଠ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗତକାଲି ସଂଧ୍ୟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ କୋଲକାତା ସମେତ ବିଶ୍ବବ୍ୟାପୀ ପ୍ରତିବାଦ ଦେଖିବାକୁ ମିଳିଛି । ଆମେରିକା ୟୁରୋପ, ଜାପାନ ଓ ଅଷ୍ଟ୍ରେଲିଆ ସମେତ ବିଶ୍ବର 25 ଦେଶର ପ୍ରାୟ 130 ସହରରେ ଏହି ପ୍ରତିବାଦ କରିଛନ୍ତି ସେଠାରେ ଥିବା ପ୍ରବାସୀ ଭାରତୀୟ । ଷ୍ଟୋକହମ, ନ୍ୟୁୟୁର୍କ ଓ ସିଡନୀ ପରି ସହରରେ ହଜାର ହଜାର ପ୍ରବାସୀ ଭାରତୀୟ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ଭାରତରେ ମହିଳାଙ୍କ ସୁରକ୍ଷା ଓ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସେମାନେ ଦାବି କରିଛନ୍ତି । କୋଲକାତାରେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରତିବାଦ ଦେଖାଯାଇଥିଲା । ହଜ

ାର ହଜାର ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ ହାତରେ ପ୍ଲାକକାର୍ଡ ଧରି କ୍ୟାଣ୍ଡେଲ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି ।

କୋଲକାତା ଆର.ଜି କର ହସ୍ପିଟାଲରେ କନିଷ୍ଠ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲାରେ ନୂଆ ଷ୍ଟାଟସ ରିପୋର୍ଟ ପ୍ରଦାନ କରିବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୀଡ଼ିତାଙ୍କ ଫଟୋ ସମସ୍ତ ସାମାଜିକ ଗଣମାଧ୍ୟମରୁ ତୁରନ୍ତ ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଆନ୍ଦୋଳନରତ ଡାକ୍ତରମାନେ ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା କାର୍ଯ୍ୟରେ (Duty) ଯୋଗ ଦେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ଯଦି ସେମାନେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟରେ ଯୋଗ ନ ଦିଅନ୍ତି, ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ ।

ପଶ୍ଚିମବଙ୍ଗ ସରକାର ଓ ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ପୀଡିତାଙ୍କ ମା’ । ପ୍ରଥମରୁ ଏହି ଜଘନ୍ୟ କାଣ୍ଡକୁ ଚାପି ଦେବା ପାଇଁ ଉଦ୍ୟମ ହୋଇଥିଲା । ପୋଲିସ ପ୍ରମାଣ ନଷ୍ଟ କରିବାକୁ ଯୋଜନା କରିଥିଲା । ପ୍ରମାଣ ନଷ୍ଟ କରି ମାମଲାର ମୋଡ ବଦଳାଇବା ପାଇଁ ବହୁ ପ୍ରୟାସ କରାଯାଇଛି ବୋଲି ଅଭିଯୋଗ କରିବା ସହ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରତିବାଦରେ ସାମିଲ ହେବାକୁ ମଧ୍ୟ ସେ ନିବେଦନ କରିଛନ୍ତି । ପୀଡିତାଙ୍କ ପିତା ମଧ୍ୟ ସମସ୍ତଙ୍କୁ ପ୍ରତିବାଦରେ ସାମିଲ ହେବାକୁ ନିବେଦନ କରିଛନ୍ତି ।

ସେପଟେ ଏହି ଘଟଣାରେ ମମତା ସରକାର ଉପରେ ଚାପ ବଢିବାରେ ଲାଗିଛି । କେନ୍ଦ୍ରୀୟ ସଂସ୍ଥା ‘ସିବିଆଇ’ ତଦନ୍ତ ଜାରି ରଖିଥିବା ବେଳେ ଏବେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଓ ଉକ୍ତ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରାଯାଇଛି । କୋଲକାତା ପୋଲିସର କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ଅସନ୍ତୋଷ ବଢିଛି । କାରଣ ଅଭିଯୁକ୍ତ ନିଜେ କୋଲକାତା ପୋଲିସରେ ଜଣେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟରତ ଥିଲା ଓ ସେହି କାରଣରୁ ସେ ହସ୍ପିଟାଲରେ ଅବାଧାରେ ପ୍ରବେଶ ମଧ୍ୟ କରୁଥିଲା । ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ବର୍ତ୍ତମାନର ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳା ସ୍ଥିତି ନେଇ ଏକ ଜରୁରୀ କ୍ୟାବିନେଟ ବୈଠକ ଆହୁତ କରିବା ଓ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

0 Comments