କୋଲକାତା: ବହୁ ଚର୍ଚ୍ଚିତ ଆରଜି କର ମହିଳା ଡାକ୍ତର ଦୁଷ୍କର୍ମ ମାମଲା । ଆନ୍ଦୋଳନରତ ଡାକ୍ତରଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନା ହୋଇପାରିନାହିଁ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, "ମୁଁ ଡାକ୍ତର ଛାତ୍ରଛାତ୍ରୀଙ୍କୁ ଅପେକ୍ଷା କରି ରହିଲି । ହେଲେ ସେମାନେ ଆସିଲେ ନାହିଁ । ମୁଁ ବି ପୂର୍ବରୁ ଅନେକ ଆନ୍ଦୋଳନ କରିଛି । ମୋର ଆଦୌ କ୍ଷମତା ଲୋଭ ନାହିଁ । ଲୋକଙ୍କ ସ୍ବାର୍ଥ ପାଇଁ ଆବଶ୍ୟକ ପଡ଼ିଲେ ମୁଁ ଇସ୍ତଫା

େଇଦେବି ।"

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି କହିଛନ୍ତି "ଜୁନିୟର ଡାକ୍ତରଙ୍କ ସହ ଆଲୋଚନା କରିବାକୁ ମୁଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲି । ମୁଁ ୩ ଦିନ ଧରି ସେମାନଙ୍କୁ ଅପେକ୍ଷା କରିଛି । ଯେମିତିକି ସେମାନେ ଆସି ନିଜ ସମସ୍ୟା ବିଷୟରେ ମୋତେ ଅବଗତ କରାଇପାରିବେ । ଏପରିକି ସେମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବି ଅବମାନନା କରିଛନ୍ତି । ତାହା ସତ୍ତ୍ବେ ବି ମୁଁ ସେମାନଙ୍କୁ ଭେଟିବାକୁ ଅପେକ୍ଷା କରି ରହିଥିଲି । ମୁଁ ମୁଖ୍ୟ ଶାସନ ସଚିବ, ଡିଜି, ଗୃହ ସଚିବ ସମସ୍ତଙ୍କୁ ନେଇ ଅପେକ୍ଷା କରିଥିଲି । ହେଲେ ସେମାନେ ଆସିଲେ ନାହିଁ । ଏଣୁ ମୁଁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି । ରାଜ୍ୟବାସୀ, ଦେଶବାସୀ ଏପରିକି ବିଶ୍ବବାସୀ ଯେଉଁମାନେ ସେମାନଙ୍କୁ ସମର୍ଥନ ଜଣାଉଛନ୍ତି ସମସ୍ତଙ୍କୁ କ୍ଷମା ମାଗୁଛି । ଆପଣ ସେମିତି ସମର୍ଥନ କରୁଥାନ୍ତୁ । ଆମେ ନ୍ୟାୟ ଚାହୁଁ। ଆମେ ରୋଗୀଙ୍କ ପାଇଁ ନ୍ୟାୟ ଚାହୁଁ । ସେମାନଙ୍କ ଚିକିତ୍ସା ପାଇଁ ଡାକ୍ତରମାନେ ଦୟାକରି କାର୍ଯ୍ୟରେ ଯୋଗ ଦିଅନ୍ତୁ ।"

ସୂଚନା ଅନୁସାରେ, ପଶ୍ଚମବଙ୍ଗ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ ଆନ୍ଦୋଳନରତ ଡାକ୍ତରଙ୍କ ଏକ ୧୨ ରୁ ୨୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନା ପାଇଁ ଆସନ୍ତୁ ବୋଲି ଆହ୍ବାନ କରିଥିଲେ । ଏନେଇ ସେ ବହୁ ସମୟ ଧରି ଅପେକ୍ଷା କରିଥିଲେୋ ବି ଆଲୋଚନା ପାଇଁ କେହି ଆସିନଥିବା ଜଣାପଡ଼ିଛି । ପୂର୍ବରୁ ଆନ୍ଦୋଳନରତ ଡାକ୍ତରମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଖୋଲା ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିଲେ ।

ଗତମାସ (ଅଗଷ୍ଟ) ୯ ତାରିଖରେ ଘଟିଥିଲା ଆରଜି କର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ସେବେ ଠାରୁ କୋଲକାତା ସମେତ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଡାକ୍ତର ଆନ୍ଦୋଳନ । ଯାହାକୁ ନେଇ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।


0 Comments