ଭୁବନେଶ୍ୱର: କାନ୍ସରେ ଓଡ଼ିଶାର ଜଲୱା । ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି ନିର୍ଦ୍ଦେଶକ ପ୍ରଣବ କୁମାର ଆଏଚ୍‌ଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ । ଏହି ଓଡ଼ିଆ ଡକ୍ୟୁମେଣ୍ଟ୍ରି ସିନେମା ଓଡ଼ିଶାର ଶତାୟୁ ଶିକ୍ଷକ ତଥା ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେଶିତ ହୋଇଥିବା ବେଳେ ଏହି ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ଇଣ୍ଡିଆ ପାଭିଲିୟନରେ ପ୍ରଦର୍ଶିତ ହୋଇଛି । ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମ ଖୁବ ପ୍ରଶଂସିତ ହେବା ସହ ଏହା ରାଜ୍ୟ ପାଇଁ ଗୌରବ ଆଣିଛି ।

ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଅଭୟ ପତିଙ୍କ ପ୍ରଯୋଜିତ ଏହି ଫିଲ୍ମ ପ୍ରଥମ ଓଡ଼ିଆ ଚଳଚିତ୍ର ଭାବେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ଥାନିତ ହୋଇଥିଲା । ଭାରତ ପର୍ବର ଉଦଯାପନୀ ସମାରୋହରେ ଫିଲ୍ମର ଟିମକୁ ନିମନ୍ତ୍ରଣ ମିଳିଥିବା ବେଳେ ଏନ୍‌ଏଫ୍‌ଡିସି ଓ ଫିକି ଦ୍ୱାରା ପରିଚାଳିତ ଇଣ୍ଡିଆ ପାଭିଲିଅନ୍‌ର ଉଦ୍‌ଯାପନୀ ସମାରୋହରେ ଚଳଚ୍ଚିତ୍ରର ପୋଷ୍ଟର୍ ଓ ଟ୍ରେଲର ରିଲିଜ ହୋଇଥିଲା । ମାର୍ଚ୍ଚ ୨୨ ସନ୍ଧ୍ୟା ୪ ଟା୧୫ ସମୟରେ ଫିଲ୍ମଟି ପ୍ରଦର୍ଶିତ କରାଯାଇଥିଲା ।

ଟ୍ରେଲର ଏବଂ ପୋ

ଷ୍ଟର ସଫଳତାର ସହ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ଇଣ୍ଡିଆ ପାଭିଲିୟନରେ ଚଳଚ୍ଚିତ୍ରର ରିଲିଜ ହୋଇଥିଲା । ଏଥିରେ ସାରା ବିଶ୍ୱରୁ ନିର୍ମାତା, ବିତରକ, ଅଭିନେତା ଯୋଗ ଦେଇଥିଲେ । ସମସ୍ତେ ପଦ୍ମଶ୍ରୀ ନନ୍ଦ ମାଷ୍ଟରଙ୍କ ସରଳତା ଏବଂ ସଫଳତା ଦ୍ୱାରା ବିସ୍ମିତ ହୋଇଥିଲେ । ଶୋ’ରେ ଉପସ୍ଥିତ ସମସ୍ତେ ଅଭୟ ଓ ପ୍ରଣବଙ୍କ ଦ୍ଵାରା ଚୟନ କରାଯାଇଥିବା ଏପରି କାହାଣୀକୁ ପ୍ରଶଂସା କରିଥିଲେ। ତେବେ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଦ୍ୱାରା ଗୋଟେ ଓଡ଼ିଆ ଚଳଚ୍ଚିତ୍ର କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବା ଦୁର୍ଦ୍ଦିନ ଦେଇ ଗତି କରୁଥିବା ଓଡ଼ିଆ ସିନେ ଜଗତ ପାଇଁ ନିଶ୍ଚିତ ରୂପେ ଆଶାର କିରଣ ସଦୃଶ ।

ତେବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ବେଶ ପ୍ରଶଂସା ସାଉଁଟିଥିବା ବେଳେ ଶିକ୍ଷା ପାଇଁ ସମର୍ପଣ ଥିବା ଜଣେ ଶତାୟୁ ଶିକ୍ଷକଙ୍କ କାହାଣୀ ଜାଣିଲା ପୁରା ବିଶ୍ୱ । ଆଉ ସିନେମାର ଏହି ସଫଳତାକୁ ନେଇ ଚଳଚିତ୍ରର ପୁରା ଟିମ ଭୁବନେଶ୍ୱରରେ ଫିଲ୍ମର ସଫଳତାର ଯାତ୍ରା ବିଷୟରେ ଜଣାଇଛନ୍ତି । ଆଉ ସିନେମାର ସଫଳତାକୁ ନେଇ ପ୍ରଯୋଜନା ସଂକେତ ଖୁସିଥିବା ବେଳେ ଏଭଳି ଏକ ପ୍ରେରଣାଦାୟୀ, ଶିକ୍ଷଣୀୟ ଏବଂ ନିଃସ୍ୱାର୍ଥପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କ କାହାଣୀ ନିଶ୍ଚିତ ରୂପେ ଏକ ଆଦର୍ଶ ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ପାଇଁ ଏକ ବଳିଷ୍ଠ ଉଦାହରଣ ହେବ ବୋଲି କହିଛି।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଅନ୍ତର୍ଗତ କନ୍ତିରା ଗାଁର ଶତାୟୁ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଛି ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ । ନନ୍ଦ ପୃଷ୍ଟିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ସାଇଶ୍ରେଷ୍ଠ ଦାସ ଓ ଅଙ୍ଗସା ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଶିବାଙ୍ଗୀ । ୧୦୩ ବର୍ଷ ବୟସ୍କ ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ସମୟରେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରି ଚର୍ଚ୍ଚାକୁ ଆସିଥିଲେ । ଆଉ ଏବେ ତାଙ୍କର ଏହି ବାୟୋପିକ ଫିଲ୍ମ ଅନ୍ତର୍ଜାତୀୟ ସ୍ତରରେ ବେଶ ପ୍ରଂଶସା ସାଉଁଟୁଛି । ତେବେ ଚଳଚ୍ଚିତ୍ରଟି ବିଭିନ୍ନ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ପରେ ୨୦୨୪ ଶେଷ ସୁଦ୍ଧା ମୁକ୍ତିଲାଭ କରିବାର ପ୍ରୟାସ ରହିଛି ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା ।

ନିର୍ଦ୍ଦେଶକ ପ୍ରଣବ ୫୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଶଂସିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ନିର୍ଦ୍ଦେଶନା ପାଇଁ ଜଣାଶୁଣା । ବେଜିଂ ଫିଲ୍ମ୍ ଫେଷ୍ଟିଭାଲ, ଡର୍ବାନ ଫିଲ୍ମ୍ ଫେଷ୍ଟିଭାଲ, ତିରାନା, ଇକୋଟପ୍ ଭଳି ଅନେକ ଜଣାଶୁଣା ଫିଲ୍ମ ଫେଷ୍ଟିଭାଲ୍‌ରେ ତାଙ୍କ ସିନେମା ପ୍ରଶଂସା ସାଉଁଟିଛି । ଚଳିତ ବର୍ଷ ଇଣ୍ଡିଆ ପାଭିଲିଅନ୍‌ର ନାମ ଭାରତ ପର୍ବ ରଖାଯାଇଥିଲା । ଯେଉଁଥିରେ ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ ପ୍ରଦର୍ଶିତ ହୋଇଥିଲା । କହିରଖୁଛୁ କି, ଏହି ସମୟରେ ଅନେକ ବଲିଉଡ ଫିଲ୍ମ ଅଜୟ ଦେବଗନ୍‌, ତବୁଙ୍କ ଫିଲ୍ମ ‘ଔରୋ ମେଁ କାହାଁ ଦମ୍’, ଅଭିଜିତ ଅଧ୍ୟାୟଙ୍କ ‘ଆଡ୍ ରିକା’, ଦିବ୍ୟା ଖୋସଲାଙ୍କ ‘ସାଭୀ’ ଓ ପ୍ରତୀକ ଗାନ୍ଧୀଙ୍କ ‘ହାର୍ନା’ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

0 Comments