ପୁରୀ: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଯେଉଁଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ରଥଯାତ୍ରା ନୀତି ନିର୍ଘଣ୍ଟ ହୋଇଛି । ରବିବାର ମହାପ୍ରଭୁଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ସହିତ ନବଯୌବନ ଓ ନେତ୍ରୋତ୍ସବ ନୀତି ଅନୁଷ୍ଠିତ ହେବ। ଗୋଟିଏ ଦିନରେ ଶ୍ରୀଗୁଣ୍ଡିଚା ଯାତ୍ରା ସହ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଭକ୍ତଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି ।

ରାତି ପାହିଲେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ତେବେ ଆଜି ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହେବ । ୩ ରଥର ପୂଜାପଣ୍ତା ସାମନ୍ତଙ୍କ ଦ୍ୱାରା ରଥ ଆଜ୍ଞାମାଳ ବିଜେ ପରେ ଆରମ୍ଭ ହେବ ରଥଟଣା । ରଥଖଳାରୁ ସିଂହଦ୍ୱାରକୁ ପୋଲିସ ଅଧିକାରୀ ଓ ଭକ୍ତମାନେ ଟାଣି ନେଇଯିବେ ତିନିରଥକୁ। ପରମ୍ପରା ଅନୁଯାୟୀ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯାଇ ସିଂହଦ୍ୱାରକୁ ଅଣାଯିବ । ୩ ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ତେବେ ତିନିରଥ ସିଂହଦ୍ୱାରରେ ପହଞ୍ଚି ସାରିବା ପରେ ପବିତ୍ର ଘୋଷଯାତ୍ରାକୁ ସମସ୍ତ ଭକ୍ତଙ୍କ ଅପେକ୍ଷା। ସେପଟେ ଚଳିତ ବର୍ଷ ରଥଯାତ୍ରା ଦିନ ହିଁ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ । ରଥଯାତ୍ରା ଦିନ ରଥ ଉପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହ ରଥଟାଣି ନିଜକୁ କୃତାର୍ଥ ମନେ କରିବେ। ଭକ୍ତ ଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶୃଙ୍ଖଳିତ ଟ୍ରାଫିକ କିଭଳି କାର୍ଯ୍ୟକାରୀ ହୋଇପାରିବ ସେନେଇ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ପୋଲିସର ସୂଚନା ଅନୁସା

େ ଜାତୀୟ ରାଜପଥ ଏବଂ ପୁରୀର ସମସ୍ତ ପ୍ରବେଶ ପଥ ଗୁଡ଼ିକରେ ପାଖାପାଖି ୪୦ ଟି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ଏହାଦ୍ବାରା ଟ୍ରାଫିକକୁ ନିୟନ୍ତ୍ରଣ କରାଯାଇପାରିବ ।

ଚଳିତ ବର୍ଷ ଟ୍ରାଫିକ ସୁପରିଚାଳନା କରିବା ପାଇଁ ପ୍ରଥମ ଥର କରି ଏଆଇ ଟେକ୍ନୋଲୋଜିର ଡ୍ରୋନ ବ୍ୟବହାର କରାଯିବ। ଲୋକଙ୍କୁ ସୂଚନା ଦେବା ପାଇଁ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲ୍ ଗେଟ୍, ମାଳତିପାଟପୁର ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡିକରେ ବଡ଼ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯିବ । ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ପୁରୀକୁ ଆସୁଥିବା ଭକ୍ତ ମାନେ କେଉଁ ସ୍ଥାନରେ ପାର୍କିଂ କରିବେ, ଟ୍ରାଫିକର ସ୍ଥିତି କ'ଣ ରହିଛି, କେଉଁ ରାସ୍ତା ଦେଇ ଯିବେ ସେନେଇ ସମ୍ପୁର୍ଣ୍ଣ ସୂଚନା ପ୍ରଦାନ କରାଯିବ। ସେହିପରି ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ମଧ୍ୟ ପୋଲିସ ପକ୍ଷରୁ କାର୍ଯ୍ୟକାରୀ କରାଯିବ।

ଚଳିତ ବର୍ଷ ଭକ୍ତ ଏବଂ ଯାତ୍ରୀଙ୍କୁ ସହାୟତା ଏବଂ ସୂଚନା ପ୍ରଦାନ ପାଇଁ ହ୍ବାଟ୍ସ ଆପ ଚାଟ୍ ବର୍ଟର ବ୍ୟବସ୍ଥା ରହିଥିବାବେଳେ ଲୋକମାନେ କ୍ୟୁ ଆର୍ କୋଡ୍ ସ୍କାନ୍ କରି ସମ୍ପୂର୍ଣ୍ଣ ସୂଚନା ପାଇପାରିବେ । ପୁରୀକୁ ଆସୁଥିବା ବସ୍ ଗୁଡିକ ପାଇଁ ଚାରୋଟି ପାର୍କିଂ ସ୍ଥଳର ବ୍ୟବସ୍ଥା ହୋଇଛି। ମାଳତୀପାଟପୁର, ତାଳବଣିଆ, ଫ୍ଲୋରିସ ଇଣ୍ଡିଆ ଏବଂ ନାଗପାଟଣାରେ ବସ୍ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି ।

ଚାରିଚକିଆ ଯାନ ପାଇଁ ୧୧ଟି ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି । ସଂସ୍କୃତ ବିଶ୍ଵବିଦ୍ୟାଳୟ, ଆଇଟିଆଇ କଲେଜ, ହର୍ଟିକଲ୍ଚର , ତାଳବଣିଆ ଫିସ୍ ମାର୍କେଟ, ଯାତ୍ରୀକା, ନାଲି ଫିଲ୍ଡ, ଜେବିପିସି, ଛପନ ଛକ ଏବଂ ସମଙ୍ଗରେ ଚାରିଚକିଆ ଓ ହାଲୁକା ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ଦୁଇ ଚକିଆ ଯାନ ପାର୍କିଂ ପାଇଁ ୬ ଟି ସ୍ଥାନରେ ବ୍ୟବସ୍ଥା ହୋଇଥିବା ବେଳେ ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡ, ମାଟି ତୋଟା, ନିଳାଚଳ ଅଶୋକ ଓ ବ୍ଲୁ ଫ୍ଲାଗ ବିଚ୍ ରେ ପାର୍କିଂ ସୁବିଧା କରାଯାଇଛି । ପାସ୍ ଥିବା ଚାରିଚକିଆ ଯାନ ଗୁଡିକ ଜେବିପିସିରେ ପାର୍କିଂ କରିବାର ବ୍ୟବସ୍ଥା ହୋଇଥିବା ବେଳେ ପାସ୍ ନଥିବା ଗାଡିଗୁଡିକ ତାଳବଣିଆ ଇନଡୋର ଷ୍ଟାଡିୟମ୍, ଫିସ୍ ମାର୍କେଟ ଓ ସମଙ୍ଗ ଠାରେ ବ୍ୟବସ୍ଥା ହୋଇଛି । ଦୁଇ ଚକିଆ ଯାନ ଗୁଡିକ ଜେଲ୍ ରୋଡ ଏବଂ ମାଟି ତୋଟାରେ ପାର୍କିଂ କରିବେ ।

ସେହିପରି ଭିଭିଆଇପି ପାର୍କିଂ ପାଇଁ ଗଦାଧର ସ୍କୁଲ୍ ରେ ବ୍ୟବସ୍ଥା ହୋଇଛି । ଟ୍ରାଫିକ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୪ କମାଣ୍ଡାଣ୍ଟ, ୭ ଜଣ ଅତିରିକ୍ତ ଏସପି, ୧୯ ଡିଏସପି, ୫୫ ଇନ୍ସପେକ୍ଟର, ୩୩୭ ଏଏସଆଇ ଏବଂ ଏସଆଇ, ୧୩ ଶହ ହୋମଗାର୍ଡ ଙ୍କ ସହ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସେହିପରି ଟୁରିଷ୍ଟ ବସ୍ ମାଳତିପାଟପୁର ବସ୍ ଷ୍ଟାଣ୍ଡରେ ପାର୍କିଂ କରିବେ । ତେବେ ପୁରୀକୁ ଦୈନିକ ଯାତାୟତ କରୁଥିବା ବସ୍ ଗୁଡ଼ିକ ମାଳତିପାଟପୁର ଓଜର ବ୍ରିଜ୍ ଦେଇ ତାଳବଣିଆ ଠାରେ ଅସ୍ଥାୟୀ ବସ୍ ଷ୍ଟାଣ୍ଡରେ ଯାତାୟତ କରିବେ ।

ଏହି ଟ୍ରାଫିକ କଟକଣା ୬ ତାରିଖ ମଧ୍ୟ ରାତ୍ରିରୁ ଲାଗୁ ହେବ। ସମ୍ପୂର୍ଣ୍ଣ ବଡ଼ଦାଣ୍ଡ କୁ ନୋ ଭେଇକିଲ୍ ଜୋନ୍ କରାଯିବ । ପୁରୀକୁ ଆସୁଥିବା ଭକ୍ତ ଓ ଯାତ୍ରୀ ଙ୍କ ର କୌଣସି ଅସୁବିଧା ହେଲେ ପୋଲିସ ସହାୟତା ପାଇଁ ୭୩୮୧୬୯୦୯୦୦ ନଂ ରେ ଯୋଗାଯୋଗ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି ।

ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାରେ ମହାମହିମ ରାଷ୍ଟ୍ରପତି ଚଳିତ ବର୍ଷ ସାମିଲ ହେବା ସହ ରଥ ଟାଣିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମଗ୍ର ସହର ସୁରକ୍ଷା ବଳୟ ଭିତରେ ରହିବ । ତେଣୁ ରଥଯାତ୍ରା ଭିଡ଼କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ସହ ବିଭିନ୍ନ ବିଭାଗ ସମନ୍ବୟ ରକ୍ଷା କରିବା ପାଇଁ ମକଡ୍ରିଲ୍ କରାଯାଇଛି ।

ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ପାଇଁ ପୋଲିସ ବିଭାଗ ପକ୍ଷରୁ ବଡ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରଥଯାତ୍ରାରେ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ। ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ବରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ୪ ଅତିରିକ୍ତ ଡିଜି, ୬ ଜଣ ଆଇଜି ଓ ଡିଆଇଜି ରାଙ୍କ ଅଫିସର, ୧୯ ଜଣ କମାଣ୍ଡାଣ୍ଟ ଏବଂ ଏସପି ରାଙ୍କ ଅଫିସର, ୩୩ ଅତିରିକ୍ତ ଏସପି ଏବଂ ଡେପୁଟି କମାଣ୍ଡାଣ୍ଟ ଙ୍କ ସହ ୧୩୦ ଜଣ ଇନ୍ସପେକ୍ଟର ମୁତୟନ ହେବେ । ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବ । ସେହିପରି ୩ ପ୍ଲାଟୁନ ସୁଇପ୍ଟ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହେବେ।

ରଥଯାତ୍ରା ଓ ପରଦିନ ଦୁଇଦିନ ଧରି ଏହି ସୁରକ୍ଷା ବ୍ୟବସ୍ଥା ରହିବ ।‌ ତେବେ ମହାପ୍ରଭୁଙ୍କ ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

0 Comments