ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା। ଏଥିସହ ପବନର ବେଗ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ରହିବ ବୋଲି ପାଣିପାଗ ପକ୍ଷରୁ ଆକଳନ କରାଯାଇଛି। । ୨୧ ଓ ୨୨ ତାରିଖରେ ବଢିବ ବର୍ଷାର ପରିମାଣ । ତେବେ ଆସନ୍ତା ୫ ଦିନ ଯାଏଁ ବର୍ଷା ସମ୍ଭାବନା ରହିଥିବା

ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୪ ଘଣ୍ଟା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ହୋଇଥିବା ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଦେଓଗଡ, ସୁନ୍ଦରଗଡ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡା ଓ ପୁରୀ। ଏଥିସହ ଆଗାମୀ ଦୁଇ ଦିନ ଯାଏଁ ଗରମ ଗୁଳୁଗୁଳିରୁ ତ୍ରାହି ନାହିଁ ବୋଲି ପାଣପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉପକୂଳ ସମେତ ଉତ୍ତର ଉପକୂଳ ଓ ଦକ୍ଷିଣ ଓଡିଶା ଗୁଳୁଗୁଳିରେ ସନ୍ତୁଳି ହେବ । ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ଗୁଳୁଗୁଳି ଅନୁଭୁତ ହେବ। ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

ରାଜ୍ୟରେ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। ସେପଟେ କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ଅଂଶକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବା ବେଳେ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ପାଣିପାଗ କେନ୍ଦ୍ର କହିଛି। ମୌସୁମୀ ଅଗ୍ରସର ସତ୍ତ୍ବେ ୩ ଜିଲ୍ଲା ପାଇଁ ହିଟୱେଭ୍‌ ସତର୍କତା ଦେଇଛି ବିଭାଗ। ୨୩ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ହେବାକୁ ଥିବା ବେଳେ ବାଲେଶ୍ବର, ମୟୂରଭଞ୍ଜ, ବଲାଙ୍ଗିରରେ ହିଟୱେଭ୍‌ ରହିବ। ତେବେ ପାଗ ଅନୁକୂଳ ଥିବାରୁ ଆସନ୍ତା ୩ ଦିନରେ ରାଜ୍ୟର ଅନେକ ଜିଲ୍ଲାକୁ ଛୁଇଁବ ମୌସୁମୀ ବାୟୁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ୪୭ ମଲିମିଟର ନବରଙ୍ଗପୁରରେ ରେକର୍ଡ କରାଯାଇଛି । ସେହିପରି ୪୨.୩ ନୂଆପଡ଼ା ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।

0 Comments