ପୁରୀ: ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସରିଲା ଅଧରପଣା ନୀତି । ଅଧରହାଣ୍ଡି ଭଙ୍ଗାଯିବା ପରେ ପଣା ପାଇ ତୃପ୍ତ ହୋଇଛନ୍ତି ଚଣ୍ଡି ଚାମୁଣ୍ଡା ଓ ଅଶରୀରୀ । ଆଜି ଆଷାଢ ଶୁକ୍ଳ ଦ୍ବାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା । ତିନି ଠାକୁରଙ୍କ ଠାରେ 9ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଥିଲା । ଏହାପରେ ଅଧର ପଣାକୁ ଚଣ୍ଡି ଚାମୁଣ୍ଡା, ଅଶରୀରୀଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା ।

pan>

ଶ୍ରୀଜିଉ ବଡ଼ ଦେଉଳରୁ ବଡ଼ଦାଣ୍ଡକୁ ବାହାରି ଆସିବା ପରେ ତାଙ୍କ ଦର୍ଶନ ପାଇଁ ଚାହିଁ ବସିଥାନ୍ତି ଚଣ୍ଡିଚାମୁଣ୍ଡା ଓ ଅଶରୀରୀ । ବାହୁଡ଼ା ଯାତ୍ରା ପରେ ନୀଳକନ୍ଦରକୁ ପୁଣି ବିଜେ କରିବା ପୂର୍ବରୁ ଆଷାଢ ଶୁକ୍ଳ ଦ୍ବାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହୁଏ । ରଥ ଉପରେ ବିଜେ କରିଥିବା ଶ୍ରୀବିଗ୍ରହଙ୍କ ଠାରେ ଅଧରପଣା ଲାଗି ହୁଏ । ତିନି ଠାକୁରଙ୍କଠାରେ 9ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଥାଏ । ଛାଚି, ସର, କର୍ପୂର, ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, ଜାଇଫଳ ଆଦି ପଡ଼ି ପଣା ପ୍ରସ୍ତୁତ ହୁଏ । ରଥ ଉପରେ ମହାସୁଆରମାନେ ଅଧର ପଣା ପ୍ରସ୍ତୁତ କରନ୍ତି ।

ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ଓଡ଼ିଆ ମଠ ପଣା ପାଇଁ ସାମଗ୍ରୀ ଯୋଗାଇ ଦେଇଥାନ୍ତି । ପଣା ପାଇଁ ଛାଉଣୀ ମଠ ସାମ୍ନା କୂଅରୁ ଆସେ ପାଣି । କୂଅରୁ ଗରାରେ ଜଳ କାଢି ରଥ ଉପରେ ଥିବା ବଡ଼ ପିତ୍ତଳ ହଣ୍ଡାରେ ରଖିଥାନ୍ତି । ପଣା ପ୍ରସ୍ତୁତି ପରେ ଶ୍ରୀଜିଉଙ୍କ ଅଧରକୁ ସ୍ପର୍ଶ କରୁଥିବା ମାଟି ହାଣ୍ଡି ଗୁଡ଼ିକରେ ପଣାକୁ ରଖାଯାଏ । ପାଳିଆ ପୂଜାପଣ୍ଡା ସାମନ୍ତ ପଞ୍ଚ ଉପଚାରରେ ଦାରୁବିଗ୍ରହଙ୍କୁ ପଣା ଭୋଗ ଅର୍ପଣ କରିଥାନ୍ତି। ଏହାପରେ ଶ୍ରୀଜିଉଙ୍କ ସାମ୍ନାରେ ପଣାହାଣ୍ଡିଗୁଡ଼ିକୁ ଭାଙ୍ଗି ଦିଆଯାଇଥାଏ ।

ଏହି ଅଧରପଣାକୁ ୩ ରଥରେ ବିଜେ କରିଥିବା ପାର୍ଶ୍ବ ଦେବାଦେବୀ, ଅସୁର, ଅଶରୀରୀ, କିନ୍ନର, ନାଗ, ଚଣ୍ଡୀ, ଚାମୁଣ୍ଡା, ଭୂତ, ପ୍ରେତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କାରଯାଇଥାଏ । ଏହା ଦ୍ବାରା ସେମାନେ ମୁକ୍ତିଲାଭ କରିଥାନ୍ତି ବୋଲି ବିଶ୍ବାସ ରହିଛି । ପୂର୍ବରୁ ତିନି ଦିନ ହେଉଥିଲା ଅଧରପଣା ନୀତି ଅନୁଷ୍ଠିତ ହେଉଥିଲା । ମାତ୍ର କାଳକ୍ରମେ ସମୟ ଅଭାବରୁ ଦ୍ବାଦଶୀରେ ଏହି ନୀତି ଅନୁଷ୍ଠିତ ହେଉଛି । ଠାକୁରଙ୍କଠାରେ ପଣା ଲାଗି ହେବା ପରେ ହାଣ୍ଡି ଭଙ୍ଗାଯାଇ ଚଣ୍ଡିଚାମୁଣ୍ଡା, ଅଶରୀରୀଙ୍କ ପାଇଁ ଉତ୍ସର୍ଗ କରାଯାଏ । ତେବେ ଆଜି ଅଧରପଣା ନୀତି ସମ୍ପନ୍ନ ହୋଇଥିବା ବେଳେ ଆସନ୍ତାକାଲି ଶ୍ରୀଜିଉ ନୀଳକନ୍ଦରକୁ ବିଜେ କରିବେ ।

0 Comments