ଭୁବନେଶ୍ୱର:ଭୋଗରାଇର ନିଷ୍ପେଷିତା ଛାତ୍ରୀ ଆତ୍ମାହୁତି ଦେବା ପରେ ସାରା ଓଡିଶା ଜଳୁଛି । ଏହି ନିଆଁ ପହଂଚିଛି ଜାତୀୟ ରାଜଧାନୀ ଦିଲ୍ଲୀରେ । ଏହି ଘଟଣାକୁ ନେଇ ଲୋକସଭା ସାଂସଦ ତଥା ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ପୀଡ଼ିତାଙ୍କ ବାପାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ ଲାଲୁ ରାହୁଲ ଗାନ୍ଧୀ ଏବଂ ମୃତ ଛାତ୍ରୀଙ୍କ ପିତା ସହ କଥାବାର୍ତ୍ତାର ସଂଯୋଜନା କରାଇଥିଲେ।
ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଏବଂ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ଆଜି ପୀଡ଼ିତାଙ୍କ ବାପାଙ୍କ ସହ ଫୋନ୍ ଯୋଗେ କଥା ହେବା ପରେ ରାହୁଲ ତାଙ୍କ ଟୁଇଟର ହାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, "ଓଡିଶା ବାଲେଶ୍ୱର ଜିଲ୍ଲାରେ ନ୍ୟାୟ ପାଇଁ ଲଢେଇ କରି ଜୀବନ ଦେଇଥିବା ସାହାସୀ ଝିଅର ବାପାଙ୍କ ସହ କଥା ହୋଇଥିଲି । ତାଙ୍କ ସ୍ୱରରେ ଝିଅକୁ ହରାଇଥିବାର ଦୁଃଖ, ସ୍ବପ୍ନ ଏବଂ ସଂଘର୍ଷ ଅନୁଭବ କରିପାରିଲି ।"
ସେ ଆହୁରି ଲେଖିଛନ୍ତି, "କଂଗ୍ରେସ ଦଳ ଏବଂ ମୁଁ ପ୍ରତି ପାଦରେ ତାଙ୍କ ସହ ଅଛୁ । ତାଙ୍କ ସହ ଯାହା ହେଲା ତାହା ଅତ୍ୟନ୍ତ ଅମାନବୀୟ ଏବଂ ଲଜ୍ଜାଜନକ । ପୁରା ସମାଜ ପାଇଁ ଏହା
ଏକ ଆଘାତ । ଯେ କୌଣସି ପରିସ୍ଥିତିରେ ଆମେ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ନ୍ୟାୟ ଦେବୁ । "
ଭୁବନେଶ୍ୱରର ଏମ୍ସରେ ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିବା ପରେ କଂଗ୍ରେସ ସାଂସଦ ଗତ କାଲି ମଧ୍ୟ ଏକ ଟ୍ୱିଟ କରିଥିଲେ । ଏଥିରେ ରାହୁଲ ଗାନ୍ଧୀ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ବିଜେପି ଶାସନ ବ୍ୟବସ୍ଥାର ଅବ୍ୟବସ୍ଥା ତାଙ୍କ ମୃତ୍ୟୁର କାରଣ ବୋଲି ସେ ଏଥିରେ ସିଧାସଳଖ କହିଛନ୍ତି କହିଛନ୍ତି।
ସେ ଏଥିରେ ଲେଖିଥିଲେ, "ଏହି ସାହସୀ ଛାତ୍ରୀ ଯୌନ ଶୋଷଣ ବିରୋଧରେ ସ୍ୱର ଉଠାଇଥିଲେ । ହେଲେ ତାଙ୍କୁ ନ୍ୟାୟ ଦେବା ବଦଳରେ ଧମକ ଦିଆଗଲା । ପ୍ରତାରିତ କରାଗଲା । ବାରମ୍ବାର ଅପମାନିତ କରାଗଲା ।"
ସେ ଏହି ପୋଷ୍ଟରେ ଆହୁରି ଲେଖିଛନ୍ତି, "ଯିଏ ତାଙ୍କୁ ରକ୍ଷା କରିବା କଥା ସେ ହିଁ ତାଙ୍କୁ ହତାଶ କଲେ ।" ଏଥିପାଇଁ ରାଜ୍ୟ ବିଜେପି ସରକାରର ସିଷ୍ଟମକୁ ଦାୟୀ କରି ରାହୁଲ କହିଛନ୍ତି "ଏକ ନୀରିହ ଝିଅ ନିଜକୁ ନିଆଁରେ ଜାଳି ନିଃଶେଷ କରିଦେବାକୁ ବାଧ୍ୟ ହୋଇଥିଲା । ଏହା ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ୱାରା ସଂଗଠିତ ହତ୍ୟା ।"