ଭୁବନେଶ୍ୱର - ବାଲେଶ୍ୱର ଏଫ ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି (ଗୁରୁବାର) କଂଗ୍ରେସ ସମେତ ୮ ଟି ରାଜନୈତିକ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱରରେ ଆଠଟି ବିରୋଧୀ ରାଜନୈତିକ ଦଳ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଓଡ଼ିଶାର ଜନସାଧାରଣ, ସମସ୍ତ ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ ୟୁନିୟନ, କୃଷକ ସଂଗଠନ, ମହିଳା, ଯୁବକ, ଛାତ୍ର ଏବଂ ସମାଜର ସମସ୍ତ ବର୍ଗଙ୍କୁ ଜୁଲାଇ ୧୭ରେ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ନିବେଦନ କରିଛନ୍ତି। ଡବଲ ଇଞ୍ଜିନ ବିଜେପି ସରକାରଙ୍କ କୁଶାସନ ବିରୁଦ୍ଧରେ ଏହି ବନ୍ଦ ମହିଳାଙ୍କ ସମ୍ମାନ ଏବଂ ସୁରକ୍ଷା ପାଇଁ ଓଡ଼ିଶା ଲୋକଙ୍କର ବନ୍ଦ ହେଉ ବୋଲି ମିଳିତ ବିରୋଧୀ ଦଳ କହିଛନ୍ତି ।
ଅତ୍ୟାବଶ୍ୟକ ସେବା, ଆମ୍ବୁଲାନ୍ସ, ରୋଗୀଙ୍କ ଚିକିତ୍ସା ଇତ୍ୟାଦି ବନ୍ଦରୁ ବାଦ ରହିବ। ବଜାର,ପରିବହନ, ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍, ଅଦାଲତ, ବ୍ୟାଙ୍କ୍ ଏବଂ ବୀମା ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ଇତ୍ୟାଦିକୁ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ। ଏଥିପାଇଁ ଜନସାଧାରଣ ସହଯୋଗ କରିବା ନିମନ୍ତେ ଅନୁରୋଧ କରାଯାଇଛି। ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ, ବାଲେଶ୍ୱର ସଦର ବିଧାୟକ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ମିଳିତ ବିରୋଧୀ ଦଳ ପକ୍ଷରୁ ଦୃଢ଼ ଭାବରେ ଦାବି କରଯାଇଛି।
: rgb(246, 246, 246);" />
ବାଲେଶ୍ୱର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଛି। ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଲୋକଙ୍କ ଧନ-ଜୀବନ ବିପନ୍ନ ହୋଇ ଆଇନର ଶାସନ ଭୁଶୁଡି ପଡିଛି ବୋଲି ମିଳିତ ବିରୋଧୀ ଦଳ କହିଛନ୍ତି। ଏହି ପ୍ରସଙ୍ଗରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ରବର ବୁଲେଟ ଚାଳନା, ପାଣି ମାଡ଼ ଭଳି ଅମାନୁଷିକ ଆକ୍ରମଣକୁ ମିଳିତ ବିରୋଧୀ ଦଳ ତୀବ୍ର ନିନ୍ଦା କରିଛି। ଲାଠି, ଗୁଳି, ପାଣି ମାଡ଼, ଏବଂ ଟିୟର ଗ୍ୟାସ୍ ଚାଳନା ରେ ଶାସନ ଚାଲେ ନାହିଁ ବୋଲି ବିରୋଧୀ ଦଳ ନେତାମାନେ ଉଦବେଗ ପ୍ରକାଶ କରି କହିଛନ୍ତି ।ରାଜ୍ୟରେ ମୋହନ ମାଝୀ ସରକାର ଶାସନ କରିବା ପାଇଁ ତାଙ୍କର ସମସ୍ତ ନୈତିକ ଅଧିକାର ହରାଇଛନ୍ତି ବୋଲି ବିରୋଧୀ ଦଳ ନେତୃବୃନ୍ଦ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି। ରାଜ୍ୟରେ ନାରୀର ସୁରକ୍ଷା ଏବଂ ଆଇନ ର ଶାସନ ପ୍ରତିଷ୍ଠା ପାଇଁ ମିଳିତ ବିରୋଧୀ ଦଳ ପ୍ରସଙ୍ଗ ଭିତ୍ତିକ ଆନ୍ଦୋଳନ ଜାରି ରଖିବ ବୋଲି ଘୋଷଣା କରାଯାଇଥିଲା।
ଆଜି ପୂର୍ବାହ୍ନ କଂଗ୍ରେସ ଭବନ ରେ ଅନୁଷ୍ଠିତ ମିଳିତ ସାମ୍ୱାଦିକ ସମ୍ମିଳନୀରେରେ କଂଗ୍ରେସ ଦଳ ତରଫରୁ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଦଳର ନେତା ରାମଚଂଦ୍ର କାଡାମ୍, ପୂର୍ବତନ ରାଜ୍ୟ ସଭାପତି ଜୟଦେବ ଜେନା, ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ସି ପି ଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସି ପି ଆଇ (ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସି ପି ଆଇ (ଏମ୍ ଏଲ)- ଲିବେରେସନ୍ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଏନ୍ ସି ପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ , ଏସ ପି ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ, ଆର୍ ଜେ ଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ରାଜ୍ୟ ନେତୃବୃନ୍ଦ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ ।