ପାଟଣା ( ବିଜୟ ମହାନ୍ତ): ପାଟଣା ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନ ୩ଟାରୁ ପ୍ରାୟ ୨ ଘଣ୍ଟାର ପ୍ରବଳ ବର୍ଷାରେ ଅନେକ ଅଞ୍ଚଳରେ ପୁଣି ଥରେ ବନ୍ୟା ଭ୍ରମ ସୃଷ୍ଟି ହୋଇଥିଲା । ରାସ୍ତାଘାଟ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେବା ସହ ଶତାଧିକ ବ୍ୟକ୍ତିଙ୍କ ଘରକୁ ବର୍ଷାଜଳ ପଶିଯାଇଥିଲା । ସେହିପରି ଡେଣୁଆଁ ଗ୍ରାମରେ ଶତାଧିକ ବ୍ୟକ୍ତିଙ୍କ ଘରେ ବର୍ଷାଜଳ ପଶି ଯିବାରୁ ପୁଣି ଥରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନେକ ଆସବାବପତ୍ର, ସାରା, ଜିନିଷପତ୍ର ନଷ୍ଟ ହୋଇଯାଇଛି। ଘରେ ପାଣି ଜମି ରହିବାରୁ ଲୋକେ ରୋଷେଇ କରିପାରି ନାହାନ୍ତି । ଡେଣୁଆଁ ଗ୍ରାମରେ ସାମାନ୍ୟ ବର୍ଷା ହେଲେ ଡ୍ରେନ୍ ପାଣି ଘରକୁ ପଶିଯାଉଛି । ପଞ୍ଚାୟତ ତରଫରୁ ଡ୍ରେନ୍ ସଫେଇ କରାଯାଇ ନ ଥିବାରୁ ଓ ଅନେକ ସ୍ଥାନରେ ଜବରଦଖଲ ସମସ୍ୟା ରହିଥିତ୍ବାରୁ ଡ୍ରେନ୍ ପାଣି ନିଷ୍କାସିତ ହୋଇପାରୁ ନାହିଁ । ବୁଧବାର ଅପରାହ୍ନ ୩ଟାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ଏହାର ମାତ୍ର କିଛି ସମୟ ମଧ୍ୟରେ ଡେଣୁଆଁ ରାସ୍ତାରେ ପ୍ରବଳ ବର୍ଷାଜଳ ପ୍ରବାହିତ ହୋଇ ବିଭିନ୍ନ ଲୋକଙ୍କ ଘରକୁ ଡ୍ରେନ୍ ପାଣି ପଶିଯାଇଥିଲା । ଏହାର ପ୍ରତିବାଦରେ ଗ୍ରାମର ଶତାଧିକ ଯୁବକ ଓ ଜନସାଧାରଣ ଡେଣୁଆଁ ଛକ ନିକଟରେ ରାସ୍ତାକୁ ଅବରୋଧ କରିଥିଲେ । ରାସ୍ତା ଅବରୋଧ କରାଯିବା ଫଳରେ ରାସ୍ତାରେ ଶତାଧିକ
ଗାଡିମୋଟର ଅଟକି ରହିଥିଲା । ସୂଚନାଯୋଗ୍ୟ; ଗୁଡା ସାହି ଠାରୁ ସାହୁ ସାହି ଯାଇଥିବା ଡ୍ରେନ ଜବରଦଖଲ ଯୋଗୁଁ ବନ୍ଦ ହୋଇପଡିଛି । ଫଳରେ ଏହି ରାସ୍ତାରେ ପାଣି ପ୍ରବାହିତ ହୋଇ ନ ପାରି ଏହା ମହାନ୍ତ ସାହି ରାସ୍ତାଦେଇ ସାହୁ ସାହି ରାସ୍ତା ଉପର ଦେଇ ସାହୁ ସାହିର ଘର ଭିତରକୁ ଛୁଟୁଛି । ଏହା ସହିତ କେନ୍ଦେଇପଶି - ତୁରୁମୁଙ୍ଗା ରାସ୍ତାର ଡେଣୁଆଁ ଗ୍ରାମ ଦେଇ ଯାଇଥିବା ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ୍ ସଫେଇ ହୋଇ ନାହିଁ। ଏହି ଡ୍ରେନ୍ରେ ଜବରଦଖଲ ସମସ୍ୟା ଥିବାରୁ ପାଣି ନିଷ୍କାସିତ ହୋଇ ନ ପାରି ରାସ୍ତା ଉପର ଦେଇ ଘର ଭିତରକୁ ପଶି ଯାଉଛି । ବ୍ଲକ ପ୍ରଶାସନ ଜାଣି ଶୁଣି ଏହି ଡ୍ରେନ୍କୁ ସଫେଇ କରୁନାହିଁ ଓ ଜବରଦଖଲ ଉଚ୍ଛେଦ କରୁନାହିଁ ବୋଲି ରାସ୍ତା ଅବରୋଧ କରିଥିବା ଲୋକେ ଅଭିଯୋଗ କରିଥିଲେ । ସ୍ଥାନୀୟ ସରପଞ୍ଚ ହରିଶଙ୍କର ଦେହୁରୀ ଓ ନିର୍ବାହୀ ଅଧିକାରୀ ନିତେଶ ରାଉତ କୁ ଯୋଗ ଯୋଗ କରିଥିଲେ ମଧ୍ୟ ଘଟଣା ସ୍ଥଳକୁ ଆସିନଥିଲେ । ଫନ୍ ଯୋଗେ ଗ୍ରାମ ବାସୀମାନେ ନିର୍ବାହୀ ଅଧିକାରୀଙ୍କୁ ନାନା ପ୍ରଶ୍ନ କରିବା ସହ କେଉଁ କାରଣରୁ ଏହି ଡ୍ରେନ୍ ସଫେଇ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ । ଆଗାମୀ ୭ ଦିନ ମଧ୍ୟରେ ଡ୍ରେନ୍ ସଫେଇ ସହ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।