ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ପଦରେ ସେ ଆଉ ନାହାନ୍ତି । ବର୍ଷେ ହେଲା ବିରୋଧୀ ଦଳ ନେତା ଆସନରେ ଅଛନ୍ତି । ଆଗ ଭଳି ନିୟମିତ ଜିଲ୍ଲା ଗସ୍ତ କିମ୍ବା କାର୍ଯ୍ୟକ୍ରମରେ ସାମିଲ ହେଉନାହାନ୍ତି । କିନ୍ତୁ ତାଙ୍କର ପ୍ରଭାବ ରାଜ୍ୟ ରାଜନୀତି ପୂର୍ବ ଭଳି ଅତୁଟ ରହିଛି । ପଦେ କଥା କହିଦେଲେ କିମ୍ବା ତାଙ୍କର କେଇ ଧାଡି ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହୋଇ ଯାଉଛି । ଦଳୀୟ ନେତା, କର୍ମୀଙ୍କ ସମେତ ସାଧାରଣ ଲୋକଙ୍କ ମହଲରେ ଉତ୍ସାହ ଓ ସରକାରଙ୍କ ଉପରେ ଚାପ ବଢିଯାଉଛି
। ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁମ୍ବାଇରେ ଚିକିତ୍ସା ପରେ ଆଜି ଫେରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସୁସ୍ଥ ହୋଇ ଓଡିଶା ଫେରିବା ପରେ ଭୁବନେଶ୍ବର ବିମାନବନ୍ଦରରେ ଉଛୁଳା ଜନ ସମୁଦ୍ର ନବୀନଙ୍କ ଲୋକପ୍ରିୟତା ଅତୁଟ ଥିବା ବୟାନ କରିଛୁ ।
ମୁମ୍ବାଇରେ ଚିକିତ୍ସିତ ହେଉଥିବା ନବୀନ 22 ଦିନ ପରେ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ନବୀନଙ୍କୁ ଦଳର ବରିଷ୍ଠ ନେତା, କର୍ମୀ ଓ ସାଧାରଣ ଲୋକ ସ୍ୱାଗତ କରିଛନ୍ତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ବିଜେଡି କର୍ମୀ ଓ ନେତାଙ୍କର ଭିଡ଼ ଜମିଥିଲା । ଜୁନ 20 ତାରିଖରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବାବେଳେ ଜୁନ 22 ରେ ନବୀନଙ୍କର ଅସ୍ତ୍ରୋପଚାର ହୋଇଥିଲା । ଜୁଲାଇ 7 ତାରିଖରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ସର୍ଭିକାଲ ଆର୍ଥ୍ରାଇଟିସ ସମସ୍ୟା ପାଇଁ ମୁମ୍ବାଇ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲକୁ ଯିବେ ବୋଲି ନବୀନ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଥିଲେ । ତାଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ସେ ଚିକିତ୍ସିତ ହେଉଥିଲେ ।
ସର୍ଭାଇକାଲ ଆଥ୍ରାଇଟିସରେ ପୀଡ଼ିତ ଥିବା କଥା ନବୀନ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଚିକିତ୍ସା ଲାଗି ମୁମ୍ବାଇ ଯିବେ ବୋଲି ସେ କହିଥିଲେ । କଥା ବିଜୁଳି ବେଗରେ ବ୍ୟାପି ଗଲା । ଖୁବଶୀଘ୍ର ସୁସ୍ଥ ହୋଇ ଫେରିବା ଲାଗି ନବୀନଙ୍କୁ ଚାରିଆଡୁ ମିଳିଲା ଶୁଭେଚ୍ଛା ବାର୍ତ୍ତା । ଶୁଭେଚ୍ଛୁ ତାଲିକାରେ ଥିଲେ ନେତା, କର୍ମୀ, ଶାସକ, ବିରୋଧୀ ଓ ସାଧାରଣ ଲୋକ । ଜୁନ 22ରେ ମୁମ୍ବାଇ ଗସ୍ତରେ ଯିବା ସମୟରେ ନବୀନଙ୍କ ଗୋଟେ ଝଲକ ପାଇବା ପାଇଁ ନବୀନ ନିବାସରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାଏଁ ଭିଡ଼ ଜମିଥିଲା । ଓଡିଶା ରାଜନୀତିରେ ପ୍ରବେଶ କରିବା ପରେ ନବୀନ ପ୍ରଥମ ଥର ଲାଗି ରଥଯାତ୍ରା ସମୟରେ ରାଜ୍ୟ ବାହାରେ ଥିଲେ । କିନ୍ତୁ ହସ୍ପିଟାଲ ବେଡ଼ରୁ ନବୀନ ଦେଇଥିବା ଶୁଭେଚ୍ଛା ବାର୍ତ୍ତା ସାଧାରଣ ଲୋକଙ୍କୁ ଭାବୁକ କଲା । ଖାଲି ସେତିକି ନୁହେଁ, ଟିଭିରୁ ନବୀନ ରଥଯାତ୍ରା ଦେଖୁଥିବା ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଥିଲା ।