ଭୁବନେଶ୍ବର: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତୀବ୍ର ହେଉଛି ପ୍ରତିବାଦ । ପୀଡିତାଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାରେ ଗର୍ଜିଲା ବିଜେଡି । ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଲୋୟର ପିମ୍ଜି । ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ବିଜେଡି କର୍ମୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ । ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।
ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ବିଜେଡି ଆଜି ଲୋକସେବା ଭବନ ଘେରାଉ ଉଦ୍ୟମ କରିଛି । ବିଜେଡିର ଲୋକସଭା ଭବନ ଘେରାଉ ବେଳେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି । ବିଜେଡି କର୍ମୀମାନେ ବ୍ୟାରିକେଡ ଭାଙ୍ଗିବା ଉଦ୍ୟମ କରିବା ବେଳେ ପୋଲିସ ପକ୍ଷରୁ ବିଜେଡିର ଆନ୍ଦୋଳନକାରୀଙ୍କ ଉପରେ ପାଣି ଓ ଟିଅର ଗ୍ୟାସ ମାଡ଼ କରାଯାଇଛି । ଟିୟର ଗ୍ୟାସ ମାଡ଼ରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେଇ, ରାଜ୍ୟସଭା ସାଂସଦ ସୁଲତା ଦେଓ ଆହତ ହୋଇଛନ୍ତି । ସେହିପରି ପୋଲିସ ବିଜେଡିର ଶତାଧିକ ବରିଷ୍ଠ ବିଜେଡି ନେତା ଓ ହଜାରରୁ ଅଧିକ ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି କମିସନରେଟ ପୋଲିସ ।
ରାଜଧାନୀର ଗାନ୍ଧୀ ମାର୍ଗ ଆଜି ପାଲଟିଛି ରଣକ୍ଷେତ୍ର । ଗାନ୍ଧୀ ମାର୍ଗରୁ ଲୋୟର ପିଏମଜି ମଧ୍ୟରେ ପୋଲିସ ଓ ବିଜେଡି ନେତା ଏବଂ କର୍ମୀ ହୋଇଛନ୍ତି ମୁହାଁମୁହିଁ । ଫକୀର ମୋହନ କଲେଜ
ଛାତ୍ରୀ ଆତ୍ମହୁତି ଘଟଣାକୁ ନେଇ ବିଜେଡି ପକ୍ଷରୁ ପ୍ରତିବାଦ ବେଳେ ଆସିଛି ଏଭଳି ଚିତ୍ର । ଲୋକସେବା ଭବନ ଘେରାଉ କରିବାକୁ ଯିବା ବେଳେ ପୋଲିସ ଓ ବିଜେଡି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ବିଜେଡି କର୍ମୀମାନେ ବ୍ୟାରିକେଡ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିଛନ୍ତି । ଫଳରେ ଘଟଣାସ୍ଥଳରେ ଭୀଷଣ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ପରେ କମିଶନରେଟ ପୋଲିସ ପକ୍ଷରୁ ବିଜେଡିର ଆନ୍ଦୋଳନକାରୀଙ୍କ ଉପରେ ପାଣି ଓ ଟିଅର ଗ୍ୟାସ ମାଡ଼ କରାଯାଇଛି ।
ଟିୟର ଗ୍ୟାସ ମାଡ଼ରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଆହତ ହୋଇଛନ୍ତି । ପ୍ରଣବଙ୍କ ଗୋଡ଼ରେ ଟିୟର ଗ୍ୟାସ କ୍ୟାନନ ବାଜିଛି । ଫଳରେ ସେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ପାଣି ମାଡ଼ରେ ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଆହତ ହୋଇଛନ୍ତି । ପ୍ରୀତିଙ୍କୁ ପ୍ରଥମେ କ୍ୟାପିଟାଲ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଆନ୍ଦୋଳନ ସମୟରେ ଆହତ ହୋଇଥିବା ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜେଡିର ଶତାଧିକ ବରିଷ୍ଠ ନେତାଙ୍କ ସମେତ ହଜାରରୁ ଉର୍ଦ୍ଧ୍ବ ଆନ୍ଦୋଳନକାରୀଙ୍କୁ ପୋଲିସ ଜବରଦସ୍ତ ଉଠାଇ ନେଇଛି ।
ସେପଟେ ଆତ୍ମହୁତି ଦେଇଥିବା ଛାତ୍ରୀଙ୍କ ପରିବାରକୁ 20 ଲକ୍ଷ ବଦଳରେ ରାଜ୍ୟ ସରକାର 2 କୋଟି ଟଙ୍କା ସହାୟତା ପ୍ରଦାନ କରନ୍ତୁ ବୋଲି ବିଜେଡି ଦାବି କରିଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ସରକାର ରାଜରାସ୍ତାରେ ଆଣ୍ଠୁମାଡ଼ି ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି । ସେହିପରି ଘଟଣାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଦାବି କରିଛନ୍ତି । ଅଭିଯୋଗ କରିଥିଲେ ମଧ୍ୟ ଘଟଣାରେ ହସ୍ତକ୍ଷେପ କରିନଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା ଦାବି କରିଛି ଦଳ । ଆଜି ଜିଲ୍ଲା ବିଜେଡି ପକ୍ଷରୁ ବାଲେଶ୍ବର ବନ୍ଦ ହୋଇଛି । ଆଜି ସକାଳ 6ରୁ ଅପରାହ୍ନ 2 ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ବାଲେଶ୍ବର ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ବିଜେଡି ନେତା ।
ବାଲେଶ୍ବର ଫକୀର ମୋହନ ସ୍ବଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ବାଲେଶ୍ବର ବନ୍ଦ । ଛାତ୍ରୀଙ୍କୁ ନ୍ୟାୟ ଦାବିରେ ସକାଳ 6ଟାରୁ ଦିନ 2ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ବିଜୁ ଜନତା ଦଳ । ସକାଳ ୬ରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯିବା ସହ ଚକ ଅଖ ବନ୍ଦ କରାଯାଇଛି । ଶିକ୍ଷାନୁଷ୍ଠାନ ପାଖରୁ ଆରମ୍ଭ କରି ବ୍ୟବସାୟିକ ଅନୁଷ୍ଠାନ ସବୁକିଛି ବନ୍ଦ କରାଯାଇଛି । କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟରେ ଅବହେଳା ଏବଂ ସରକାରୀ ସ୍ତରରେ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେଡି । ଛାତ୍ରୀଙ୍କ ଏପରି ମୃତ୍ୟୁ ବ୍ୟର୍ଥ ନ ଯାଇ ଉପଯୁକ୍ତ ତଦନ୍ତ କରାଯାଇ ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛି ବିଜେଡି । ସେହିପରି ଆସନ୍ତାକାଲି (ଜୁଲାଇ 17) ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।