ପ୍ରତ୍ୟେକ ବିଦେଶ ଗସ୍ତରେ କିଛି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ରାହୁଲ ଗାନ୍ଧୀ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଓ ବିବାଦକୁ ଆସିଛନ୍ତି । ରାହୁଲଙ୍କ ବିଦେଶରେ ମନ୍ତବ୍ୟକୁ ନେଇ ଦେଶରେ ରାଜନୀତି ମଧ୍ୟ ତେଜେ । ତେବେ ଚଳିତ ସାଧାରଣ ନିର୍ବାଚନ ପରେ ବିରୋଧୀ ଦଳ ନେତା ହୋଇଥିବା ରାହୁଲ ଗାନ୍ଧୀ ନିଜ ପ୍ରଥମ ବିଦେଶ ଗସ୍ତରେ ସେହିପରି କିଛି ବିତର୍କିତ ମନ୍ତବ୍ୟ ଦେଇଛନ୍ତି । ଏବେ ଆମେରିକା ଗସ୍ତରେ ଥିବା ରାହୁଲ ଆଜି ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଛନ୍ତି, ଭାରତୀୟ ରାଜନୀତିରେ ପ୍ରେମ, ସମ୍ମାନ ଓ ମାନବିକତାର ଅଭାବ ରହିଛି । ସେ ଏହାକୁ ବିସ୍ତାର କରିବା କାମ ଜାରି ରଖିଛନ୍ତି ।

ଆଜି ଆମେରିକାର ଟେକ୍ସାସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଭାରତୀୟ ରାଜନୀତିର ସାମ୍ପ୍ରତିକ ସ୍ଥିତି କଥା ଉଠାଇଛନ୍ତି । ସେ ସ୍ବଂୟ ସେବକ ସଂଘ (ଆରଏସଏସ)କୁ ସମାଲୋଚନା କରିଛନ୍ତି । କହିଛନ୍ତି, ‘‘ଭାରତରେ ଗୋଟିଏ ବିଚାରଧାରା ହେବ ବୋଲି ସଂଘ ବିଶ୍ବାସ କରେ, ମାତ୍ର ତାହା ସମ୍ଭବ ନୁହେଁ । ଆମେ ବହୁ ବିଚାରଧାରାରେ ବିଶ୍ବାସ କରୁ । ସମସ୍ତେ ନିଜ ବିଚାରଧାରା ଅନୁପାଳନ କରିବା ପାଇଁ ଅଧିକାର ପାଇବା ଉଚିତ । ଜାତି ଧର

ମ, ବର୍ଣ୍ଣ, ଭାଷା ପରମ୍ପରା ଓ ଇତିହାସ ପରେ ମଧ୍ୟ ସମସ୍ତଙ୍କୁ ସେମାନଙ୍କ ବିଚାରଧାରା ବଜାୟ ରଖିବା ପାଇଁ ଅନୁମତି ମିଳିବାର ଆବଶ୍ୟକତା ଅଛି ।’’

ରାହୁଲ କହିଛନ୍ତି, ଭାରତୀୟ ରାଜନୀତି ଓ ରାଜନୈତିକ ଦଳଗୁଡିକ ମଧ୍ୟରେ ଏବେ ପ୍ରେମ, ସମ୍ମାନ ଓ ମାନବିକତାର ଅଭାବ ଅନୁଭବ ହେଉଛି । କେବଳ ନିର୍ଦ୍ଦିଷ୍ଚ ଧର୍ମର ଲୋକଙ୍କୁ ନୁହେଁ ବରଂ ଦେଶର ସମସ୍ତ ନାଗରିକଙ୍କୁ ସମ୍ମାନ ଦେବାକୁ ହେବ । ଭାରତ ନିର୍ମାଣରେ ଭୂମିକା ଥିବା ସମସ୍ତଙ୍କୁ ସମ୍ମାନ ଦେବାକୁ ହେବ, କେବଳ ନିର୍ଦ୍ଦିଷ୍ଟ ବିତ୍ତଶାଳୀ ବ୍ୟକ୍ତିଙ୍କୁ ନୁହେଁ । ଏହି ପ୍ରେମ ଓ ମାନବିକତା ବିସ୍ତାର କରିବା ଦିଗରେ ସେ କାର୍ଯ୍ୟ ଜାରି ରଖିଛନ୍ତି ।

ଚଳିତ ସାଧାରଣ ନିର୍ବାଚନର କଥା ମଧ୍ୟ ରାହୁଲ ତାଙ୍କ ସମ୍ବୋଧନରେ ସ୍ଥାନ ଦେଇଛନ୍ତି । କହିଛନ୍ତି, ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଦେଲା ଯେ, ପ୍ରଧାନମନ୍ତ୍ରୀଙ୍କ ଭାରତୀୟ ଜନତା ପାର୍ଟିକୁ ଦେଶରେ କେହି ଭୟ କରନ୍ତି ନାହିଁ । ଗଣତନ୍ତ୍ରକୁ ହୃଦୟଙ୍ଗମ କରିଥିବା ଭାରତବାସୀଙ୍କ ପାଇଁ ଏହା ହେଉଛି ବୃହତ ସଫଳତା । ସମ୍ବିଧାନ ଉପରେ ଆକ୍ରମଣକୁ ଯେଉଁମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ସେମାନେ ବିଜେପି ବିରୋଧରେ ଏହି ଭୋଟ ଦେଇଛନ୍ତି ।

0 Comments