ଲକ୍ଷ୍ନୌ: ବଡ ଦୁର୍ଘଟଣା ଘଟାଇବାକୁ ରଚା ଯାଇଥିବା ଅଭିନବ ଷଡଯନ୍ତ୍ର । ରେଳ ଧାରଣାରେ ରଖାଯାଇଥିଲା ଗ୍ୟାସ ସିଲିଣ୍ଡର । ଫଳରେ ଦ୍ରୁତଗାମୀ ଟ୍ରେନଟି ସିଲିଣ୍ଡରକୁ ଧକ୍କା ମଧ୍ୟ ଦେଇଥିଲା । ହେଲେ ସିଲିଣ୍ଡର

ି ବିସ୍ଫୋରଣ ନହୋଇ ଧାରାଣା ପାର୍ଶ୍ବକୁ ଛିଟିକି ପଡିବାରୁ ଅଳ୍ପକେ ଏକ ଆସନ୍ନ ଅଘଟଣ ଟଳିଯାଇଛି । ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି । ରେଳ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡର ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ବୃତ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପୋଲିସ କହିଛି ।

ସୂଚନା ଅନୁସାରେ, ଗତକାଲି (ରବିବାର) ବିଳମ୍ବିତ ସନ୍ଧ୍ୟାରେ ପ୍ରୟାଗରାଜ-ଭବାନୀ ‘କାଳିନ୍ଦୀ ଏକ୍ସପ୍ରେସ’ କାନପୁରରର ଅନୱାରଗଞ୍ଜ-କସଗଞ୍ଜ ରୁଟରେ ଯାତ୍ରା କରୁଥିଲା । ରେଳ ଧାରଣାରେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା । ହେଲେ ବେଗ ଅଧିକ ଥିବା କାରଣରୁ ଲୋକୋ-ପାଇଲଟ ଟ୍ରେନ ରୋକି ପାରିନଥିଲେ । ଟ୍ରେନଟି ସିଲିଣ୍ଡକୁ ଧକ୍କା ଦେଇଥିଲା । ସିଲିଣ୍ଡରଟି ଧାରଣା ପାର୍ଶ୍ବରୁ ଛିଟିକି ପଡିଥିଲେ ସୁଦ୍ଧା ବିସ୍ଫୋରଣ ହୋଇନଥିଲା । ଏ ସମ୍ପର୍କରେ ଲେକୋ-ପାଇଲଟ ତୁରନ୍ତ ନିକଟସ୍ଥ ଷ୍ଟେସନ ଓ ରେଳବାଇ ପୋଲିସକୁ ଅବଗତ କରିଥିଲେ ।

ସୂଚନା ପାଇବା ମାତ୍ରେ ‘ଆରପିଏଫ’ ଇନ୍ସପେକ୍ଟର ଓ.ପି ମୀନାଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସିଲିଣ୍ଡରକୁ ଜବତ କରିଛନ୍ତି । ସେଥିରେ ପୁରା ମାତ୍ରାରେ ଗ୍ୟାସ ମଧ୍ୟ ରହିଛି । ତେଣୁ କେହି ଦୁର୍ବୃତ୍ତ ରେଳ ଦୁର୍ଘଟଣାଗ୍ରସ୍ତ କରିବା ଉଦ୍ଦେଶ୍ୟରେ ଏପରି କରିଥିବାର ସ୍ପଷ୍ଟ ଅନୁମାନ ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ଉକ୍ତ ସ୍ଥାନକୁ ସିଲିଣ୍ଡର କେମିତି ଓ କେଉଁ ମାଧ୍ୟମରେ ଆସିଲା, ସେନେଇ ତଦନ୍ତ କରାଯାଇ ଦୁର୍ବୃତ୍ତକୁ ଠାବ କରିବା ପାଇଁ ପ୍ରୟାସ କରାଯାଉଛି । ତେବେ ଆସନ୍ନ ଦୁର୍ଘଟଣା ଟଳିବା ସମସ୍ତଙ୍କୁ ଆଶ୍ବସ୍ତ କରିଛି ।


0 Comments