ନୂଆଦିଲ୍ଲୀ : ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ । ପ୍ୟାରିସ ଅଲିମ୍ପିକ୍ସ 2024 ପରେ ସାରା ଦେଶରେ ସବୁଠାରୁ ବେଶୀ ଚର୍ଚ୍ଚାରେ ଥିବା ଷ୍ଟାର ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ଉଭୟ କୁସ୍ତିଯୋଦ୍ଧା କଂଗ୍ରେସ ଟିକଟରେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି । ଉଭୟ ଭିନେଶ ଓ ପୁନିଆଙ୍କର ହରିୟାଣାରେ ରହିଛି ବେଶ ଲୋକପ୍ରିୟତା । ତେବେ ଏହା ପୂର୍ବରୁ ଅନେକ ଥର କୁସ୍ତିଯୋଦ୍ଧାମାନଙ୍କର କଂଗ୍ରେସ ସହିତ ବନ୍ଧୁତା ଦେଖିବାକୁ ମିଳିଥିବାବେଳେ ଏବେ ସେମାନେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହାପରେ ସେମାନେ କଂଗ୍ରେସ ସଂଗଠନ ସଚିବ କେସି ବେଣୁଗୋପାଳଙ୍କୁ ମଧ୍ୟ ସାକ୍ଷାତ କରିଥିବା ସୂଚନା ମିଳିଛି ।

କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ଲଢ଼ିପାରନ୍ତି ବୋଲି ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏବେ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଓ କେସି ବେଣୁଗୋପାଳଙ୍କ ଭଳି ଦଳର ହାଇକମାଣ୍ଡଙ୍କୁ ଭେଟିବା ପରେ ଚିତ୍ର କିଛିମାତ୍ରାରେ ସ୍ପଷ୍ଟ ହେବାରେ ଲାଗିଛି । ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦିନେ କିମ୍ବା ଦୁଇଦିନ ଭିତରେ ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି । ଏହା ପୂର୍ବରୁ ଉଭୟ ଭିନେଶ ଓ ବଜରଙ୍ଗ ପୁନିଆ ରାହୁଲ ଗାନ୍ଧୀ ଓ ଦଳର ସଂଗଠନ ସଚିବ କେସି ବେଣୁଗୋପାଳଙ୍କୁ ଭେଟିବା ସୂଚାଇ ଦେଉଛି ଯେ ଉଭୟ କୁସ୍ତିଯୋଦ୍ଧା କଂଗ୍ରେସ ଟିକଟରେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି । ଏହା ପୂର୍ବରୁ ସେମାନଙ୍କୁ ଅନେକ ଥର ହରିୟାଣାର ବରିଷ୍ଠ କଂଗ୍ରସ ନେତା ଦୀପେନ୍ଦ୍ର ସିଂ ହୁଡା ଓ ଭୁପିନ୍ଦର ସିଂ ହୁଡାଙ୍କ ସହିତ ଦେଖିବାକୁ ମିଳିଛି ।

ପ୍ୟାରିସ ଅଲିମ୍ପିକ୍ସରେ ବିଫଳ ହେବାପରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଭିନେଶ ଫୋଗାଟ । ଦେଶବାସୀଙ୍କଠାରୁ ଭରପୁର ସମର୍ଥନ ପାଇଥିଲେ ରେସଲର । ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭିନେଶଙ୍କ ସମର୍ଥନରେ ଟ୍ବିଟ କରି ଯାହା ସମ୍ଭବ ଭିନେଶଙ୍କ ପାଇଁ କରିବାକୁ ଭାରତୀୟ ଅଲିମ୍ପିକ୍ସ ସଂଘକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଭିନେଶ ଫେରିବା ପରେ ଦିଲ୍ଲୀ ବିମାନବନ୍ଦରରେ ଭିନେଶଙ୍କୁ ଭବ୍ୟ ସ୍ବାଗତ କରିଥିଲେ ହରିୟାଣା କଂଗ୍ରେସ ନେତା ତଥା ସାଂସଦ ଦୀପେନ୍ଦ୍ର ସିଂ ହୁଡା । ଏହାପରେ ଦିଲ୍ଲୀରୁ ହରିୟାଣା ଭିନେଶଙ୍କ ଗାଁ ପର୍ଯ୍ୟନ୍ତ ଭିନେଶଙ୍କୁ ରୋଡ ଶୋ'ରେ ନିଆଯାଇଥିଲା । ସେତେବେଳେ ମଧ୍ୟ କଂଗ୍ରେସ ନେତା ଭିନେଶଙ୍କ ସମର୍ଥନରେ ଯାଇଥିଲେ । ସେହି ସମୟରେ ଭିନେଶ କଂଗ୍ରେସରେ ମିଶି ରାଜନୀତିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।

ଭାରତୀୟ କୁସ୍ତି ମହାସଂଘର ତତ୍କାଳୀନ ଅଧ୍ୟକ୍ଷ ତଥା ପୂର୍ବତନ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମହିଳା ରେସଲର ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ । ଦିଲ୍ଲୀ ଜନ୍ତରମନ୍ତରରେ ସେହି ଆନ୍ଦୋଳନର ସଦସ୍ୟ ଥିଲେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ଏହି ଆନ୍ଦୋଳନ ମଧ୍ୟ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା । କଂଗ୍ରସ ସମେତ ବିଭିନ୍ନ ବିରୋଧୀ ଦଳ ସେହି ସମୟରୁ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ରହିଆସିଛନ୍ତି ।

0 Comments