କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୪ ତମ ଜୟନ୍ତୀ ଏବଂ ସ୍ବର୍ଗୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୯ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ନଗର ଭବନ ନିକଟରେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥାପିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶକ୍ରମେ ପରେ ପରେ ଦରବାର ହଲ ଠାରେ ଅତିରିକ୍ତ ଜିଲ୍ଲାପାଳ ପଦୁମଣି ମହଲାଙ୍କ ଅଧ୍ୟକ୍ଷତାର ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପରିଷଦ ଅଧ୍ଯାଷା ଶ୍ରୀମତୀ ସାଗରୀକା ସାହୁ ଉଦବୋଧନ ଦେଇଥିଲେ । ଉଦବୋଧନ ଛଳରେ ଶ୍ରୀମତୀ ସାହୁ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ନୀତି , ଆଦର୍ଶ , ସରଳ ଜୀବନ , ଉଚ୍ଚ ଚିନ୍ତନ , ତ୍ୟାଗ , ଅହିଂସା ମନୋଭାବକୁ ଛାତ୍ରଛାତ୍ରୀମାନେ ନିଜର ଜୀବନରେ ଅନୁସରଣ କରିବାକୁ ସଂକଳ୍ପ ନେବା ଏବଂ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ବ୍ୟକ୍ତିତ୍ବରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ , କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସକୁ , କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଡାଃ ମଧୁସ୍ତିତା ସାମନ୍ତରାୟ ବକ୍ତବ୍ୟ ପ୍ରଦାନ କରି ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଉଚ୍ଚ ଆଦର୍ଶ , ଚିନ୍ତନ ଏବଂ ତ୍ୟାଗ ସବୁବେଳେ ଦେଶବାସୀଙ୍କୁ ଉଦ୍ବୁଦ୍ଧ କରୁଥିବ ବୋଲି
କହିଥିଲେ । ଗାନ୍ଧୀଜୀଙ୍କ ଜୀବନ ଶୈଳୀ ଉପରେ ଆଲୋକପାତ କରି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ମହାମାନବ , ଅହିଂସାର ପୂଜାରୀ , ତ୍ୟାଗ , ସେବା ଓ ପରୋପକାରର ପ୍ରତୀକ ଭାବେ ଅବିହିତ କରି ମହାତ୍ମା ଗାନ୍ଧୀ ସମଗ୍ର ପୃଥିବୀର ଜନନାୟକ ଏବଂ ଆଦର୍ଶ ଥିଲେ ବୋଲି କହିଥିଲେ । ଗାନ୍ଧୀଜୀଙ୍କ ସତ୍ୟ , ଅସିଂହା ନୀତି ସର୍ବଦା ବିଶ୍ବକୁ ଉଦ୍ଭାସିତ କରିବ ବୋଲି କହିଥିଲେ । ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ବ୍ୟକ୍ତିତ୍ବ ସଂପର୍କରେ ଆଲୋକପାତ କରି ଜନସାଧାରଣ ତଥା ଛାତ୍ରଛାତ୍ରୀମାନେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଭବିଷ୍ୟତରେ ଦେଶ ଗଠନ ପାଇଁ ସଂକଳ୍ପ ନେବାକୁ ଆହ୍ବାନ ଜଣାଇଥିଲେ । ଉପନିର୍ଦେଶକ ସୂଚନା ଓ ଲୋକ ସଂପର୍କ ସଂଜୀବ ବାରିକ ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପ୍ରାରମ୍ଭରେ ବାପୁଜୀଙ୍କ ପ୍ରିୟ ଆଶ୍ରମ ଭଜନ ' ବୈଷ୍ଣବ ଜନ ତୋ ' ଏବଂ ' ରଘୁପତି ରାଘବ ରଜାରାମ ' କଳାକାର ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା । ପରେ ପରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ପଣ୍ଡିତ ମଧୁସୂଦନ ମିଶ୍ର ଗୀତା ପାଠ କରିଥିବାବେଳେ ମୌଲାନା ଅବଦୁଲ ଖାଲିକ ଜୋରାନ୍ ଓ ରେଭେରେଣ୍ଟ୍ ପି.ଡି.ଲିମା ବାଇବେଲ୍ ପାଠ କରିଥିଲେ । ଏହି ଅବସରରେ ଉଚ୍ଚବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂପର୍କିତ ବକ୍ତୃତା ଓ ଚିତ୍ରକଳା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ , ବରିଷ୍ଠ ନାଗରିକ , ବୁଦ୍ଧିଜୀବୀ , ଗଣମାଧ୍ୟମର ପ୍ରତିନିଧ୍ର , ସଂଗଠନର କର୍ମକର୍ତା ଜନସାଧାରଣ ତଥା ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷକଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
0 Comments