କଟକ: ହାଇକୋର୍ଟରେ ପହଞ୍ଚିଛି ଏସସିବି ମେଡିକାଲରେ ନବଜାତ ଶିଶୁ ଅଦଳବଦଳ ମାମଲା । ପୁରୀ-କୁମ୍ଭାରପଡା ବାସିନ୍ଦା ରତନା ବେହେରା ନାମକ ଜଣେ ଆବେଦନକାରୀ ଏନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆବେଦନକାରୀ ପାର୍ଥନା କରିଛନ୍ତି ଯେ ଏହି ଘଟଣାର ସଠିକ ତଦନ୍ତ ହେବା ସହ ତାଙ୍କୁ ନ୍ୟାୟ ମିଳୁ । ସେପଟେ ଜବାବ ଦାଖଲ ପାଇଁ ଏସସିବିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

ଆବେଦନକାରୀ ଦର୍ଶାଇଥିଲେ କି, ପତ୍ନୀଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଗତ ଫେବୃଆରୀ ମାସ ୧୦ ତାରିଖରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହାର ପରଦିନ ଅର୍ଥାତ ଫେବ୍ରୁଆରୀ ୧୧ ତାରିଖ ସକାଳ ୯ ଟାରେ ତାଙ୍କର ଝିଅ ଟିଏ ଜନ୍ମ ଲାଭ କରିଥିଲା । ଜନ୍ମ ପରେ କନ୍ୟା ସନ୍ତାନର ଶରୀର ସୁସ୍ଥ ଥିଲା । ଏପରିକି ଜନ୍ମ ପରେ କନ୍ୟା ସନ୍ତାନ ସ୍ୱାଭାବିକ ଭାବେ କାନ୍ଦୁଥିଲା ଏବଂ ହସୁଥିଲା । ଏହି ସମୟରେ ପରିବାର ଲୋକ ମଧ୍ୟ ଫଟୋ ଉଠାଇବା ସହ ଭିଡିଓ ମଧ୍ୟ କରିଥିଲେ ।

ଆବେଦନକାରୀ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ କନ୍ୟା

ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସତ୍ତ୍ୱେ ତାକୁ ଆଇସିୟୁକୁ ନିଆଯାଇଥିଲା । ଏହାର ପରଦିନ ଶିଶୁଟିର ଜେଜେ ମା’,ଆଇସିୟୁରେ କନ୍ୟା ଶିଶୁଟିକୁ ଦେଖିବାକୁ ଯାଇଥିଲେ । ମାତ୍ର ମେଡିକାଲ କର୍ମଚାରୀ ତାଙ୍କୁ ମୃତ ଶିଶୁକୁ ଦେଇଥିଲେ । ଏହାପରେ ପରିବାର ଲୋକ ମୃତ ଶିଶୁଟିକୁ ନଦେଖି ମହାନଦୀ ବାଲିରେ ପୋତିବା ପାଇଁ ନେଇଥିଲେ । ପୋତିବା ପୂର୍ବରୁ ମୃତକକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏହି ସମୟ ମଧ୍ୟରେ ମୃତକ ଶିଶୁଟିର ଫଟୋ ମଧ୍ୟ ଉଠାଇଥିଲେ । ଏହି ଶିଶୁ କନ୍ୟାଟି ତାଙ୍କର ନୁହେଁ ବରଂ ଏହା ଆଉ କାହାର ବୋଲି ଜାଣିବାକୁ ପାଇଥିଲେ । ଅର୍ଥାତ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଯେଉଁ ମୃତ ଶିଶୁଟିକୁ ଦେଇଥିଲେ ସେଇଟା ଆଉ କାହାର ବୋଲି ଅଭିଯୋଗ କରିଥିଲେ ।

ସନ୍ଦେହ ହେବାରୁ ପରବର୍ତ୍ତୀ ସମୟରେ ପୁନର୍ବାର ମୃତକ ଶିଶୁଟିକୁ ପୋତିଥିବା ସ୍ଥାନକୁ ଯାଇଥିଲେ । ସେଠାରେ ମୃତକ ଶିଶୁ ନଥିଲା ବରଂ କପଡାରେ ବାଲି ବନ୍ଧା ଯାଇଥିବା ଦେଖିବାକୁ ପାଇଥିଲେ । ଏହି ଘଟଣାରୁ ଆବେଦନକାରୀ ଏବଂ ତାଙ୍କ ପତ୍ନୀ ଜାଣିବାକୁ ପାଇଥିଲେ ଯେ ତାଙ୍କ ଶିଶୁଟି ହସ୍ପିଟାଲରେ ଅଦଳ ବଦଳ ହୋଇଯାଇଛି । ଏହି ଘଟଣାକୁ ନେଇ କଟକ ବଡ଼ମେଡିକାଲର ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏନେଇ ଏକ ଅଭିଯୋଗ ପତ୍ର ମାଧ୍ୟମରେ ଗତ ଫେବୃଆରୀ ୧୩ ତାରିଖରେ ଅଧିକ୍ଷକଙ୍କୁ ଦେଇଥିଲେ । ମାତ୍ର ଅଧିକ୍ଷକ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏହା ପରେ ଆବେଦନକାରୀ ମଙ୍ଗଳାବାଗ ଥାନାରେ ମଧ୍ୟ FIR ଦେଇଥିଲେ । FIR ମଧ୍ୟ ରେଜିଷ୍ଟ୍ରର ହୋଇଥିଲା । ମାତ୍ର ପୋଲିସ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନ ନେବାରୁ ଗତ ଫେବ୍ରୁଆରୀ ୨୧ ତାରିଖରେ କଟକ ଡ଼ିସିପିଙ୍କ ପାଖରେ ଅଭିଯୋଗ କରିଥିଲେ । କଟକ ଡିସିପି ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ପରବର୍ତ୍ତୀ ସମୟରେ ଗତ ଫେବୃଆରୀ ୨୫ ତାରିଖରେ କଟକ ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ । ମାତ୍ର ଏଥିରେ ମଧ୍ୟ କୌଣସି ଫଳପ୍ରଦ ମିଳିନଥିଲା । ତେବେ ଆବେଦନକାରୀ ବାଧ୍ୟ ହୋଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହି ଘଟଣାର ସଠିକ ତଦନ୍ତ କରିବା ସହ ତାଙ୍କ ଶିଶୁ କନ୍ୟାକୁ ଫେରାଇବା ପାଇଁ ଆବେଦନରେ ଆବେଦନକାରୀ ପାର୍ଥନା କରିଥିଲେ ।

ହାଇକୋର୍ଟର ଵିଚାରପତି ଡକ୍ଟର ଏସ୍.କେ. ପାଣିଗ୍ରାହୀ ଏହି ମାମଲାର ଶୁଣାଣି କରି ଘଟଣାକୁ ନେଇ କଡା ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ଜବାବ ଦାଖଲ କରିବାକୁ ରାଜ୍ୟ ଜି.ଏ ବିଭାଗ, ସ୍ଵାସ୍ଥ୍ୟ ବିଭାଗ,ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ଜବାବ ତଲବ କରିଛନ୍ତି । ସେହିପରି ଏସସିଵି ଅଧିକ୍ଷକଙ୍କୁ ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ୨ ତାରିଖ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ଆସନ୍ତା ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

0 Comments