ଦୁବାଇ: ଟପ ଅର୍ଡର ଫେଲ ମାରି ବି ଟିମ ଇଣ୍ଡିଆର ରୋମାଞ୍ଚକ ବିଜୟ । ଆଜି (ରବିବାର) ଦୁବାଇରେ ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଭାରତ ବନାମ ନ୍ୟୁଜିଲାଣ୍ଡ କ୍ୱାଟର ମ୍ୟାଚରେ ଟିମ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ କମାଲ ଦେଖିବାକୁ ମିଳିଛି । ଆରମ୍ଭରୁ ଟିମ ଇଣ୍ଡିଆ ଟପ ଅର୍ଡର ବ୍ୟାଟରଙ୍କ ବିଫଳତା ଦେଖିବାକୁ ମିଳିଥିଲା । ହେଲେ ମିଡିଲ ଅର୍ଡରରେ ଶ୍ରେୟର ଆୟାର, ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍
ୟା ବିସ୍ଫୋରକ ବ୍ୟାଟିଂ ଓ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନ ବୋଲିଂ ଭାରତକୁ ଜିତାଇ ପଏଣ୍ଟ ଟେବୁଲରେ ଶୀର୍ଷରେ ରଖିପାରିଛି ।
ନ୍ୟୁଜିଲାଣ୍ଡକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କିଓ୍ବି ଟିମ୍ । ଏହାପରେ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ ଫିଲ୍ଡକୁ ଓହ୍ଲାଇଥିଲେ । ହେଲେ ନ୍ୟୁଜିଲାଣ୍ଡ ବୋଲରଙ୍କ ଆଗରେ ଟପ ଅର୍ଡର ବ୍ୟାଟର ରୋହିତ, ଶୁବମନ ଗିଲ, ବିରାଟ କୋହଲି ଫେଲ ମାରିଥିଲେ । ଏହାପରେ ମିଡିଲ ଅର୍ଡର ବ୍ୟାଟର ଶ୍ରେୟସ ଆୟର, ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ପାରିକୁ ସମ୍ଭାଳିଥିଲେ । ଭାରତୀୟ ଟିମ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୭୯ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ ଓ ଅକ୍ଷର ପଟେଲ ୪୨ ରନ କରିଥିଲେ । ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୨୪୯ ରନ ସଂଗ୍ରହ କରିଥିଲା ଟିମ ଇଣ୍ଡିଆ । ତେବେ କମ ରନ ସତ୍ତ୍ବେ ଭାରତୀୟ ବୋଲର ନ୍ୟୁଜିଲାଣ୍ଡ ଟିମକୁ ଧରାଶାୟୀ କରିବାରେ ସକ୍ଷମ ହୋଇଥିଲେ । ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୫ଟି ଓ୍ବିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୨ ଓ୍ବିକେଟ ନେଇଛନ୍ତି ।
ଅନ୍ୟପଟେ ୨୫୦ ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଆରମ୍ଭ କରିଥିଲା ରଣନୀତି । ହେଲେ ଭାରତୀୟ ବୋଲରଙ୍କ ଆଗରେ କିଓ୍ବି ଟିମର ରଣନୀତି ଫେଲ ମାରିଥିଲା । ୪୫ ଓଭର ୩ ବଲରେ ୨୦୫ ରନ କରି ନିଜର ସମସ୍ତ ଓ୍ବିକେଟ ହରାଇଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡର କେନ ଓ୍ବିୟିଲିୟମ ସର୍ବାଧିକ ୮୧ ରନ କରିଥିବା ବେଳେ ମାଟ ହେନରୀ ସର୍ବାଧିକ ୫ ଓ୍ବିକେଟ ନେଇଥିଲେ ।
ଆଇସିସି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପ୍ରବେଶ କରିଛନ୍ତି । ଗ୍ରୁପ B ପଏଣ୍ଟ ଟେବୁଲରେ ସାଉଥ ଆଫ୍ରିକା ପ୍ରଥମ ଓ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଗ୍ରୁପ Aର ଶୀର୍ଷରେ ରହିଛି । ଗ୍ରୁପ Aର ଶୀର୍ଷରେ ରହିଥିବା ଟିମ ଗ୍ରୁପ Bର ଦ୍ୱିତୀୟରେ ରହିଥିବା ଟିମକୁ ଭେଟିବ । ଅର୍ଥାତ୍ ମଙ୍ଗଳବାର ଦିନ ସେମିଫାଇନାଲର ପ୍ରଥମ ମ୍ୟାଚରେ ଭାରତ-ଅଷ୍ଟ୍ରେଲିଆ ମୁହାମୁହିଁ ହେବେ ।