ମୁମ୍ବାଇ: ଅପେକ୍ଷାର ଅନ୍ତ ଘଟାଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଭାରତୀୟ ପୁରୁଷ କ୍ରିକେଟ୍ ଦଳର ନୂତନ ଟେଷ୍ଟ ଅଧିନାୟକଙ୍କ ନାମ ଘୋଷଣା କରିଛି। ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ଭାବରେ ବିସିସିଆଇ ଷ୍ଟାର ବ୍ୟାଟସମ୍ୟାନ୍ ଶୁଭମନ ଗିଲଙ୍କୁ ନିଯୁକ୍ତ କରିଛି। ଆଜିଠାରୁ ଭାରତୀୟ ଟେଷ୍ଟ କ୍ରିକେଟରେ ଗିଲ୍ ଯୁଗ ଆରମ୍ଭ ହୋଇଛି। ଯୁବ ଅଧିନାୟକ ତାଙ୍କର ପ୍ରଥମ ଗସ୍ତରେ ଇଂଲଣ୍ଡର ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। ଇଂଲଣ୍ଡର କଷ୍ଟକର ପରିସ୍ଥିତିରେ ମହାନ ଫଳାଫଳ ହାସଲ କରିବା ପାଇଁ ନୂତନ ଅଧିନାୟକଙ୍କ ଉପରେ ମଧ୍ୟ ଚାପ ରହିବ।

ଚଳିତ ମାସ ଆରମ୍ଭରେ ଦୁଇ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଦଳ ଏକ ନୂତନ ଯୁଗରେ ପ୍ରବେଶ କରୁଛି। 25 ବର୍ଷୀୟ ଖେଳାଳି ଶୁଭମନ ଗିଲ୍, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏହି ପଦବୀରେ ଥିବା ସବୁଠାରୁ କମ୍ ବୟସ୍କ ଖେଳାଳିଙ୍କ ମଧ୍ୟରୁ ଜଣେ ହୋଇଛନ୍ତି। ଯଦିଓ ତାଙ୍କ ପାଖରେ ଲାଲ-ବଲ୍ ଫର୍ମାଟରେ ଅଧିନାୟକତ୍ୱ ଅଭିଜ୍ଞତା ନାହିଁ, ସେ 2024 ମସିହାରେ ଜିମ୍ବାୱେରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-20 ଆସାଇନମେଣ୍

ରେ ଭାରତକୁ ନେତୃତ୍ୱ ଦେଇଛନ୍ତି। ଗିଲ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ଅଛନ୍ତି। ଗିଲ୍ ODI ଏବଂ T-20 ଅନ୍ତର୍ଜାତୀୟରେ ଉପ-ଅଧିନାୟକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଫେବୃଆରୀ 2025ରେ UAE ଓ ପାକିସ୍ତାନରେ ମିଳିତ ଭାବେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫି ଅଭିଯାନରେ ସେ ବିଜୟୀ ଭାରତୀୟ ଦଳରେ ରୋହିତ ଶର୍ମାଙ୍କ ଉପ-ଅଧିନାୟକ ଥିଲେ।

ଭାରତର ଇଂଲଣ୍ଡ ଗସ୍ତ ଜୁନ୍ 13ରୁ ଇଣ୍ଡିଆ ଏ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଏକ ୱାର୍ମ ଅପ୍ ମ୍ୟାଚ୍ ସହିତ ଆରମ୍ଭ ହେବ। ହେଲେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ଜୁନ୍ 20ରୁ ଆରମ୍ଭ ହେବ।

ଶୁଭମନ ଗିଲ (ଅଧିନାୟକ), ଋଷଭ ପନ୍ତ (ଉପ ଅଧିନାୟକ ଏବଂ ୱିକେଟ କିପର), ଯଶସ୍ୱୀ ଜୈସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଏସୱାରନ୍, କରୁଣ ନାୟାର, ନୀତୀଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁଭ ଜୁରେଲ, ୱାଶିଂଟନ୍ ସୁନ୍ଦର, ଶର୍ଦୁଲ ଠାକୁର, ଆକାଶଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ।

 

0 Comments