କେନ୍ଦୁଝର: ବିଜେପି କେନ୍ଦୁଝର ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘନିଷ୍ଠ ଥିବା ନିରଞ୍ଜନ ଶତପଥୀଙ୍କ ଦେହାନ୍ତ ହୋଇଛି । ତାଙ୍କ ଶେଷ ଦର୍ଶନ କରିବା ପାଇଁ କେନ୍ଦୁଝରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ।
ନିରଞ୍ଜନ ଶତପଥୀ ୧୯୯୨ ମସିହାରୁ ବିଜେପି ଦଳର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରିଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ୨୦୦୦ ମସିହାରୁ ଅତି ଘନିଷ୍ଠ ଥିଲେ । ପ୍ରତ୍ୟେକ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ରହି ଆସୁଥିଲେ । ଆଜି ତାଙ୍କର ହୃଦଘାତଜନିତ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ତାଙ୍କ ଜରୁରୀ କାର୍ଯ୍ୟକ୍ରମ ବାତିଲ କରି ନିରଞ୍ଜନଙ୍କ ଶେଷ ଦର୍ଶନ କରିବା ପାଇଁ କେନ୍ଦୁଝର ବଡହଲ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନିରଞ୍ଜନଙ୍କ ଘରେ ପହଞ୍ଚି ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।
ସେହିପରି ନିରଞ୍ଜନଙ୍କ ଦେହାନ୍ତ ପରେ ତାଙ୍କ ପରି
ବାରର ଥିବା ଅସୁବିଧାକୁ ଦୂର କରିବା ପାଇଁ ଆଶ୍ଵାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାପରେ ତାଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ପରେ ସ୍ଥାନୀୟ ସର୍କିଟ ହାଉସରେ କିଛି ସମୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହ ଭୁବନେଶ୍ଵର ଅଭିମୁଖେ ରାଇସୁଆଁ ଏୟାର ପୋର୍ଟରୁ ବାହାରି ଯାଇଥିଲେ । ପ୍ରକାଶ ଯେ, ନିରଞ୍ଜନଙ୍କ ପୈତୃକ ଘର ବ୍ରହ୍ମପୁର ଜିଲ୍ଲାରେ ହୋଇଥିବା ବେଳେ ତାଙ୍କ ବାପା କେନ୍ଦୁଝରରେ ଚାକିରି କରୁଥିବାରୁ ପିଲା ବେଳୁ କେନ୍ଦୁଝରର ବାସିନ୍ଦା ହୋଇଯାଇଥିଲେ ।
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ନିରଞ୍ଜନ ଶତପଥୀ ଆମ ଦଳର ଜଣେ କାର୍ଯ୍ୟକର୍ତ୍ତା ଥିଲେ । ଦଳରେ ଅନେକ ଦିନ ଧରିକି କାମ କରିବା ପରେ ମଧ୍ୟ ମୋ ଅଫିସର ଦାୟିତ୍ବ ସମ୍ଭାଳୁଥିଲେ, ଏପରିକି ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ମୋ ଅଫିସର ଦାୟିତ୍ବ ତୁଲାଉଥିଲେ । ତାଙ୍କର ଦେହାନ୍ତ ହୋଇଛି । ସେ ଜଣେ ସମାଜସେବୀ ଓ ପରୋପକାରୀ ଥିଲେ । ତାଙ୍କ ଘରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛି । ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି । ତାଙ୍କ ପରିବାର କିପରି ରହିବେ ତାହା ମୁଁ ନିଜେ ଦେଖିବି ।"