ଭୁବନେଶ୍ବର: ବାତ୍ୟା 'ଦାନା'ର କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ । ଗତକାଲି ଜିଲ୍ଲା ପରିଦର୍ଶନ କରିବା ପରେ ଆଜି ଦିନ ତମାମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛି କେନ୍ଦ୍ରୀୟ ଟିମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛି କେନ୍ଦ୍ରୀୟ ଦଳ । ସେହିପରି ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ କରିଛି ଦଳ । ଭୁବନେଶ୍ବରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଦେଇଛନ୍ତି । ସେହିପରି ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମି ବିକାଶ ଉପରେ ରାଜସ୍ୱ ମନ୍ତ୍ରୀ ଦାବି ରଖିଛନ୍ତି ।
ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କରିବା ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସିଛି ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ । ଟିମ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ ନେତୃତ୍ବରେ ଏକ ୭ ଜଣିଆ ଟିମ ୨୪ ତାରିଖରୁ ଓଡିଶା ଗସ୍ତରେ ଆସି ବାତ୍ୟା ପ୍ରଭାବିତ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଜିଲ୍ଲା ପରିଦର୍ଶନ ପରେ କେନ୍ଦ୍ରୀୟ ଦଳ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଦଳ । ପରବର୍ତ୍ତୀ ସମୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଏସଆରସି ଦେଓ ରଞ୍ଜନ କୁମାର ସିଂ ସହ ବୈଠକ କରିଛି ଦଳ । ଏହାପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଓ ଏସଆରସି ଦେଓ ରଞ୍ଜନ କୁମାର ସିଂଙ୍କ ସହିତ ଆଲୋଚନା କରିବା ସହ କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତିର ଭରଣା ପାଇଁ ସହାୟତା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଓଡିଶା ପ୍ରତିବର୍ଷ ବାତ୍ୟା, ବନ୍ୟା ପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଆସୁଛି । ଲୋକଙ୍କ ଜୀବନ ବଞ୍ଚାଇବାରେ ସରକାର ସଫଳ ହେଉଥିବା ବେଳେ ବିଭିନ୍ନ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହେଉଛି । ଏହାର ପୁନଃ ନିର୍ମାଣ ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରିବାକୁ ପଡୁଛି । ତେଣୁ ବିପର୍ଯ୍ୟୟ
୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ କରାଯିବାର ଆବଶ୍ୟକତା ରହିଛି । ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ବିଦ୍ୟୁତ କେବୁଲ ସ୍ଥାପନ, ଉପକୂଳରେ ବନ୍ଧ ନିର୍ମାଣ, ବ୍ୟାପକ ହେନ୍ତାଳ ବନ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏହା ସହିତ ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ହେବା ଦରକାର । ଏ ଦିଗରେ କେନ୍ଦ୍ର ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେଉ ।"
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଓଡିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ଜଣାଶୁଣା । ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ଲାଗି ଆମେ କେନ୍ଦ୍ରୀୟ ଟିମ ଆଗରେ ଅନେକ ପ୍ରସ୍ତାବ ରଖିଛୁ । ବନ୍ୟା ଓ ବାତ୍ୟା ଦ୍ୱାରା ଦୁର୍ବଳ ଘର ଭାଙ୍ଗି ଯାଉଛି । ଆମେ କ୍ଷତିପୂରଣ ଦେଉଛୁ । ଭାଙ୍ଗିବା, ଗଢିବା ଓ କ୍ଷତିପୂରଣ ପ୍ରକ୍ରିୟା ପ୍ରତିବର୍ଷ ଲାଗି ରହିଛି । ତେଣୁ ବନ୍ୟା ଓ ବାତ୍ୟାକୁ ସମ୍ଭାଳି ପାରିବା ଭଳି ଘର ପାଇଁ ଆମେ ପ୍ରସ୍ତାବ ରଖିଛୁ । ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରାଯାଇ ପାରିଲେ ଓଡିଶାର ଅର୍ଥନୈତିକ ବିକାଶ ତ୍ବରାନ୍ବିତ ହୋଇପାରିବ । ବନ୍ୟା ଓ ବାତ୍ୟା ଦ୍ଵାରା ଶକ୍ତି ବିଭାଗ ସମେତ ବହୁ ବିଭାଗର ପ୍ରଚୁର କ୍ଷତି ହୋଇଥାଏ । ମୁଣ୍ଡ ଉପରେ ବଦଳରେ ଅଣ୍ଡର ଗ୍ରାଉଣ୍ଡ କେବଲିଂ ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରତିବର୍ଷ ବନ୍ୟା ଓ ବାତ୍ୟା ଦ୍ୱାରା ପ୍ରଭାବିତ ଜିଲ୍ଲାରେ ପ୍ରତିରୋଧି ବନ୍ଧ ଓ ବ୍ୟାପକ ବନୀକରଣ ଲାଗି କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛି ଓଡିଶା ।"
ସେହିପରି ଓଡ୍ରାଫକୁ ଅତ୍ୟାଧୁନିକରଣ କରିବାରେ କେନ୍ଦ୍ରର ସହଯୋଗ ଲୋଡିଛି ରାଜ୍ୟ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଓଡିଶା ଗସ୍ତରେ ଆସିଲେ ଓଡିଶା ଏହି ଦାବି ଦୋହରାଇବ । କେନ୍ଦ୍ରୀୟ ଟିମର ମୁଖ୍ୟ ବାତ୍ୟା ‘ଦାନା’ର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ ।