ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ମହାନ ଜନନାୟକ 'ଉତ୍କଳ କେଶରୀ' ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମରେ ଉଦଘାଟନ କରିଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ହରେକୃଷ୍ଣ ମହତାବଙ୍କ ଫଟୋ ପ୍ରଦର୍ଶନୀ ଗ୍ୟାଲେରୀ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଡ଼ଃ ହରେକୃଷ୍ଣ ମହତାବ ଥିଲେ ଓଡ଼ିଶାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ଆଧୁନକି ଓଡ଼ିଶା ନିର୍ମାଣର ନିର୍ମାତା ଥିଲେ ମହତାବ । ତାଙ୍କ ବିନା ଓଡ଼ିଶାର ବିକାଶ ସମ୍ଭବ ନୁହେଁ । ଆଗକୁ ଏକ ବର୍ଷ ପ୍ରତି ଜିଲ୍ଲାରେ ମହତାବଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହେବ । ମହତାବ ହେଉଛନ୍ତି ଦେଶର ବରପୁତ୍ର । ତାଙ୍କର ଦେଶ ସେବାରେ ପ୍ରଥମ ସୁଯୋଗ ଥିଲା ସ୍ଵାଧୀନତା ସଂଗ୍ରାମ
ରେ ଯୋଗ ଦେବା । ବୃହତ ଓଡ଼ିଶା ଗଠନରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେ ଥିଲେ ଓଡ଼ିଶାର ସର୍ଦ୍ଦାର ପଟେଲ । ଆଧୁନିକ ଓଡ଼ିଶାର ନିର୍ମାତାଙ୍କୁ ଲୁଚେଇକି ରଖି ତାଙ୍କୁ ଅବହେଳା କରାଯାଇଥିଲା । ଏପରିକି ରାଜ୍ୟସ୍ତରୀୟ ତାଙ୍କ ଜନ୍ମ ଜୟନ୍ତୀ ପାଳନ ବନ୍ଦ କରି ଦେଇଥିଲେ ।
ଓଡ଼ିଶାର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଇତିହାସରେ ଡ଼ଃ ହରେକୃଷ୍ଣ ମହତାବଙ୍କ କୃତିତ୍ଵ, ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ । ସେ ଏକାଧାରାରେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତ୍ୟିକ, କୂଟନୀତିଜ୍ଞ, ଐତିହାସିକ ଏବଂ ଲୋକପ୍ରିୟ ଜନନେତା ଥିଲେ । ଆଧୁନିକ ଓଡ଼ିଶା ନିର୍ମାଣର ବିଶ୍ଵକର୍ମା ଭାବେ ସେ ସ୍ଵତନ୍ତ୍ର ପରିଚୟର ଅଧିକାରୀ ଥିଲେ । ବିଜେପି ସରକାର ତାଙ୍କର ଅବଦାନର ପ୍ରଚାର ପ୍ରସାରକୁ ଗୁରୁତ୍ଵ ଦେଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ସହଯୋଗରେ ଜାତୀୟ ସ୍ତରରେ ମହତାବଙ୍କ ଜୟନ୍ତୀ ପାଳନ କରାଯାଇଛି । ଜଣେ ଆଦର୍ଶ ବରପୁତ୍ର ହିସାବରେ ଡ଼ଃ ମହତାବଙ୍କ ଏହି ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନିତ କରିବା ସହ ଓଡ଼ିଶାର ଜନମାନସରେ ତାଙ୍କର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଏକ' ବାୟୋପିକ' ନିର୍ମାଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଏଭଳି ଅନେକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ 'ନୂଆ ଓଡ଼ିଶା ଏବଂ ସମୃଦ୍ଧ ଓଡ଼ିଶା' ନିର୍ମାଣକୁ ସାକାର କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।
ଏହି ଅବସରରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ଡ଼ଃ ହରେକୃଷ୍ଣ ମହତାବଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ଭଦ୍ରକ ଜିଲ୍ଲା ଆଗରପଡ଼ାରେ ଏକ ସଂଗ୍ରହାଳୟ ନିର୍ମାଣ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ୪୦ ଫୁଟର ପ୍ରତିମୂର୍ତ୍ତି ସହ ସ୍ମୃତି ସଂଗ୍ରହାଳୟ ନିର୍ମାଣ କରାଯିବ । ଯେଉଁଠିକୁ ପର୍ଯ୍ୟଟକମାନେ ଆକୃସିତ ହେବା ସହ ମହତାବଙ୍କ କିର୍ତ୍ତି ଓ କୃତ୍ତି ସମ୍ବନ୍ଧରେ ଜାଣିପାରିବେ ।"
ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଉପରେ ନିର୍ମାଣ ହେବ ବାୟୋପିକ । ମହତାବଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଜି ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ଏହି ଘୋଷଣା କରିଛନ୍ତି ମୋହନ ସରକାର । ସେହିପରି ମହତାବଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ଭଦ୍ରକର ଅଗରପଡ଼ାରେ ଏକ ସ୍ମୃତି ସଂଗ୍ରହାଳୟ ନିର୍ମାଣ ହେବ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।