ଭୁବନେଶ୍ବର: ଆରମ୍ଭରୁ ଗରମ ହେଲା ବିଧାନସଭା ଶୀତ ଅଧିବେଶନ । ଉଠିଲା କନ୍ଧମାଳ ମାଣ୍ଡିପଙ୍କା ଆମ୍ବଟାକୁଆ ମୃତ୍ୟୁ ମାମଲା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ କମ୍ପିଲେ ବିରୋଧୀ । ଫଳରେ ଆରମ୍ଭ ହେଉ ହେଉ ଗୃହ ପ୍ରକ୍ରିୟାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ବାଚସ୍ପତି ସୁରମା ପାଢ଼ୀ ମଧ୍ୟାହ୍ନ 12ଟା 25 ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ପରେ ପୁଣି ଗୃହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ପୁନର୍ବାର ଅଚଳାବସ୍ଥା ଦେଖିବାକୁ ମିଳିଛି । ଫଳରେ ବାଚସ୍ପତି ପୁଣି ଗୃହକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ସଦସ୍ୟ ଧନେଶ୍ୱର ମାଝୀ, ପୂର୍ବତନ ସଦସ୍ୟ ମକରଧ୍ୱଜ ପ୍ରଧାନ, ନିରଞ୍ଜନ ପ୍ରଧାନ, ଉତ୍କଳ କେଶରୀ ପରିଡା, ପୂର୍ବତନ ସଦସ୍ୟ ପୂର୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ କରିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ଦିବଙ୍ଗତ ସଦସ୍ୟଙ୍କ ସ୍ମୃତିଚାରଣ କରିଥିଲେ ।
ଶୋକ ପ୍ରସ୍ତାବ ଆଲୋଚନା ପରେ ଗୃହରେ ହଙ୍ଗାମା ଦେଖିବାକୁ ମିଳିଥିଲା । ଧର୍ମଶାଳା ବିଧାୟକ ଆକ୍ରମଣ ପ୍ରସଙ୍ଗରେ ଆଇନ ଶୃଙ୍ଖଳା ଓ କନ୍ଧମାଳ ତଥାକଥିତ ଅନାହାର ମୃତ୍ୟୁକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ । ସିଧା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନାରାବାଜୀ କରିଥିଲେ । ଫଳରେ ପ୍ରଥମ କାର୍ଯ୍ୟ ଦିବସର ପ୍ରଥମାର୍ଦ୍ଧରେ ଗୃହ ପ୍ରକ୍ରିୟାକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ମଧ୍ୟାହ୍ନ 12ଟା 25
ଯାଏ ଗୃହକାର୍ଯ୍ୟ ମୁଲତବୀ ରଖାଯାଇଛି । ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସ୍ବାଭାବିକ ହୋଇପାରିନଥିଲା ।
ପରେ ଶାସକ ଦଳ ବିଜେପି ଭାରତୀୟ ସମ୍ବିଧାନକୁ ଅବମାନନା କରିଥିବା ଅଭିଯୋଗରେ ଗୃହରେ ଝଡ଼ ସୃଷ୍ଟି ହୋଇଥିଲା । ବିଧାନସଭା ବାହାରେ ରଖାଯାଇଥିବା ସମ୍ବିଧାନର ମୁଖବନ୍ଧରେ ‘ନିରପେକ୍ଷ’ ଓ ‘ସମାଜବାଦ’ ଶବ୍ଦ ନଥିବା ଅଭିଯୋଗରେ ତାତିଥିଲେ ବିରୋଧୀ । ଏହା ସମ୍ବିଧାନ ପ୍ରତି ଅସମ୍ମାନ ଓ ଅବମାନନା ବୋଲି କହି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରୀ ଦଳ ଉପରେ ବର୍ଷିଥିଲେ । ଏନେଇ ଏହା ଆଦୌ ଗ୍ରହଣୀୟ ନୁହେଁ, ତୁରନ୍ତ ତ୍ରୁଟି ସୁଧାରିବାକୁ ଦାବି କରିଛି ମୁଖ୍ୟ ବିରୋଧୀ ଦଳ ବିଜେଡି । ବିଧାନସଭାରେ ଥିବା ମୁଖବନ୍ଧ ପତ୍ରିକାରେ ଧର୍ମ ନିରପେକ୍ଷ ଓ ସମାଜବାଦ ଶବ୍ଦ ନାହିଁ । ଯାହାକି ସମ୍ବିଧାନ ପ୍ରତି ଅସମ୍ମାନ ଓ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା । ସର୍ବୋଚ୍ଚ ନ୍ୟାୟାଳୟ ଦୁଇ ଶବ୍ଦ ରଖିବା ସହ ଏହା ସପକ୍ଷରେ ରାୟ ଦେଇଥିଲେ ବି ଏଭଳି ଭୁଲ କରିବା ଅକ୍ଷମଣୀୟ ନୁହେଁ । ଏଥିରୁ ସରକାର ସମ୍ବିଧାନକୁ ମାନିବାକୁ ନାରାଜ ବୋଲି ଜଣାପଡୁଥିବା ବିଜେଡି କହିଛି ।
କଂଗ୍ରେସ ବି ଏହି ପ୍ରସଙ୍ଗରେ ବିଜେଡି ସହ ସ୍ବର ମିଳାଇଥିଲା । ଏହା ସହ ଆମ୍ବ ଟାକୁଆ ପ୍ରସଙ୍ଗରେ ବିଚାର ବିଭାଗୀୟ ତଦନ୍ତ ଦାବି କରି ବାଚସ୍ପତିଙ୍କ ପୋଡ଼ିୟମ ତଳେ ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ । ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ପ୍ରତିବାଦ କରିବାରୁ ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ୨୫ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । ପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ପୁନର୍ବାର ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।