ଡ. ସମନ୍ୱୟ ନନ୍ଦ- ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ସାରା ଦେଶ ରାମମୟ ହେବାରେ ଲାଗିଛି । ଉତ୍ତର ହେଉ ବା ଦକ୍ଷିଣ ହେଉ, ପୂର୍ବ ହେଉ ବା ପଶ୍ଚିମ ହେଉ, ସବୁ ଆଡେ ଆନନ୍ଦ, ହର୍ଷୋଲ୍ଲାସର ପରିବେଶ । ତେବେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ମନ୍ଦିର ନିର୍ମାଣ ଘଟଣା କଣ କୌଣସି ସାଧାରଣ ମନ୍ଦିର ନିର୍ମାଣ ଭଳି ଘଟଣା ? ନା ଏହାର ଆଉ କିଛି ଗୁରୁତ୍ୱ ରହିଛି ?
ଏ ବିଷୟରେ ଆଲୋଚନା ପାଇଁ ଇତିହାସକୁ ଯିବାକୁ ପଡିବ । ସେତେବେଳେ ବର୍ତମାନର ଇରାନ( ପାରସ୍ୟ)ର ରାଜା ଥିଲେ ୟାଜଦ । ସେତେବେଳେ ସମ୍ପୂର୍ଣ ଇରାନ ଅଗ୍ନିଦେବତାଙ୍କୁ ପୂଜା କରୁଥିଲା । ଆରବରେ ଇସଲାମର ଉଦୟ ହୋଇ ସାରିଥାଏ । ଆରବରୁ ଇସଲାମ ଧୀରେ ଧୀରେ ଅନ୍ୟ ଦେଶ ମାନଙ୍କରେ ପ୍ରସାର କରୁଥାଏ । ପଡୋଶୀ ଇରାନ ଉପରେ ଆରବର ଇସଲାମ ମତାବଲମ୍ବୀ ମାନେ ଆକ୍ରମଣ କରି ଦେଇଥିଲେ । ଆକ୍ରମଣକାରୀ ମାନେ ପାରସ୍ୟର ରାଜା ସମେତ ସମସ୍ତ ଲୋକଙ୍କୁ ଇସଲାମ ସ୍ୱୀକାର କରିବାକୁ କହିଥିଲେ । ସେତେବେଳେ ରାଜା ୟାଜଦ କହିଥିଲେ, “ଯେଉଁ ସ୍ଥାନ ଯାଏ ଯଜ୍ଞର ଧୁଆଁ ଯାଉଛି ସେହି ସେହି ସ୍ଥାନର ଲୋକ ମାନେ ଶୁଣି ରଖନ୍ତୁ, ମୁଁ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି କହୁଛି ଯେ ମୁଁ ରଣଭୂମିରେ ଲଢେଇ କରି ବଳିଦାନ ଦେବି, ହେଲେ ଇସଲାମ ସ୍ୱୀକାର କରିବି ନାହିଁ । ” ଏହା ପରେ ଯୁଦ୍ଧରେ ଇରାନର ରାଜା ପରାସ୍ତ ହୋଇ ଗଲେ । ମାତ୍ର ୨୫-୩୦ ବର୍ଷ ମଧ୍ୟରେ ଅଗ୍ନି ଦେବତାଙ୍କ ଉପାସନା କରୁଥିବା ସମ୍ପୂର୍ଣ ପାରସ୍ୟ (ଇରାନ) ଇସଲାମରେ ମତାନ୍ତରିତ ହୋଇଯାଇଥିଲା । ଆକ୍ରମଣକାରୀ ମାନେ ହଜାର ହଜାର ବର୍ଷ ଧରି ପାରସ୍ୟ ସଭ୍ୟତାରେ ଜଳି ଆସୁଥିବା ଅଖଣ୍ଡ ଅଗ୍ନିକୁ ଲିଭାଇ ଦେଲେ । ଅଗ୍ନି ଦେବତାଙ୍କ ଉପାସକ ମାନଙ୍କର ସଭ୍ୟତା ମାଟିରେ ମିଶି ଗଲା । ଏହା ସେହି ଅଗ୍ନିକୁ ପୁଣି ଥରେ ଜଳାଇବାକୁ କେହି ଆଉ ନ ଥିଲେ ।
ଠିକ ସେହି ପରି କେବେ ରୋମରେ ଏକ ମହାନ ସଭ୍ୟତା ଥିଲା । ରୋମାନ ସାମ୍ରାଜ୍ୟ ଉପରେ ବର୍ବର ଆକ୍ରମଣ ପରେ ସେହି ସଭ୍ୟତା ଆଜି ଆଉ ନାହିଁ । ରୋମର ପ୍ରାଚୀର ମନ୍ଦିର ଗୁଡିକୁ ଯେତେବେଳେ ଆକ୍ରମଣକାରୀ ମାନେ ଧ୍ୱସ୍ତ କଲେ ତା ପର ଠାରୁ ଆଉ ସେହି ପ୍ରାଚୀନ ମନ୍ଦିର ପୁଣି ଥରେ ଠିଆ ହୋଇ ପାରି ନାହିଁ । ତେବେ ରୋମର ମ୍ୟୁଜିୟମରେ ସେହି ସଭ୍ୟତାର ମୂର୍ତି ଏବେ ବି ଦେଖା ଯାଇ ପାରେ । ହେଲେ ସେହି ମନ୍ଦିର ଆଉ ଥରେ ସ୍ଥାପିତ ହୋଇ ପାରି ନାହିଁ । ସେହିପରି ଗ୍ରୀସରେ ମଧ୍ୟ କେବେ ଏକ ମହାନ ସଭ୍ୟତା ରହିଥିଲା । ହେଲେ ଗ୍ରୀସ ଉପରେ ଯେତେବେଳେ ଆକ୍ରମଣକାରୀ ମାନେ ଆକ୍ରମଣ କଲେ ଓ ସେମାନଙ୍କର ଦେବୀ ଦେବତାଙ୍କୁ ଶଇତାନ ବୋଲି କହି ସେମାନଙ୍କର ମନ୍ଦିର ଗୁଡିକୁ ଧ୍ୱଂସ କରି ଦେଲେ । ଗ୍ରୀସର ଏହି ପ୍ରାଚୀନ ମନ୍ଦିର ପୁଣି ଥରେ ଆଉ ତିଆରି ହୋଇ ପାରି ନ ଥିଲା । ଏବେ ସେମାନଙ୍କର ଦେବତାଙ୍କୁ କେହି ପଚାରନ୍ତି ନାହିଁ । ସେହିପରି ଇଜିପ୍ଟର ସେହି ମହାନ ସଭ୍ୟତା ଉପରେ ଯେତେବେଳେ ଆକ୍ରମଣ ହେଲା ଓ ଏହାକୁ ଧ୍ୱଂସ କରାଗଲା ତା ପରେ ଏହି ସଭ୍ୟତା ପୁଣି ଥରେ ଠିଆ ହୋଇ ପାରି ନ ଥିଲା । ହେଲେ ସେହି ସଭ୍ୟତାର ଚିହ୍ନ ଆଜି ମଧ୍ୟ ଇଜିପ୍ଟରେ ଦେଖା ଯାଇ ପାରେ । ମେସୋପାଟମିଆଁର ସେହି ମହାନ ସଭ୍ୟତା ଉପରେ ଆକ୍ରମଣ ହେବାର କିଛି ବର୍ଷ ପରେ ଏହି ସଭ୍ୟତା ସମ୍ପୂର୍ଣ ଭାବେ ମାଟିରେ ମିଶିଯାଇଥିଲା ସେମାନେ ଉପାସନା କରୁଥିବା ଦେବତା ମାନଙ୍କର ନାମ ମଧ୍ୟ ଏବେ ଆଉ କେହି ଜାଣନ୍ତି ନାହିଁ । ସାରା ବିଶ୍ୱରେ ଏଭଳି ପ୍ରାଚୀନ ସଭ୍ୟତା ମାନଙ୍କ ଉପରେ ବର୍ବର ଆକ୍ରମଣ ହୋଇଛି ଓ ସେହି ପ୍ରାଚୀନ ସଭ୍ୟତା ଗୁଡିକ ଧ୍ୱଂସ ହୋଇ ଯାଇଛନ୍ତି । ବିଶ୍ୱର ଯେତେ ପ୍ରାଚୀନ ସଭ୍ୟତା ରହିଛି ସବୁ ସଭ୍ୟତା ଗୁଡିକ ବିଦେଶୀ ଆକ୍ରମଣକାରୀ ମାନଙ୍କ ଆକ୍ରମଣରେ ଧ୍ୱସ୍ତ ହୋଇ ଯାଇଥିଲା ।
ଭାରତ ଉପରେ ମଧ୍ୟ ସେହିପରି ବାହ୍ୟ ଆକ୍ରମଣକାରୀ ମାନେ ଶହ ଶହ ବର୍ଷ ଧରି ଆକ୍ରମଣ କରିଛନ୍ତି । ଭାରତର ମନ୍ଦିର ଗୁଡିକୁ ଧ୍ୱଂସ କରାଯାଇଛି । ଭାରତୀୟ ମାନେ ତାଙ୍କ ସହ ଲଢିଛନ୍ତି, ଜୀବନ ଦେଇଛନ୍ତି । ଆକ୍ରମଣକାରୀ ମାନେ ପୁଣି ଆକ୍ରମଣ କରିଛନ୍ତି । ପୁଣି ତାର ପ୍ରତିକାର କରାଯାଇଛି ।
ବିଦେଶୀ ଇସଲାମୀ ଆକ୍ରମଣକାରୀ ମାନେ ଭାରତକୁ ଇସଲାମରେ ମତାନ୍ତରିତ କରିବାକୁ ଅନେକ ବର୍ବରତା ଦେଖାଇଛନ୍ତି । ଏହା ସତ୍ୱେ ସମ୍ପୂର୍ଣ ଭାରତକୁ ଇସଲାମରେ ମତାନ୍ତରିତ କରିବାର ସ୍ୱପ୍ନ ପୂରଣ ହୋଇ ପାରି ନ ଥିଲା ।
ଜଣେ ଇସଲାମୀ ବିଦ୍ୱାନ ମୌଲାନା ହାଲି ଏ ସମ୍ପର୍କରେ ଲେଖିଥିଲେ । ସେ ଅଶ୍ରୁପୂରିତ ଶବ୍ଦରେ ଏ ସମ୍ପର୍କରେ ଲେଖିଛନ୍ତି ଯାହାର ଉଲ୍ଲେଖ ଏଠାରେ କରାଯିବା ଆବଶ୍ୟକ । ସେ ଲେଖିଲେ, “ବୋ ଦିନେ ହିଜାଜୀ କା ବେବାକ ବେଡା, ନିଶାଁ ଜିସକା ଅକସାଏ ଆଲମ ମେଁ ପହୁଂଚା ; ମଜାହମ ହୁଆ କୋଇ ଖତରା ନା ଜିସକା, ନ ଅମ୍ମାଁ ମେଁ ଠଠକା ନା କୁଲଜମ ମେଁ ଝିଝକା ; କିଏ ପାର ଜିସନେ ସାତୋଁ ସମନ୍ଦର, ବୋ ଡୁବା ଦହାନେ ଗଙ୍ଗା ମେଁ ଆକର ।”
ଅର୍ଥାତ ଇସଲାମର ସେହି ଯୁଦ୍ଧ ଜାହାଜ ବିନା କୌଣସି ବାଧାରେ ସାତ ସମୁଦ୍ର ପାର ହୋଇ ଅଜୟ ରହିଥିଲା ହେଲେ ଯେତେବେଳେ ଏହି ଯୁଦ୍ଧ ଜାହାଜ ଭାରତରେ ପହଂଚିଲା ସେତେବେଳେ ଗଙ୍ଗା ନଦୀର ପାଣିରେ ସଦା ସର୍ବଦା ପାଇଁ ବୁଡିଗଲା ।
ଇସଲାମର ଜାହାଜ ସିନା ଗଙ୍ଗା ନଦୀରେ ବୁଡିଗଲା ହେଲେ ଭାରତର କିଛି ଅଂଶ ଇସଲାମ ନାମରେ ସେମାନେ ପାକିସ୍ତାନ ତିଆରି କରି ନେଇଗଲେ । ଏହା ପରେ ମଧ୍ୟ ଭାରତର ମାନବିନ୍ଦୁ ଗୁଡିକ ଉପରେ ଆକ୍ରମଣକାରୀଙ୍କ ବର୍ବରତାର ପ୍ରତୀକ ରହିଥିଲା ।
ଅଯୋଧ୍ୟାରେ ବିଦେଶୀ ଆକ୍ରମଣକାରୀ ବାବରର ସେନାପତି ମୀର ବାକି ଦ୍ୱାରା ଜନ୍ମଭୂମି ଠାରେ ପ୍ରାଚୀନ ମନ୍ଦିରକୁ ଧ୍ୱସ୍ତ କରି ସେଠାରେ ଦାସତ୍ୱ ପ୍ରତୀକକୁ ଠିଆ କରାଇ ଦିଆଯାଇଥିଲା । ଏହି କଳଙ୍କକୁ ହଟାଇବା ପାଇଁ ଦେଶର ଲୋକ ମାନେ ଗତ ପାଂଚ ଶହ ବର୍ଷ ଧରି ନିରନ୍ତର ଭାବେ ପ୍ରୟାସ କରିଆସିଥିଲେ । ଏହି ଘଟଣା ପରେ ସେଠାରେ ମନ୍ଦିର ସ୍ଥାପିତ କରିବାକୁ ୭୪ ଥର ଯୁଦ୍ଧ ହୋଇଥିବାର ପ୍ରମାଣ ମିଳେ । ମୋଗଲଙ୍କ ପରେ ଇଂରେଜ ମାନଙ୍କ ଶାସନକାଳରେ ମଧ୍ୟ ଦାସତ୍ୱର ପ୍ରତୀକକୁ ହଟାଯାଇ ପାରି ନ ଥିଲା । ଭାରତ ସ୍ୱାଧୀନ ହେବା ପରେ ଲୋକ ମାନେ ଭାବିଥିଲେ ଯେ ଏବେ ଏହି କଳଙ୍କ ହଟିବ । ହେଲେ ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ଏହା ହୋଇ ନଥିଲା । କାରଣ ସେତେବେଳେ ସରକାରରେ ଯେଉଁ ମାନେ ଥିଲେ ସେମାନଙ୍କର ଭାରତୀୟ ସଭ୍ୟତା- ସଂସ୍କୃତି ପ୍ରତି ଏକ ପ୍ରକାର ଘୃଣାଭାବ ରହିଥିଲା ।
ତେବେ ଭାରତର ଲୋକ ମାନେ ଗତ ପାଂଚ ଶହ ବର୍ଷ ଧରି ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ସଂଘର୍ଷ ଜାରୀ ରଖିଥିଲେ । କିଏ ପାଂଚ ଶହ ବର୍ଷ ଯାଏ ତାର ମୁଣ୍ଡରେ ପଗଡି କିମ୍ବା ପାଦରେ ଜୋତା ପିନ୍ଧି ନ ଥିଲେ ତ କିଏ ଆଜୀବନ ମୌନ ବ୍ରତ ଧାରଣ କରିଥିଲେ । କେହି କୋଟି କୋଟି ଥର ରାମଙ୍କ ନାମ ଲେଖି ସେଠାରେ ପୁଣି ଥରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରାର୍ଥନା କରୁଥିଲେ । ସାମୁହିକ ସଂକଳ୍ପର ଏପରି ଉଦାହରଣ ଇତିହାସରେ ମିଳେ ନାହିଁ । ଗତ ପାଂଚ ଶହ ବର୍ଷ ମଧ୍ୟରେ ଆମର ଅନେକ ପୀଢୀ ରାମ ମନ୍ଦିର ନିର୍ମାଣ ପାଇଁ ଯେଉଁ ସଂଘର୍ଷ କରିଥିଲେ, ସେହି ସଂଘର୍ଷର ଫଳ ଏବେ ମିଳିଛି । ଆମେ ପାଂଚ ଶହ ବର୍ଷର ଅନବରତ ସଂଘର୍ଷ ପରେ ବିଜୟର ସାକ୍ଷୀ ହେବାକୁ ଯାଉଛୁ ।
ପୂର୍ବରୁ ଆକ୍ରମଣକାରୀ ମାନଙ୍କ ବର୍ବର ଆକ୍ରମଣରେ ପୁରାତନ ସଭ୍ୟତା ଗୁଡିକ ମାଟିରେ ମିଶି ଯାଇଥିଲା ବେଳେ ହଜାର ହଜାର ବର୍ଷ ପୁରୁଣା ଭାରତର ସଭ୍ୟତା ବଂଚିଛି । କେବଳ ବଂଚି ନାହିଁ ପ୍ରଥମ ଥର ପାଇଁ ଆକ୍ରମଣକାରୀ ମାନଙ୍କ ଠାରୁ ଉକ୍ତ ସ୍ଥାନକୁ ଛଡାଇ ପୁଣି ଥରେ ସେହି ସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ କରୁଛି । ପୁରାତନ ସଭ୍ୟତା ମାନଙ୍କର ବିଶ୍ୱ ଇତିହାସରେ ପୂର୍ବରୁ କେବେ ହେଲେ ଏପରି ହୋଇ ନାହିଁ । ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଏହା ହେଉଛି । ଭାରତ ଇତିହାସକୁ ଭୁଲ ପ୍ରମାଣିତ କରିଛି । ଭାରତ ତାର ସଭ୍ୟତାଗତ ସଂଘର୍ଷରେ ବିଜୟୀ ହେବା ଆରମ୍ଭ ହୋଇଛି । ତେଣୁ ଯିଏ ଭାବୁଛନ୍ତି ଯେ ଏହା କେବଳ କୌଣସି ସାଧାରଣ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା, ସେମାନେ ଭୁଲ ଭାବୁଛନ୍ତି । ଏହା ଭାରତୀୟ ସଭ୍ୟତାର ପୁନଃପ୍ରତିଷ୍ଠାର ପ୍ରତୀକ । ତେବେ ଏହା ଆରମ୍ଭ ମାତ୍ର । ଆଗାମୀ ଦିନରେ ଭାରତୀୟ ସଭ୍ୟତା ତାର ଚରମକେôାର୍ଷ ପହଂଚିବା ଆଡକୁ ଅଗ୍ରସର ହେବାର ଏହା ହେଉଛି ପଦଧ୍ୱନୀ ।