ପୁରୀ, - ପୁରୀର ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ। ପ୍ରତି ବର୍ଷ ରଥଯାତ୍ରା ପାଇଁ କାଠର ଆବଶ୍ୟକତା ପଡିଥାଏ। ରଥରେ ବ୍ୟବହାର ଉପଯୋଗୀ କାଠ ଓ ଚନ୍ଦନ କାଠ ଯେଉଁ ବ୍ୟକ୍ତି ବିଶେଷ ମାନଙ୍କ ପାଖରେ ଅଛି ସେମାନେ ମହାପ୍ରଭୁଙ୍କ ସେବା ପାଇଁ ପ୍ରଦାନ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡଃ. ସୁରେଶ ଚନ୍ଦ୍ର ଦଳାଇ ଅନୁରୋଧ କରିଛନ୍ତି। ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ଚଳିତ ବର୍ଷ ରଥଯାତ୍ରା ପାଇଁ ରଥକାଠ ଯୋଗାଣ ଓ ଆଗାମୀ ବର୍ଷ ମାନଙ୍କ ପାଇଁ ରଥ ନିର୍ମାଣ ପାଇଁ କାଠ ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଆୟୁକ୍ତ ଡଃ ଦଳାଇ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ ବିଭିନ୍ନ ପ୍ରକାରର କାଠର ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୫୩ ଖଣ୍ଡ ବଳକା କାଠ ଥିବାରୁ ଅବଶିଷ୍ଟ ୮୧୨ ଖଣ୍ଡ କାଠର ଆବଶ୍ୟକତା ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।।

ଅପରପକ୍ଷରେ ରଥ କାଠର ଆବଶ୍ୟକତା କୁ ମେଣ୍ଟାଇବା ପାଇଁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ବ୍ୟବସ୍ଥା ସହ ନିୟମିତ ଅନୁଧ୍ୟାନ କରାଯାଉଛି। ପ୍ରତ୍ୟେକ ଡିଏଫଓ ମାନେ ସେମାନଙ୍କ ଅଞ୍ଚଳକୁ ଅନୁଧ୍ୟାନ କରି ରଥକାଠ ଓ ଚନ୍ଦନ କାଠ ସମ୍ପର୍କରେ ଏକ ଡାଟାବେଶ ପ୍ରସ୍ତୁତ କରିବା, ଜଗନ୍ନାଥ ବନ ପ୍ରକଳ୍ପରେ ଯେଉଁ ଚାରା ମରି ଯାଇଛି ସେ ଶୂନ୍ୟ ସ୍ଥାନରେ ଚାରା ରୋପଣ କରିବା, ମାସିକ ଭାବେ

ରଥକାଠର ଡାଟା ବେସ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇବା ସମ୍ପର୍କରେ ଆୟୁକ୍ତ ପରାମର୍ଶ ଦେଇଥିଲେ। ଯେଉଁ ବ୍ୟକ୍ତି ବିଶେଷ ରଥ ନିର୍ମାଣ ପାଇଁ କାଠ ସ୍ବଇଛାରେ ଦେଉଛନ୍ତି ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ଓ ଏହାର ପ୍ରଚାର ପ୍ରସାର ପାଇଁ ସେ ଗୁରୁତ୍ଵ ଦେଇଥିଲେ। ଯାହା ଫଳରେ ଅଧିକ ବ୍ୟକ୍ତି ଶ୍ରୀଜୀଉମାନଙ୍କ ସେବାରେ ରଥକାଠ ଦାନ ପାଇଁ ଆଗ୍ରହ ପ୍ରକାଶ କରିବେ।

ସେହିପରି ଚନ୍ଦନ କାଠ ଦାନ କରିବାକୁ ଚାହୁଁ ଥିବା ଦାତା ମାନଙ୍କୁ ସହଜ ଓ ସରଳ ପ୍ରକ୍ରିୟା ପାଇଁ ସହଯୋଗ କରିବାକୁ ଡ଼ଃ. ଦଳାଇ ଡି.ଏଫ.ଓ. ମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ରଥକାଠ ଦାତା ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି ବୋଲି ସୂଚନା ଦେବା ସହ ଆବଶ୍ୟକୀୟ ରଥକାଠ ଯୋଗାଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଡି.ଏଫ.ଓ. ପି. ରାମାସ୍ଵାମୀ, ଖୋର୍ଦ୍ଧା ଡି.ଏଫ.ଓ. ପୂର୍ଣ୍ଣିମା ପାଣ୍ଡିଆନ, ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ, ଭୁବନେଶ୍ଵର ସିଟି ଡିଏଫଓ ଅଜିତ ଶତପଥୀ, ଘୁମୁସର ଡିଏଫଓ ସୁଦର୍ଶନ ବେହେରା, ବୌଦ୍ଧ ଡିଏଫଓ ଦେବପ୍ରିୟ କାମ୍ପା, ଶ୍ରୀମନ୍ଦିର ନିତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ପ୍ରିୟଦର୍ଶନୀ ମଲ୍ଲିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

0 Comments