ଭୁବନେଶ୍ବର: କଂଗ୍ରେସ ଛାଡ଼ିଲେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଧିରାଜ ପାଣିଗ୍ରାହୀ । ସେ ନିଜ ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି । ୨୫ ବର୍ଷ ଧରି କଂଗ୍ରେସ ଦଳରେ ଥିଲେ ଅଧିରାଜ । ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢ଼ି ଖଡ଼ିଆଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅଧିରାଜ । ତେବେ ଆସନ୍ତାକାଲି (ବୁଧବାର) ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଦଳର ସମସ୍ତ ଦାୟିତ୍ବ ଛାଡ଼ିବା ସମେତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଅଧିରାଜ ନିଜ ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ଦଳ ଛାଡିବାର କାରଣ ଇସ୍ତଫା ପତ୍ରରେ ଦର୍ଶାଇ ନାହାନ୍ତି । ହେଲେ ୨୫ ବର୍ଷ ଧରି କଂଗ୍ରେସରେ ରହି କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଅଧିରାଜ । ନୂଆପଡା ଜିଲ୍ଲା ଖଡ଼ିଆଳରୁ ୨

୦୧୯ରେ ପ୍ରଥମ କରି ବିଧାୟକ ହୋଇଥିଲେ ଅଧିରାଜ ପାଣିଗ୍ରାହୀ । ପ୍ରଥମ ଥର ପାଇଁ ସେ କଂଗ୍ରେସରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ । ତେବେ ଦଳ ଭିତରେ ଦୀର୍ଘଦିନ ହେବ ତାଙ୍କ ବିଷୟରେ ଚର୍ଚ୍ଚା ହେଉଥିଲା ।

ଗତ ଜାନୁଆରୀ ୧୭ରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ କଂଗ୍ରେସରୁ କେବଳ ଅଧିରାଜଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଏହା ପରଠାରୁ ସେ ବିଜେଡି ସହ ଯୋଗାଯୋଗରେ ଥିବା ନେଇ ଚର୍ଚ୍ଚା ଜୋର ହେଉଥିଲା । କଂଗ୍ରେସ ଛାଡ଼ି ସେ ଖୁବଶୀଘ୍ର ଶାସକ ଦଳରେ ମିଶି ପାରନ୍ତି ବୋଲି ଆଲୋଚନା ହେଉଥିଲା । ନୂଆପଡା ଜିଲ୍ଲାରୁ କଂଗ୍ରେସର ଜଣେ ମାତ୍ର ବିଧାୟକ ଥିଲେ ଅଧିରାଜ ମୋହନ ପାଣିଗ୍ରାହୀ । ସେ ନିର୍ବିବାଦୀୟ ନେତା ଭାବେ ବେଶ ଜଣାଶୁଣା ଥିଲେ । ତେବେ କଂଗ୍ରେସ ଛାଡ଼ିବା ପରେ ଅଧିରାଜ ଖୁବଶୀଘ୍ର ବିଜେଡିରେ ଯୋଗ ଦେଇପାରନ୍ତି । ଆସନ୍ତାକାଲି ସେ ଶାସକ ବିଜୁ ଜନତା ଦଳରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ସେପଟେ ଅଧିରାଜ କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜ୍ୟରେ କଂଗ୍ରେସର ବିଧାୟକ ସଂଖ୍ୟା ୮କୁ ଖସି ଆସିଛି ।


0 Comments